Latest Odisha News

BREAKING NEWS

ଗ୍ରାହକଙ୍କ ଟଙ୍କା ଜମା ନ କରି ଲୁଟିନେଲେ କର୍ମଚାରୀ: ଅଡିଟ ବେଳେ ଧରାପଡିଲେ

ଅନୁଗୋଳ: ଆଇସିଆଇସିଆଇ ବ୍ୟାଙ୍କରୁ ୧ କୋଟି ୮୫ଲକ୍ଷ ଟଙ୍କା ଲୁଟ । ଅଡିଟ ବେଳେ ସାମ୍ନାକୁ ଆସିଛି ଏମିତି ସାଂଘାତିକ ତଥ୍ୟ । ବ୍ୟାଙ୍କର ଜଣେ  କର୍ମଚାରୀ ଗ୍ରାହକଙ୍କ ଟଙ୍କା ଜମା  ନ କରି ହଡପ କରି ନେଇଥିବା ଅଭିଯୋଗ ହୋଇଛି । ଏ ନେଇ ବ୍ୟାଙ୍କ କର୍ତ୍ତୃପକ୍ଷ ଛେଣ୍ଡିପଦା ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଜଣେ ବ୍ୟାଙ୍କ କର୍ମଚାରୀଙ୍କୁ ଅଟକ ରଖି ଘଟଣାର ତଦନ୍ତ ଚଳାଇଛି ।

ଅନୁଗୋଳ ଜିଲା ଛେଣ୍ଡିପଦାରେ ଥିବା ଆଇସିଆଇସିଆଇ ବ୍ୟାଙ୍କରେ ଗତ ୩ ଦିନ ହେବ ଅଡିଟ ଚାଲିଥିଲା । ଅଡିଟ ବେଳେ   ୧କୋଟି ୮୫ଲକ୍ଷ ୫୦ହଜାର ଟଙ୍କାର ହିସାବ ମିଳି ନଥିଲା । ଏ ନେଇ ଅଡିଟର୍ ବ୍ୟାଙ୍କର ଉଚ୍ଚ‌ପ‍ଦସ୍ଥ ଅଧିକାରୀଙ୍କୁ ଜଣାଇଥିଲ‍େ । ଏ ନେଇ ବ୍ୟାଙ୍କର ଆଞ୍ଚଳିକ ମୁଖ୍ୟ ଅତ୍ୟୁଲ୍ୟ କୁମାର ପାଟ୍ଟଯୋଶୀ ଛେଣ୍ଡିପଦା ଶାଖାକୁ ଆସି ଘଟଣାର ତଦନ୍ତ କରିଥିଲେ ।  ଏହି ଘଟଣାରେ ଛେଣ୍ଡିପଦା ଆଇସିଆଇସିଆଇ ବ୍ୟାଙ୍କର କର୍ମଚାରୀ ଆକାଶ ଭାରତୀଙ୍କର ସମୃକ୍ତି ଥିବା ନେଇ ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା ରୁଜୁ କରିବା ସହିତ ସଂମ୍ପୃକ୍ତ କର୍ମଚାରୀଙ୍କୁ ଅଟକ ରଖି ଘଟଣାର ତଦନ୍ତ ଚଳାଇଛି । ଏ ନେଇ ଛେଣ୍ଡିପଦା ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ କର୍ମଚାରୀ ଜଣକ ବ୍ୟାଙ୍କକୁ ଡିପୋଜିଟ ପାଇଁ ଆସୁଥିବା ଟଙ୍କାକୁ  ଡିପୋଜିଟ୍ ନକରି ଆତ୍ମସାତ କରିଛନ୍ତି । ତେବେ ଘଟଣାର ତଦନ୍ତ ଚାଲିଛି , ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ କହିଛି ।

Leave A Reply

Your email address will not be published.