Latest Odisha News

BREAKING NEWS

ମହାପ୍ରଭୁଙ୍କ ସମସ୍ତ ରତ୍ନଭଣ୍ଡାର ଅଳଙ୍କାର ସୁରକ୍ଷିତ: ଶ୍ରୀମନ୍ଦିର ପ୍ରଶାସନ

ପୁରୀ : ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ନେଇ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁରୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ ସ୍ପଷ୍ଟୀକରଣ କରାଯାଇଛି । ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ମହାପ୍ରଭୁଙ୍କ ସମସ୍ତ ରତ୍ନାଳଙ୍କାର ସୁରକ୍ଷିତ ଭାବେ ଗଚ୍ଛିତ ରହିଛି ବୋଲି ଆଜି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ପଷ୍ଟିକରଣ ଦିଆଯାଇଛି ।

ଏକ ପ୍ରେସବିଜ୍ଞପ୍ତିରେ ଶ୍ରୀମନ୍ଦିର ପ୍ରଶାସନ ଜଣାଇଛନ୍ତି ଯେ, ରତ୍ନଭଣ୍ଡାରର ଦୁଇଟି ଭଣ୍ଡାରଗୃହ ରହିଛି ଯଥା- ଭିତର ଭଣ୍ଡାର ଏବଂ ବାହାର ଭଣ୍ଡାର । ତେବେ ବାହାର ଭଣ୍ଡାର ନଖୋଲି ଭିତର ଭଣ୍ଡାରକୁ ପ୍ରବେଶ କରିବା ସମ୍ଭବ ନୁହେଁ ।

ପୁରୀ ଜିଲ୍ଲାପାଳ ଏପ୍ରିଲ ୪ ତାରିଖରୁ ଚାବି ନଥିବା କଥା ଶ୍ରୀମନ୍ଦିର ପ୍ରଶାସନକୁ ଜଣାଇଥିଲେ । ବାହାର ଭଣ୍ଡାରକୁ ୧୯୮୫ ମସିହାରେ ଖୋଲାଯାଇଥିଲା । ତେବେ ସେତେବେଳେ ତିନୋଟି ତାଲା ମଧ୍ୟରୁ ଗୋଟିଏ ତାଲାରେ ଜଉମୁଦ ଦିଆଯାଇଥିଲା ଏବଂ ସେହି ଜଉମୁଦ ଏଯାଏଁ ମଧ୍ୟ ଅକ୍ଷତ ଅବସ୍ଥାରେ ରହିଥିବାର ଜଣାପଡ଼ିଛି । ତେଣୁକରି ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ମହାପ୍ରଭୁଙ୍କ ସମସ୍ତ ରତ୍ନାଳଙ୍କାର ଭଲଭାବେ ସଂରକ୍ଷଣ ହୋଇ ରହିଥିବାର ସ୍ପଷ୍ଟୀକରଣ କରିଛନ୍ତି ଶ୍ରୀମନ୍ଦିର ପ୍ରଶାସନ ।

ମାନ୍ୟବର ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଶ୍ରୀମନ୍ଦିର ପ୍ରଶାସନ ପ୍ରତ୍ନତତ୍ତ୍ୱ ବିଭାଗକୁ ରତ୍ନଭଣ୍ଡାର ମରାମତି ଲାଗି ଯାଞ୍ଚ କରିବାକୁ ଏହିବର୍ଷ ମାର୍ଚ୍ଚ ୨୨ ଓ ୨୯ ତାରିଖରେ ଅନୁମତି ଦେଇଥିଲେ । ଶ୍ରୀଜଗନ୍ନାଥ ମନ୍ଦିର ୧୯୫୫ ମସିହା ଆକ୍ଟ ଅନୁଯାୟୀ ପ୍ରଶାସନ ସରକାରଙ୍କୁ ଯାଞ୍ଚ ଲାଗି ଅନୁରୋଧ କରିଥିଲେ । ସରକାର ରତ୍ନଭଣ୍ଡାର ଯାଞ୍ଚ କରିବାକୁ ପ୍ରତ୍ନତତ୍ତ୍ୱ ବିଭାଗ (ଏଏସଆଇ)କୁ ଶ୍ରୀମନ୍ଦିର ପ୍ରଶାସନ ମାଧ୍ୟମରେ ଅନୁମତି ପ୍ରଦାନ କରିଥିଲେ । ଫଳରେ ଏପ୍ରିଲ ୪ ତାରିଖରେ ରତ୍ନଭଣ୍ଡାର ଯାଞ୍ଚ କରିବାକୁ ଦିନ ଧାର୍ଯ୍ୟ ହୋଇଥିଲା ।

ଶ୍ରୀମନ୍ଦିର ପ୍ରଶାସନର ଆଇନ ବା ଆକ୍ଟ ଅନୁଯାୟୀ, ଜିଲ୍ଲା ଟ୍ରେଜେରୀରେ ରହିଥିବା ରତ୍ନଭଣ୍ଡାର ଚାବିକାଠି ଜିଲ୍ଲାପାଳ ହସ୍ତାନ୍ତର କରିବା କଥା । କିନ୍ତୁ ଏପ୍ରିଲ ୪ ତାରିଖରେ ଜିଲ୍ଲା ଟ୍ରେଜେରୀରେ ଚାବି ନଥିବା କଥା ଶ୍ରୀମନ୍ଦିର ପ୍ରଶାସନକୁ ଅବଗତ କରାଇଥିଲେ ।

ସୂଚନାପାଇ ମନ୍ଦିର ପ୍ରଶାସନ ବାହାର ଭଣ୍ଡାର ଗୃହ ଚାବି ଖୋଲିଥିଲେ ମଧ୍ୟ ଭିତର ଭଣ୍ଡାର ଚାବି ନଥିବାରୁ ପ୍ରତ୍ନତତ୍ତ୍ୱ ବିଭାଗର ୧୭ ଜଣିଆ ଟିମ୍ ଭିତର ଭଣ୍ଡାର ଗୃହ ଯାଞ୍ଚ କରିବାରେ ଅକ୍ଷମ ହୋଇଥିଲେ ।

ତେବେ ବାହାର ଭଣ୍ଡାର ଗୃହରୁ ଭିତର ଭଣ୍ଡାର ଗୃହକୁ ଦେଖିପାରିଥିଲେ ଏଏସ୍ଆଇର ଯାଞ୍ଚ ଟିମ । କେବଳ ବାହାର ଭଣ୍ଡାରର ଗ୍ରୀଲ୍ ମଧ୍ୟଦେଇ ଭିତର ଭଣ୍ଡାରକୁ ଦେଖିପାରିଥିଲେ ଯାଞ୍ଚ ଟିମ୍ ର ସଦସ୍ୟମାନେ ।

ତେବେ ସେହିଦିନ ଶ୍ରୀମନ୍ଦିର ସବ-କମିଟି ପକ୍ଷରୁ ଏକ ବୈଠକ ଡ଼କାଯାଇ ହଜିଯାଇଥିବା ଚାବିକୁ ମୁଖ୍ୟ ପ୍ରସଙ୍ଗ କରାଯାଇଥିଲା । କିନ୍ତୁ ସେଦିନ ସଂଧ୍ୟାରେ ଭୁବନେଶ୍ୱର ସ୍ପେସାଲ ସର୍କିଟ ହାଉସରେ ଶ୍ରୀମନ୍ଦିର ପରିଚାଳନା କମିଟି ତରଫରୁ ଏକ ବୈଠକ ଡ଼କାଯାଇ ଚାବି ସମ୍ପର୍କରେ ସରକାରଙ୍କୁ ଅବଗତ କରାଯାଇଥିଲା । ଯେଉଁ ବୈଠକରେ ଅଧ୍ୟକ୍ଷତା କରିଥିଲେ ପୁରୀ ଗଜପତି ମହାରାଜା ।

ଏହି ଘଟଣାକ୍ରମରେ ଶ୍ରୀମନ୍ଦିର ନୀତି ପ୍ରଶାସକ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିରର ସମସ୍ତ ନଥିପତ୍ର ଯାଞ୍ଚ କରିଥିଲେ । ତେବେ ଏଥିରୁ ଜଣାପଡ଼ିଥିଲା ଯେ, ୧୯୮୫ ମସିହାରେ ପ୍ରାକ୍ତନ ଶ୍ରୀମନ୍ଦିର ଉପ-ପ୍ରଶାସକ ରବିନ୍ଦ୍ର ନାରାୟଣ ମିଶ୍ର ପ୍ରଶାସନକୁ ଭଣ୍ଡାର ଚାବି ହସ୍ତାନ୍ତର କରିଥିଲେ ।

ଶ୍ରୀମନ୍ଦିର ନୀତି ପ୍ରଶାସକ ନଥିପତ୍ର ଯାଞ୍ଚ କରି ଶ୍ରୀମନ୍ଦିର ପ୍ରଶାସନକୁ ତାଙ୍କର ରିପୋର୍ଟ ପ୍ରଦାନ କରିଥିଲେ । ତେବେ ଜିଲ୍ଲାପାଳଙ୍କୁ ମଧ୍ୟ ତାଙ୍କର ନଥିପତ୍ର ରେକର୍ଡ଼ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

ମୁଖ୍ୟମନ୍ତ୍ରୀଙ୍କ ବିଚାର ବିଭାଗୀୟ ତଦନ୍ତକୁ ସ୍ୱାଗତ କରି ଶ୍ରୀମନ୍ଦିର ପ୍ରଶାସନ ଚାବି ହଜିବା ନେଇ ତଦନ୍ତରେ ସମସ୍ତ ପ୍ରକାର ସାହାଯ୍ୟ କରି ରିପୋର୍ଟ ପ୍ରଦାନ କରିବାକୁ ସମ୍ମତି ପ୍ରକାଶ କରିଥିଲେ ।

ତେବେ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ମହାପ୍ରଭୁଙ୍କ ଗଚ୍ଛିତ ମୁଲ୍ୟବାନ ରତ୍ନାଳଙ୍କାର ସୁରକ୍ଷିତ ରହିଥିବାର ସ୍ପଷ୍ଟୀକରଣ କରିଛନ୍ତି ଶ୍ରୀମନ୍ଦିର ପ୍ରଶାସନ ।

କିନ୍ତୁ ଏଠାରେ କହିବା ବାହୁଲ୍ୟଯେ, ଭିତର ଭଣ୍ଡାର ସମ୍ପର୍କରେ ଗଣମାଧ୍ୟମରେ ଯେପରି ଖବର ପ୍ରସାରିତ କରାଗଲା ସେନେଇ ଭକ୍ତମାନେ ବିବ୍ରତ ହୋଇପଡ଼ିଥିଲେ । ଗଣମାଧ୍ୟମରେ ପ୍ରସାରିତ ଖବର ଅନୁସାରେ ଭକ୍ତମାନେ ମହାପ୍ରଭୁଙ୍କ ରତ୍ନାଳଙ୍କାର ସୁରକ୍ଷିତ ରହିବା ନେଇ ସନ୍ଦେହ ପ୍ରକାଶ କରିଥିଲେ । ତେବେ ରତ୍ନଭଣ୍ଡାରରେ ଗଚ୍ଛିତ ରହିଥିବା ଅଳଙ୍କାରର ସୁରକ୍ଷା ନେଇ ଆଦୌ ଚିନ୍ତିତ ନହେବାକୁ ମନ୍ଦିର ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି ।

Leave A Reply

Your email address will not be published.