ବାଲେଶ୍ୱର: ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଆଜି ଆଉ ଏକ ବଡ଼ ସଫଳତା ହାସଲ କରିବାକୁ ଯାଉଛି। ବାଲେଶ୍ୱର ଜିଲ୍ଲା ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ କେନ୍ଦ୍ର (ITR) ରୁ ଆଜି ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ପକ୍ଷରୁ ଏକ ଅତ୍ୟାଧୁନିକ ମିସାଇଲ୍ର ପରୀକ୍ଷଣ କରାଯିବ। ଏହି ହାଇ-ପ୍ରୋଫାଇଲ୍ ମିସାଇଲ୍ ଟେଷ୍ଟିଂ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ କାଉଣ୍ଟଡାଉନ୍ ଆରମ୍ଭ ହୋଇଯାଇଛି। ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କ୍ଷେପଣାସ୍ତ୍ର ଘାଟିର ଆଖପାଖ ଅଞ୍ଚଳରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
ସୁରକ୍ଷା ବଳୟରେ ୩.୫ କିଲୋମିଟର ବ୍ୟାସାର୍ଦ୍ଧ; ଖାଲି ହେଲା ୧୧ ଗାଁ
କୌଣସି ଅଘଟଣକୁ ଏଡ଼ାଇବା ପାଇଁ ପ୍ରଶାସନ ପକ୍ଷରୁ ଆଜି ସକାଳ ୧୦ଟାରୁ ହିଁ ପରୀକ୍ଷଣ କେନ୍ଦ୍ରର ୧ ରୁ ୩.୫ କିଲୋମିଟର ପରିସର ମଧ୍ୟରେ ଥିବା ୧୧ଟି ଗ୍ରାମର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପ୍ରକ୍ରିୟା ଆରମ୍ଭ କରାଯାଇଛି। ମୋଟ ୧୧,୪୪୨ ଜଣ ଗ୍ରାମବାସୀଙ୍କୁ ୪ଟି ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀକୁ ନିଆଯାଇଛି।
ଅସ୍ଥାୟୀ ଶିବିରରେ ରହୁଥିବା ସମସ୍ତ ବିସ୍ଥାପିତ ଲୋକଙ୍କ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ମାଗଣା ଖାଦ୍ୟ, ପାନୀୟ ଜଳ ଏବଂ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଇଛି। ଏହା ସହିତ ପ୍ରଭାବିତ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଗୋଟିଏ ଦିନର ଆର୍ଥିକ କ୍ଷତିପୂରଣ ମଧ୍ୟ ପ୍ରଦାନ କରାଯିବ।
ଦିନ ଗୋଟାଏ ସୁଦ୍ଧା ସମସ୍ତ ଗ୍ରାମବାସୀଙ୍କୁ ଶିବିରକୁ ସ୍ଥାନାନ୍ତର କରିବା ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବ। ଏହାପରେ ପ୍ରାୟ ଅପରାହ୍ନ ୨ଟା ସମୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ DRDO କୁ ମିସାଇଲ୍ ଉତକ୍ଷେପଣ ପାଇଁ ଆନୁଷ୍ଠାନିକ ଭାବେ ଅନୁମତି ଦିଆଯିବ। ପ୍ରଶାସନର ଗ୍ରୀନ୍ ସିଗନାଲ୍ ମିଳିବା ମାତ୍ରେ ହିଁ ଅତ୍ୟାଧୁନିକ ମିସାଇଲ୍ର ଗର୍ଜନରେ କମ୍ପିବ ଚାନ୍ଦିପୁର ଆକାଶ।
ପୂର୍ବରୁ ଟଳିଥିଲା ପରୀକ୍ଷଣ
ଏହି ଗୁରୁତ୍ୱପୂର୍ଣ୍ଣ କ୍ଷେପଣାସ୍ତ୍ରର ପରୀକ୍ଷଣ ପୂର୍ବରୁ ଜୁନ୍ ୮ ଏବଂ ୯ ତାରିଖରେ ହେବାର ଥିଲା। କିନ୍ତୁ ବୈଷୟିକ କାରଣ ଯୋଗୁଁ ଏହାକୁ ସ୍ଥଗିତ ରଖାଯାଇଥିଲା। ଆଜି ଏହି ପରୀକ୍ଷଣକୁ ଶତପ୍ରତିଶତ ସଫଳ କରିବା ପାଇଁ DRDO ର ବୈଜ୍ଞାନିକ ଏବଂ ପ୍ରଶାସନିକ ଅଧିକାରୀମାନେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି।