Latest Odisha News

BREAKING NEWS

“ଓଡିଶା ବିଜେପି” ବଢିବ ନା ଛିଡିବ ?

ଭୁବନେଶ୍ୱର: ଆଗାମୀ ନିର୍ବାଚନ ପାଇଁ ବିଜେପି ପ୍ରସ୍ତୁତିକୁ ଜୋରଦାର କରିଛି। ୨୦୧୯ ନିର୍ବାଚନରେ ବିଜେଡି ସହ କଡା ଟକ୍କର ଦେଇ ମୁଖ୍ୟ ବିରୋଧୀ ଆସନ ପାଇଥିବା ବିଜେପି ଆଗାମୀ ନିର୍ବାଚନରେ ଶାସନ କ୍ଷମତାକୁ ଆସିବାକୁ ଲକ୍ଷ ରଖିଛି। ଏଥିପାଇଁ ଦଳ ବିଭିନ୍ନ ପ୍ରମୁଖ ପ୍ରସଙ୍ଗକୁ ନେଇ ଆନ୍ଦୋଳନ କରିବା ସହ ସରକାରୀ ଦଳକୁ ଚ୍ୟାଲେଞ୍ଜ କରୁଛି। ଏପରିକି ଦଳର ପ୍ରଭାରୀ ସୁନୀଲ ବଂଶଲ ନିୟମିତ ବ୍ୟବଧାନରେ ଓଡିଶା ଆସି ସାଙ୍ଗଠନିକ କାର୍ଯ୍ୟକ୍ରମ ବୁଝୁଛନ୍ତି।

ଆସନ୍ତା ୨୬ ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପିର ଚାଣକ୍ୟ କୁହାଯାଉଥିବା ଅମିତ ଶାହା ଓଡିଶା ଆସିବେ। ଭଦ୍ରକରେ ଏକ ସାଧାରଣ ସଭା ସହିତ ଅନ୍ୟ କିଛି କାର୍ଯ୍ୟକ୍ରମ ରେ ଯୋଗ ଦେବେ ଅମିତ ଶାହା। ଏପରିକି ଦଳୀୟ କାର୍ଯ୍ୟକର୍ତା ବିଧାୟକ ସାଂସଦ ତଥା ବରିଷ୍ଠ ନେତାଙ୍କ ସହ ଆସନ୍ନ ନିର୍ବାଚନ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବେ। କିଛି ମାସ ପୂର୍ବରୁ ମଧ୍ୟ ଅମିତ ଶାହା ଓଡିଶା ଆସି ବୈଠକ କରି ଯିବା ସହ ପରବର୍ତ୍ତୀ ପର୍ଯ୍ୟାୟରେ ସୁନୀଲ ବଂଶଲଙ୍କୁ ଓଡିଶା ଦାଇତ୍ୱ ଦିଆଯାଇଥିଲା। ଏପରିକି ୨୦୧୯ ମସିହା ସାଧାରଣ ନିର୍ବାଚନକୁ ଦେଖିଲେ ବିଜେପି ଭଲ ପ୍ରଦର୍ଶନ କରିଥିଲା।

ଦଳ ୨୩ ଟି ବିଧାନସଭା ଆସନ ଜିତି ମୁଖ୍ୟ ବିରୋଧୀ ଦଳ ମାନ୍ୟତା ପାଇବା ସହ କଂଗ୍ରେସକୁ ତୃତୀୟ ସ୍ଥାନକୁ ଠେଲିବାକୁ ସକ୍ଷମ ହୋଇଥିଲା। ୮ ଟି ଲୋକସଭା ସିଟ ମଧ୍ୟ ଜିତିବାକୁ ସକ୍ଷମ ହୋଇଥିଲା ଦଳ। ଏପରିକି ଯେଉଁ ସ୍ଥାନରେ ବିଜେଡି ବିଧାୟକ ମାନେ ଜିତିଥିଲେ ସେ ସ୍ଥାନରେ ବିଜେପି ସାଂସଦ ମାନେ ବାଜି ମାରି ନେଇଥିଲେ। ୨୦୧୪ ରେ ରାଜ୍ୟର ସଂସଦୀୟ କ୍ଷେତ୍ରରେ ବିଜେପି ୨୨ ପ୍ରତିଶତ ଭୋଟ ପାଇଥିବା ବେଳେ ୨୦୧୯ ରେ ଏହା ୩୮.୪ ପ୍ରତିଶତକୁ ବୃଦ୍ଧି ପାଇଥିଲା।

ସେହିପରି ବିଧାନସଭା ନିର୍ବାଚନରେ ବିଜେପିର ଭୋଟ ପ୍ରତିଶତ ୨୦୧୪ ରେ ୧୮.୨ ପ୍ରତିଶତ ଥିବାବେଳେ ୨୦୧୯ ରେ ଏହା ୩୨.୫ ପ୍ରତିଶତକୁ ବୃଦ୍ଧି ପାଇଥିଲା। ୨୦୧୪ ରାଜ୍ୟ ବିଧାନସଭା ନିର୍ବାଚନରେ ଶାସକ ବିଜେଡି ୪୩.୩୫ ପ୍ରତିଶତ ଭୋଟ ପାଇଥିବା ବେଳେ ବିଜେପି ୧୭.୯୯ ପ୍ରତିଶତ ଓ କଂଗ୍ରେସ ୨୫.୭୧ ପ୍ରତିଶତ ଭୋଟ ପାଇଥିଲା। କିନ୍ତୁ ୨୦୧୯ ବିଧାନସଭା ନିର୍ବାଚନରେ ବିଜେଡି ୪୪.୭୧ ପ୍ରତିଶତ ଭୋଟ ପାଇଥିଲେ ମଧ୍ୟ ବିଜେପିର ଭୋଟ ପ୍ରତିଶତ ୩୨.୪୯ ପ୍ରତିଶତକୁ ବୃଦ୍ଧି ପାଇଥିଲା। କଂଗ୍ରେସର ଭୋଟ ପ୍ରତିଶତ ଖସି ୧୬.୧୨ ପ୍ରତିଶତରେ ପହଞ୍ଚିଥିଲା।

୨୦୧୯ ନିର୍ବାଚନରେ ବିଜେପିର ୧୦ ଜଣ ବିଧାୟକ ପ୍ରାର୍ଥୀ ହଜାରେରୁ ଚାରି ହଜାର ଭୋଟ ମଧ୍ୟରେ ହାରିଥିଲେ। ତେଣୁ ଏ ସବୁକୁ ଆକଳନ କରି ଦଳ ୨୦୨୪ ସାଧାରଣ ନିର୍ବାଚନରେ ଶାସନ କ୍ଷମତାକୁ ଆସିବାକୁ ଯୋଜନା କରୁଛି। ଯେଉଁ ସବୁ ଆସନରେ ବିଜେପି ଅଳ୍ପ ବ୍ୟବଧାନରେ ହାରିଛି ସେସବୁ ସ୍ଥାନରେ ଦଳ ଜିତିବାକୁ ଫୋକସ କରୁଛି।

କିନ୍ତୁ ୨୦୧୯ ରେ ବିଜେପି ମିଶନ ୧୨୦ ର ନାରା ଦେଇ ନିର୍ବାଚନକୁ ଓଲ୍ହାଇଥିଲା। ଦଳ ସପକ୍ଷରେ ଏକ ବାତାବରଣ ତିଆରି ହୋଇଥିଲା। ଦଳର କେନ୍ଦ୍ରୀୟ ଓ ରାଜ୍ୟସ୍ତରର ନେତା ସବୁ ଶକ୍ତି ମଧ୍ୟ ଖଟାଇଥିଲେ। ସେପଟେ ମୋଦିଙ୍କ ହାୱା ମଧ୍ୟ ଥିଲା। ଏହା ସତ୍ତ୍ୱେ ମଧ୍ୟ ଦଳ ମାତ୍ର ୨୩ ଟି ବିଧାନସଭା ସିଟ ଜିତିବାକୁ ସକ୍ଷମ ହୋଇଥିଲା। ଏହା ବିଜେପିର ସବୁ ଶକ୍ତି ଖଟାଇବା ପରେ ହିଁ ସବୁଠୁ ଉନ୍ନତ ପ୍ରଦର୍ଶନ ଥିଲା ବୋଲି ଚର୍ଚ୍ଚା ହୁଏ।

ଏହା ପରବର୍ତ୍ତୀ ପର୍ଯ୍ୟାୟରେ ପଂଚାୟତ, ପୌର ନିର୍ବାଚନ ସହ ବହୁ ବିଧାନସଭା କ୍ଷେତ୍ରରେ ଉପନିର୍ବାଚନ ମଧ୍ୟ ହୋଇଛି। କିନ୍ତୁ ବିଜେପି ସେସବୁରେ ସେତେଟା ସଫଳ ହୋଇପାରି ନାହିଁ। ଏପରିକି ବ୍ରଜରାଜନଗର ଉପନିର୍ବାଚନରେ ବିଜେପି ନିଜର ଅମାନତ ହରାଇଛି। କେବଳ ଧାମନଗର ଉପନିର୍ବାଚନକୁ ଛାଡିଲେ ଦଳ ୨୦୧୯ ପରେ ଆଉ କୌଣସି ନିର୍ବାଚନରେ ସେତେ ସଫଳ ହୋଇନି।

ଏବେ ଦରଦାମ ବୃଦ୍ଧି ସହ ବିଭିନ୍ନ କେନ୍ଦ୍ରୀୟ ସଂସ୍ଥାକୁ ନିଜ କବଜାରେ ରଖିବା ଭଳି ଅଭିଯୋଗ ବିଜେପି ବିରୋଧରେ ହୋଇ ଆସୁଛି। ଏପରିକି ରାଜ୍ୟରେ କଂଗ୍ରେସ ସେତେଟା ସୁଦୃଢ଼ ହୋଇ ନ ଥିଲେ ମଧ୍ୟ ଶାସକ ବିଜେଡି ଆହୁରି ଭଲ ପ୍ରଦର୍ଶନ ପାଇଁ ପ୍ରସ୍ତୁତ ହେଉଛି। ସେପଟେ ବିଆରଏସ ମଧ୍ୟ ଦମଦାର ଢଙ୍ଗରେ ଓଡ଼ିଶାରେ ନିର୍ବାଚନ ଲଢ଼ିବା ନେଇ ଶକ୍ତି ଗୋଟାଉଛି।

ଏଭଳି ସ୍ଥିତିରେ ବିଜେପିର ସଂଖ୍ୟା ଓ ପ୍ରତିଶତ ଗଣିତ କେତେ ସଫଳତାର ସହ କାର୍ଯ୍ୟକାରୀ ହୋଇପାରିବ ତାକୁ ନେଇ ରାଜନୈତିକ ସ୍ତରରେ ଜୋରଦାର ଚର୍ଚ୍ଚା ହେଉଛି। ସେପଟେ ଶାସକ ବିଜେଡିରେ ବହୁ ଟିକେଟ ଆଶାୟୀଙ୍କ ସଂଖ୍ୟା ବଢ଼ୁଥିବାରୁ ଦଳ ପାଇଁ ଚିନ୍ତାର କାରଣ ହୋଇଛି। ଏଭଳି ସ୍ଥିତିରେ ଦଳୀୟ ଟିକେଟ ଯାହାକୁ ନ ମିଳିବ ସେ ବିଦ୍ରୋହୀ ଭୂମିକାରେ ଅବତୀର୍ଣ୍ଣ ହୋଇପାରେ ବୋଲି ଚର୍ଚ୍ଚା ହେଉଛି।

ଯାହାର ଫାଇଦା ବିଜେପିକୁ ମିଳିପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି। କିନ୍ତୁ ନିର୍ବାଚନ ଆହୁରି କିଛି ଦିନ ବାକି ଥିବାବେଳେ ରାଜ୍ୟ ରାଜନୀତିରେ ବହୁ ନୂଆ ସମିକରଣ ହେବାର ସମ୍ଭାବନା ରହିଛି। ତେଣୁ ଆଗକୁ ରାଜ୍ୟର ରାଜନୈତିକ ସ୍ଥିତି ଓ ବିଜେପିର ଭବିଷ୍ୟତ ଉପରେ ସମସ୍ତଙ୍କର ନଜର।

Leave A Reply

Your email address will not be published.