Latest Odisha News

BREAKING NEWS

Raid at Medicine Stores:୨୨୦ଟି ଔଷଧ ଦୋକାନରେ ଚଢ଼ଉ;ଏହି ଜିଲ୍ଲାରୁ ୧୦ଲକ୍ଷର ନିଶା ଇଞ୍ଜେକସନ୍‌ ଓ ଯନ୍ତ୍ରପାତି ଜବତ

ଭୁବନେଶ୍ବର: ରାଜ୍ୟବ୍ୟାପୀ ଔଷଧ ଦୋକାନରେ ଚଢ଼ଉ ଜାରି ରହିଛି । ନିଶାମୁକ୍ତ ଅଭିଯାନ ଅଧୀନରେ ଚଳିତମାସ ପହିଲାରୁ ଚଢ଼ଉ ଆରମ୍ଭ ହୋଇଛି। ପୋଲିସ ଓ ଭେଷଜ ନିର୍ଦ୍ଦେଶାଳୟର ମିଳିତ ସହଯୋଗରେ ଏହି ଚଢ଼ଉ ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ମୋଟ ୨୨୦ଟି ଔଷଧ ବିକ୍ରି ପ୍ରତିଷ୍ଠାନରେ ଚଢ଼ଉ କରାଯାଇଛି । ରାଜ୍ୟର ବିଭିନ୍ନ ହୋଲ୍‌ସେଲ୍‌ ଓ ଖୁଚୁରା ଔଷଧ ବିକ୍ରୟ ପ୍ରତିଷ୍ଠାନରେ ବ୍ୟାପକ ଚଢ଼ଉ ଚାଲିଛି।

ଚଢ଼ଉ ହୋଇଥିବା ଔଷଧ ଦୋକାନ ମଧ୍ୟରେ ୧୩୭ଟି ପ୍ରତିଷ୍ଠାନ ବିରୋଧରେ ଡ୍ରଗ୍‌ ଏଣ୍ଡ କସ୍‌ମେଟିକ୍‌ସ ଆଇନ, ୧୯୪୦ ଓ ଏହା ଅଧୀନରେ ପ୍ରଣୀତ ନିୟମାବଳୀର ଉଲ୍ଲଂଘନ ନେଇ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଛି।

କେନ୍ଦ୍ରାପଡ଼ା ଜିଲ୍ଲାରେ ହୋଇଥିବା ଏକ ଚଢ଼ଉ ସମୟରେ ୧୧୦୦ ଆମ୍ପୁଲ୍ ପେଣ୍ଟାଜୋସିନ୍ ଇଞ୍ଜେକ୍ସନ୍ ସମେତ ଅନ୍ୟାନ୍ୟ ଔଷଧ ଓ ମେଡିକାଲ୍ ଯନ୍ତ୍ରପାତି ଜବତ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧୦ଲକ୍ଷ।

ସେହିପରି ପୁରୀ ଜିଲ୍ଲାର ଅସ୍ତରଙ୍ଗ ଥାନା, ନୂଆପଡ଼ା ଜିଲ୍ଲାର ଜୋଙ୍କ ଥାନା ଓ ଦେବଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଲାଇସେନ୍‌ସବିହୀନ ପ୍ରତିଷ୍ଠାନରୁ ପ୍ରାୟ ୨ଲକ୍ଷ ଟଙ୍କା ମୂଲ୍ୟର ଔଷଧ ଜବତ କରାଯାଇଛି। ଏହି ଘଟଣାଗୁଡ଼ିକରେ ଦୋଷୀ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।

ଏହି ଅଭିଯାନରେ ଆସିଷ୍ଟାଣ୍ଟ ଡ୍ରଗ୍‌ସ କଣ୍ଟ୍ରୋଲର ଓ ଡ୍ରଗ୍‌ ଇନ୍ସପେକ୍ଟରମାନେ ସାମିଲ ହୋଇଛନ୍ତି। ଏହା ଆସନ୍ତା ୧୫ତାରିଖ ପର୍ଯ୍ୟନ୍ତ ଚାଲିବ।

ଚଢ଼ଉ ସମୟରେ ଆଲ୍‌ପ୍ରାଜୋଲାମ୍, ନାଇଟ୍ରାଜେପାମ୍, ପେଣ୍ଟାଜୋସିନ୍, ଟ୍ରାମାଡୋଲ୍‌ ଭଳି ସାଇକୋଟ୍ରୋପିକ୍ ଔଷଧର କ୍ରୟ ଓ ପଞ୍ଜୀକୃତ ଚିକିତ୍ସକଙ୍କ ବୈଧ ପ୍ରେସ୍‌କ୍ରିପ୍‌ସନ୍‌ ଆଧାରରେ ଏହାର ବିକ୍ରୟ କରାଯାଇଛି କି ନାହିଁ ତାହାର ଯାଞ୍ଚ କରାଯାଉଛି।

Leave A Reply

Your email address will not be published.