ଭୁବନେଶ୍ୱର: ବାତ୍ୟା ମୁରାସୁ’ ‘ର ପ୍ରଭାବ ଏବଂ ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏବଂ ସ୍ୱତନ୍ତ୍ର ରିଲିଫ୍ କମିଶନର (SRC) କାର୍ଯ୍ୟାଳୟ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଦକ୍ଷିଣ ଓଡ଼ିଶାର ପ୍ରଭାବିତ ଜିଲ୍ଲାଗୁଡ଼ିକରେ ସ୍ଥାନାନ୍ତରଣ ଓ ରିଲିଫ୍ କାର୍ଯ୍ୟ ଜାରି ରହିଛି।
ଗଜପତି, ଗଞ୍ଜାମ, ମାଲକାନଗିରି, କୋରାପୁଟ ଏବଂ କନ୍ଧମାଳ ଜିଲ୍ଲାରୁ ମୋଟ ୧,୬୦,୦୨୧ ଜଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି। ବିପଦସଙ୍କୁଳ ଅଞ୍ଚଳରୁ ମୋଟ ୩,୩୩,୭୫୨ ଜଣଙ୍କୁ ସ୍ଥାନାନ୍ତର କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ସବୁଠାରୁ ଅଧିକ ଗଞ୍ଜାମ ଜିଲ୍ଲାରୁ ୧,୫୧,୪୩୪ ଜଣଙ୍କୁ ଅଣାଯାଇଛି।
ଏହି ସବୁ ଜିଲ୍ଲାରେ ଲୋକଙ୍କ ରହଣି ପାଇଁ ରାଜ୍ୟରେ ମୋଟ ୨,୪୪୧ଟି ଆଶ୍ରୟସ୍ଥଳୀ ପ୍ରସ୍ତୁତ କରାଯାଇଥିବାବେଳେ ସେଥିମଧ୍ୟରୁ ୫୫୨ଟି ଆଶ୍ରୟସ୍ଥଳୀ ବର୍ତ୍ତମାନ କାର୍ଯ୍ୟକ୍ଷମ ରହିଛି। ସେହିପରି ବିଭିନ୍ନ ଜିଲ୍ଲାରୁ ମୋଟ ୧,୦୬୮ ଜଣ ଗର୍ଭବତୀ ମହିଳାଙ୍କୁ ଚିହ୍ନଟ କରାଯାଇ ସୁରକ୍ଷିତ ଭାବେ ଡାକ୍ତରଖାନା କିମ୍ବା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି।
ସମସ୍ତ ସମ୍ପୃକ୍ତ ଜିଲ୍ଲାରେ ଜିଲ୍ଲା ଜରୁରୀକାଳୀନ କାର୍ଯ୍ୟାଳୟ (DEOC) ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ରହିଛି ଏବଂ ପରିସ୍ଥିତି ଉପରେ କଡ଼ା ନଜର ରଖିବା ପାଇଁ ବରିଷ୍ଠ ଅଧିକାରୀମାନଙ୍କୁ ମଧ୍ୟ ମୁତୟନ କରାଯାଇଛି। ଆହୁରି ମଧ୍ୟ ଦକ୍ଷିଣ ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଜାରି ରହିଥିବାବେଳେ ସ୍ଥିତିକୁ ଦୃଷ୍ଟିରେ ରଖି ବିପଦପୂର୍ଣ୍ଣ ଜିଲ୍ଲାଗୁଡ଼ିକରେ ସ୍କୁଲ, କଲେଜ ଓ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।
