Latest Odisha News

BREAKING NEWS

ବ୍ରହ୍ମଗିରିରେ ବେବିଙ୍କ ପରେ ଉପାସନା !

ଭୁବନେଶ୍ୱର: ସାଧାରଣ ନିର୍ବାଚନ ଧୀରେ ଧୀରେ ପାଖେଇ ଆସୁଥିବାରୁ ବିଭିନ୍ନ ନିର୍ବାଚନ ମଣ୍ଡଳୀକୁ ନେଇ ଚର୍ଚ୍ଚା ବଢୁଛି। ଏଭଳି ସ୍ଥିତିରେ ପୁରୀ ଜିଲ୍ଲା ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଦିବଙ୍ଗତ ବିଧାୟକ ତଥା ଟାଣୁଆ କଂଗ୍ରେସ ନେତା ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର ବା ଲୁଲୁ ମହାପାତ୍ରଙ୍କ ପାଇଁ ସେ ନିର୍ବାଚନ ମଣ୍ଡଳୀ ରାଜ୍ୟରେ ବେଶ ଗୁରୁତ୍ୱ ବହନ କରୁଥିବା କୁହାଯାଏ।

ଲୁଲୁଙ୍କ ସହ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ନେତା ସଞ୍ଜୟ ଦାସବର୍ମାଙ୍କ ଲଢ଼େଇକୁ ନେଇ ମଧ୍ୟ ସମ୍ପୃକ୍ତ ବିଧାନସଭା କ୍ଷେତ୍ର ଚର୍ଚ୍ଚାରେ ଥାଏ। ଲୁଲୁଙ୍କ ଦେହାନ୍ତ ପରେ ବ୍ରହ୍ମଗିରିର ରାଜନୈତିକ ଚିତ୍ର ପରିବର୍ତ୍ତନ ହୋଇଛି। ୨୦୧୯ ମସିହାରେ ଲୁଲୁଙ୍କ ଭାଇ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ବିଜେପିରେ ମିଶିବା ସହ ବିଧାୟକ ହୋଇଥିଲେ। ଏବେ ବିଜେପି ବିଧାୟକ ଭାବେ ସେ କାର୍ଯ୍ୟ କରୁଛନ୍ତି।

କିନ୍ତୁ ଆଗାମୀ ସାଧାରଣ ନିର୍ବାଚନରେ ଲୁଲୁଙ୍କ ଝିଅ ଉପାସନା ମହାପାତ୍ର ଲଢ଼ିବା ନେଇ ସ୍ପଷ୍ଟ ଭାବେ କହିସାରିଛନ୍ତି। ଯଦି ଉପାସନା ଲଢନ୍ତି ତାହେଲେ ଲଳିତେନ୍ଦୁ କଣ ଆଉ ଲଢ଼ିବେ ନାହିଁ କି ବୋଲି ପ୍ରଶ୍ନ ଉଠିଛି। ଏପରିକି ଉପାସନା ବିଜେପିରେ ଥିବା କହିଥିଲେ ମଧ୍ୟ ସେ ବିଜେଡିକୁ ଆସିବା ନେଇ ଚର୍ଚ୍ଚା ମଧ୍ୟ ହେଉଛି। ସେପଟେ ବ୍ରହ୍ମଗିରିର ପୂର୍ବତନ ବିଧାୟକ ମନ୍ତ୍ରୀ ସଞ୍ଜୟ ଦାସବର୍ମା ଦଳରେ କୋଣଠେସା ହୋଇ ରହିଥିବା କୁହାଯାଉଛି।

ଏପରିକି ବିଭିନ୍ନ କାର୍ଯ୍ୟକ୍ରମରେ ସଂଜୟଙ୍କୁ ଲୋଡ଼ାଯାଉ ନ ଥିବା ବେଳେ ସେ ମଧ୍ୟ ଦଳର ଏବେକାର ଦାୟିତ୍ୱରେ ଥିବା ନେତାଙ୍କୁ ଟାର୍ଗେଟ କରୁଥିବା ଦେଖାଯାଉଛି। ଦିନେ ଦଳ ପାଇଁ ସବୁଠୁ ଉପାଦେୟ ବୋଲି କୁହାଯାଉଥିବା ସଂଜୟଙ୍କୁ ଏବେ ସେଭଳି ଗୁରୁତ୍ୱ ଦିଆଯାଉ ନ ଥିବା ଦେଖାଯାଉଛି। ଯାହା ବ୍ରହ୍ମଗିରି ରାଜନୀତିରେ ଅନ୍ୟ ଏକ ଚର୍ଚ୍ଚାର ମୁଖ୍ୟ କାରଣ ହୋଇଛି।

ତେଣୁ ବିଜେଡି ଏଥର ସଂଜୟଙ୍କୁ ଟିକେଟ ଦେଇ ନ ପାରେ ବୋଲି ଚର୍ଚ୍ଚା ହେଉଛି। ତାଙ୍କ ସ୍ଥାନରେ ଲୁଲୁଙ୍କ ଝିଅ ଉପାସନା ବିଜେଡି ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ବ୍ରହ୍ମଗିରିରେ ଲୁଲୁଙ୍କର ଏକ ବଡ଼ ଭୋଟ ବ୍ୟାଙ୍କ ଥିବା ବେଳେ ସଂଜୟଙ୍କର ମଧ୍ୟ ଏକ ଭୋଟ ବ୍ୟାଙ୍କ ରହିଛି। ପରିବର୍ତିତ ପରିସ୍ଥିତିରେ ଯଦି ସଂଜୟଙ୍କୁ ବିଜେଡି ଟିକେଟ ନ ମିଳେ ତେବେ ତାଙ୍କର ଆଭିମୁଖ୍ୟ କଣ ରହିବ ତାକୁ ନେଇ ଚର୍ଚ୍ଚା ହେଉଛି।

ସେପଟେ ଯଦି ଉପାସନାଙ୍କୁ ବିଜେଡି ପ୍ରାର୍ଥୀ କରାଯାଏ ତେବେ ଉପାସନାଙ୍କ ଦାଦା ତଥା ବିଜେପି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର କଣ ବିଜେପିରୁ ଉପାସନାଙ୍କ ବିରୋଧରେ ପ୍ରାର୍ଥୀ ହେବେ କି ବୋଲି ପ୍ରଶ୍ନ ଉଠୁଛି। ସେପଟେ ଲୁଲୁ କଂଗ୍ରେସରେ ଥିବା ବେଳେ ବ୍ରହ୍ମଗିରିରେ କଂଗ୍ରେସର ଭଲ ଦବଦବା ଥିବାବେଳେ ଏବେ କଂଗ୍ରେସର ସ୍ଥିତି ସେଠାରେ ଭଲ ନ ଥିବା କୁହାଯାଉଛି। ତେଣୁ ବ୍ରହ୍ମଗିରି ବିଧାନସଭା କ୍ଷେତ୍ରରେ ଆଗାମୀ ନିର୍ବାଚନ ବେଶ ରୋଚକ ହେବ ବୋଲି ଚର୍ଚ୍ଚା ହେଉଛି।

Leave A Reply

Your email address will not be published.