ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ “ଶବ୍ଦ ତୂଣୀର”
ଓଡ଼ିଶା ପରି ଅନ୍ଧକୂପରେ ନବବାବୁଙ୍କ ଦରିଆଦିଲ୍କୁ କିଏ ବୁଝିବ ? କିଏ ବୁଝିବ ଯେ କାହିଁକି ଗାନ୍ଧି ତାଙ୍କୁ କୋଳେଇ ନେଉଥିଲେ, ନେହରୁ ତାଙ୍କ ବ୍ୟକ୍ତିଗତ ଶୟନକକ୍ଷର ଦ୍ୱାର ମଧ୍ୟ ତାଙ୍କ ପାଇଁ ଯେକୌଣସି ମୁହୂର୍ତ୍ତ ରେ ଖୋଲା ରଖୁଥିଲେ ? ହଁ, ସେ ଥିଲେ ସେହିଭଳି ସେଦିନର ମହାନ୍ ନେତୃପୁରୁଷମାନଙ୍କର ପରମ ବିଶ୍ୱାସ ଭାଜନ ଆଉଜଣେ ମହାନ୍ ଜନନାୟକ । ତାଙ୍କୁ କ୍ଷମତାର ପଶାପାଲିରେ ଗୋଟିଚାଳନା କରିବାର କୁଟକୌଶଳ ଜଣା ନଥିଲା । ତାଙ୍କ ସମକାଳୀନ ବହୁ ଓସ୍ତାଦ୍ ରିଙ୍ଗ୍ମାଷ୍ଟରଙ୍କ ପରି ସେ ରାଜନୀତିକୁ ସର୍କସ୍ ସୋ’ ବାଜି କରି ମଞ୍ଚ ମଣ୍ଡନ କରିବାକୁ ଚାହୁଁନଥିଲେ । ମୁଖ୍ୟମନ୍ତ୍ରୀ ଥିବାବେଳେ ବି ଚାଲି ଯାଉଥିଲେ ଓଡ଼ିଶାର ଅଜଣାଅଶୁଣା କାହିଁ କେତେ ଅନ୍ଧାରୀମୂଲକକୁ । ସେଠି ମାମୁଲି ମଣିଷମାନଙ୍କ ଭଙ୍ଗା ଭାତହାଣ୍ଡିର ଖବର ବୁଝୁଥିଲେ, ଚୂଲିମୁଣ୍ଡର ନିଆଁରେ ପୋଡିଯାଇଥିବା ରୁଟିର ବାସ୍ନା ଭିତରେ ତେଲଲୁଣର ଜୀବନଗାଥା ଶୁଣୁଥିଲେ । ନବକୃଷ୍ଣ ଚୌଧୁରୀ ହେଉଛନ୍ତି ଗୋପବନ୍ଧୁଙ୍କ ପରେ ସେଇ ଦ୍ୱିତୀୟ ଦରଦୀମରମୀ ମଣିଷ, ଯାହାଙ୍କୁ କ୍ଷମତାରୁ ତଡିବା ପାଇଁ ସଭାଜନମାନେ ଚକ୍ରାନ୍ତ କରୁଥିଲେ ବି ଓଡିଶାର ଅଭାଜନମାନେ ମନେରଖିଛନ୍ତି ମନର ମଣିଷ ପରି !
ନବକୃଷ୍ଣ ଚୌଧୁରୀଙ୍କ ପରି ବିରଳ ଜନନେତା ଆଉ ମିଳିବା କଷ୍ଟକର । କୌଣସି ପରିସ୍ଥିତିରେ ସେ କେବେ ଆଦର୍ଶରୁ ବିଚ୍ୟୁତ ହୋଇନଥିଲେ । ସେ ଏକ ସଂଗ୍ରାମୀ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବଡଭାଇ ଗୋପବନ୍ଧୁ ଚୌଧୁରୀ, ରମାଦେବୀ, ମନମୋହନ ଚୌଧୁରୀ, ମାଳତୀ ଚୌଧୁରୀ, ଅନ୍ନପୁର୍ଣ୍ଣା ମହରଣା ପ୍ରମୁଖ ତାଙ୍କ ପରିବାରରେ ସମସ୍ତେ ଥିଲେ ଜଣେ ଜଣେ ଉତ୍ସର୍ଗୀକୃତ । ତାଙ୍କ ବୈଚିତ୍ର୍ୟମୟ ଜୀବନରେ ସେ ଯେଉଁସବୁ ଜନହିତକର କାର୍ଯ୍ୟ କରିଯାଇଛନ୍ତି ତାହା ବର୍ଣ୍ଣନା କରିବା କଷ୍ଟକର । ୧୯୦୧ ମସିହା ନଭେମ୍ବର ୨୩ ତାରିଖରେ ଜନ୍ମଗ୍ରହଣ କରି ୧୯୮୪ ମସିହା ଜୁନ୍ ୨୪ ତାରିଖ ଦୀର୍ଘ ୮୩ ବର୍ଷର ସଂଗ୍ରାମମୟ ଜୀବନର ଇତିହାସ ଏପର୍ଯ୍ୟନ୍ତ ପୂର୍ଣ୍ଣାଙ୍ଗ ଲେଖା ହୋଇପାରିନି ।
ଆଜି ଯଦି ମୁଁ କିଛି ଲେଖାଲେଖି କରୁଥାଏ – ସେ ସବୁର ମୂଳରେ ନବକୃର୍ଷ୍ଣ ଚୌଧୁରୀ । ସେଦିନ ଥିଲା ୧୯୭୫ ମସିହା ଜୁନ୍ ୨୭ ତାରିଖ । ଦେଶରେ ଜରୁରୀକାଳୀନ ପରିସ୍ଥିତି ଜୁନ୍ ୨୬ ରାତ୍ରିରେ । ଦୁନିଆ ସ୍ତବ୍ଧ । ସେତେବେଳର ପ୍ରଧାନମନ୍ତ୍ରୀ ଇନ୍ଦିରାଗାନ୍ଧୀ ନିର୍ବାଚନରେ ହାରିଯିବାରୁ ରାଷ୍ଟ୍ରପତି ଜୈଲ ସିଂଙ୍କ ଦ୍ୱାରା ଜରୁରିକାଳୀନ ପରିସ୍ଥିତି ଘୋଷଣାକଲେ । ଜୁନ୍ ୨୬ ତାରିଖ ରାତିରୁ ଆରମ୍ଭ ହେଲା – ଗିରଫଦାରୀ । ପ୍ରଥମେ ଜୟପ୍ରକାଶ ନାରାୟଣ, ବିଜୁ ପଟ୍ଟନାୟକଙ୍କ ସମେତ ବହୁନେତାଙ୍କୁ ଗିରଫ କରାଗଲା । ୨୭ ତାରିଖରେ ଦେଶର ପୁଲିସ୍ବାହିନୀ ଗୋଡେଇଗୋଡେଇ ଛୋଟରୁ ବଡନେତା ପର୍ଯ୍ୟନ୍ତ ଗିରଫ କରି କାରାଗାରରେ ନିକ୍ଷେପ କଲେ । ମତେ ମଧ୍ୟ ପୋଲିସ୍ବାଲା ସୁକିନ୍ଦାଗଡରୁ ଗିରଫ କରି କଟକ ସେଣ୍ଟ୍ରାଲ ଜେଲ୍କୁ ଆଣିଲେ । ଜେଲ୍ ଭିତରେ ପଶୁପଶୁ ନିର୍ଦ୍ଧାରିତ କୋଠରିରେ ପହଞ୍ଚିଲା ବେଳେ ଦୂରରୁ ଶୁଭିଲା – ମାୟାଧର ! ଆସ, ଆସ ।
ଏ କଣ୍ଠସ୍ୱର ଆଉ କାହାର ନୁହେଁ – ସେ ହେଉଛନ୍ତ – ଓଡିଶାର ପୂର୍ବତନ ମୂଖମନ୍ତ୍ରୀ ଜୟପ୍ରକାଶ ନାରାୟଣଙ୍କ – ସମ୍ପୂର୍ଣ୍ଣ କ୍ରାନ୍ତିର କାଣ୍ଡାରୀ, ସମାଜବିଜ୍ଞାନୀ, ଚିନ୍ତକ ନବକୃଷ୍ଟ ଚୌଧୂରୀ ।
ପରେପରେ ଜେଲ କୋଠରୀ ଭିତରୁ ବାହାରି ଆସିଲେ – ଅଶୋକ ଭାଇ ! ଅଶୋକ ଦାସ । ସେ ବି ଥିଲେ ମୋ ଭଳି ସମ୍ପୂର୍ଣ୍ଣ କ୍ରାନ୍ତିର ସୈନିକ । ଅଶୋକ ଭାଇଙ୍କ ସଂଗେ ଅନେକ ବିଷୟରେ କଥାବାର୍ତା ହେଲା । ମଧ୍ୟାହ୍ନଭୋଜନ ପରେ ନବବାବୁ ଓ ମୁଁ ବସି ଅନେକ ବିଷୟରେ ଆଲୋଚନା କଲୁ । ସେ କହିଲେ – ମାୟାଧର, ତମ ପାର୍ଟିରେ ସବୁ ବଙ୍ଗଳା ଅନୁବାଦ ଓଡ଼ିଆ ବହି ପଢିଛି । ଅନେକ ସ୍ଥାନରେ ମୁଁ ବି ବୁଝିପାରେନା – ତମେମାନେ ଯେଉଁ ସର୍ବହରା ଶ୍ରେଣୀର ମୁକ୍ତିପାଇଁ ଲଢୁଛ – ସେମାନେ ନବୁଝିଲେ ଲଢିବେ କିପରି ? ତୁମେ ଗୋଟେ କାମ କର – ତୁମେ ଜନଗଣକୁ ବିପ୍ଲବୀ ଚେତନାରେ ଉଦ୍ବୋଧ କରିବା ପାଇଁ ଉପନ୍ୟାସ, ଗଳ୍ପ ଲେଖ । ଯେପରି ଟଲ୍ଷ୍ଟୟଙ୍କର ‘ପୁନର୍ଜୀବନ’, ଗର୍କିଙ୍କର ‘ମା’, ଶରତଚନ୍ଦ୍ରଙ୍କର ‘ଚଲାପଥର ଦାବୀ’, ଉପନ୍ୟାସ ଆମକୁ ଉଦ୍ବୁଦ୍ଧ କରିଥାଏ । ସେ ଜୋର୍ ଦେଇ କହିଲେ – କ’ଣ ଲେଖିବନା ? ମୁଁ ହଁ ମାରିଲି ।
ତା’ ପରଦିନ ତାଙ୍କୁ କଟକ ସେଣ୍ଟ୍ରାଲ ଜେଲରୁ ଅନ୍ୟ ଜେଲକୁ ବଦଳି କରାଗଲା । ନବବାବୁ ବଦଳି ହେବାର ୩ ମାସ ଗଡି ଗଲାଣି । କଟକ ସେଣ୍ଟ୍ରାଲ ଜେଲ୍ରେ ପାଖାପାଖି ମୋତେ ଲଗାଇ ୪୧ ଜଣ ‘ମିସା’ ବନ୍ଦୀ ରହିଲେଣୀ । ମୁଁ ୩ ମାସ ଭିତରେ ୩ଟି ବାକ୍ୟ ମଧ୍ୟ ଲେଖିପାରିଲି ନାହିଁ । ଆମେ ଶ୍ରୀକାନ୍ତ ଜେନା, ପଞ୍ଚାନନ କାନୁନ୍ଗୋ, ଜନାର୍ଦ୍ଦନ ପତି ମିଶି ତାସ ଖେଳୁଥିଲୁ, କ୍ୟାରମ୍ ଖେଳୁଥିଲୁ । ଆମ ସହିତ କବି ରବି ସିଂ, ସମାଜସେବୀ ଅରୁଣ ପଣ୍ଡା ମଝିମଝିରେ ଯୋଗଦେଉଥିଲେ । ମନମୋହନ ଚୌଧୁରୀ, ମଦନମୋହନ ସାହୁ, ରବି ସାହୁ, ଯୁଧିଷ୍ଠିର ଦାସ, କୃଷ୍ଣଚନ୍ଦ୍ର ପାତ୍ର, ସଂଗ୍ରାମ ମହାପାତ୍ର, ରାଜୁ ସିଂ, ସାରଦା ମହାନ୍ତି, ଅମର ଶତପଥୀ, ନଦିଆ ବିହାରୀ ମହାନ୍ତି, ଶେଷଦେବ ନନ୍ଦ, ରମେଶ ଅଲ୍ଲିବେଶାନ୍ତ, ବରହମପୁରର ଅବୀର ପାଢୀ, ବିଶ୍ୱଭୂଷଣ ହରିଚନ୍ଦନ, ବିନୋଦ ମହାନ୍ତି, ଭୂପେନ୍ ବୋଷ, ତ୍ରିଲୋଚନ କାନୁନ୍ଗୋ, ପ୍ରତାପ ମହାନ୍ତି, ଗୁରୁଚରଣ ଦାସ, କୃଷ୍ଣକେଶବ ମିଶ୍ର, ଓମ୍ ପ୍ରକାଶ ଅଗ୍ରୱାଲା ପ୍ରମୁଖ ଜେଲ୍ରେ । ଆମେ ସମସ୍ତ ମିସାବନ୍ଦୀମାନଙ୍କ ମୁରବୀ ଥିଲେ – ପଦ୍ମଚରଣ ସାମନ୍ତସିଂହାର । ସବୁଦିନେ ଲେଖିବାକୁ ଇଚ୍ଛାକରେ । ହେଲେ ଧାଡିଏ ବି ଲେଖା ହେଉନଥାଏ । କିନ୍ତୁ ନବବାବୁଙ୍କ ଆଦେଶ – ଲେଖ। ସେ ଆଦେଶକୁ ଅମାନ୍ୟ କରିବ କିଏ ?
ଜେଲରେ ସେତେବେଳେ ଭାରି କଟକଣା । କାଗଜ କଲମ ନାହିଁ । ଆମ ୪୧ ଜଣ ‘ରାଜବନ୍ଦୀ’ ହୋଇଥିବାରୁ କିଛି ସୁବିଧାସୁଯୋଗ ଥାଏ । ସମସ୍ତଙ୍କ ପାଇଁ ସେତେବେଳର ବାଟା ସ୍ପଞ୍ଜ ଚପଲ ହଳେହଳେ ମିଳିଥାଏ । ଜୋତାଖୋଳସବୁ ସମସ୍ତଙ୍କ ଖଟତଳେ ପଡିଥିଲା । ସେସବୁକୁ ସାଉଁଟି ରଖିଲି । ଜୋତାଖୋଳରେ ପେନ୍ସିଲରେ ଆରମ୍ଭ କଲି – ‘ଦାନାକନା’ ଉପନ୍ୟାସ । ଆଦିମସମାଜରୁ ଭବିଷ୍ୟତରେ ସାମ୍ୟବାଦୀ ସମାଜ ପର୍ଯ୍ୟନ୍ତ । କି ନିଶା ଲାଗିଲା କେଜାଣି – ମନରେ ନିଆଁ ଚରିଗଲା । ଦିନରେ ପଢିଲି – ରାତିସାରା ଲେଖିଲି । ଜେଲ୍ରେ ୧୬ ମାସ ବେଳକୁ ‘ଦାନକନା’ର ଉପନ୍ୟାସର ମୁଣ୍ଡି ମାରିଲି । ତା’ ଭିତରେ ଗଳ୍ପ, କବିତା, ଛୋଟି ଉପନ୍ୟାସ ମଧ୍ୟ ଲେଖୁଥାଏ । ଲେଖିବା ପୂର୍ବରୁ ମୋ ମାନସଚକ୍ଷୁରେ ନବ ବାବୁଙ୍କ ଉଜ୍ଜ୍ୱଳ ମୁହଁ ଝଲସି ଉଠୁଥାଏ ।
ନବକୃଷ୍ଣ ଚୌଧୁରୀ ଓଡ଼ିଶାର ୨ୟ ମୁଖ୍ୟମନ୍ତ୍ରୀ । ୧୯୪୭ – ୧୯୫୦ ହରେକୃଷ୍ଣ ମହତାବ । ୧୯୫୦ – ୧୯୫୬ ନବକୃଷ୍ଣ ଚୌଧୁରୀ – ପୁଣି ୧୯୫୬ – ୧୯୬୧ ହରେକୃଷ୍ଣ ମହତାବ ମୁଖ୍ୟମନ୍ତ୍ରୀ – ଏବେ ୧୮ ତମ ମୁଖ୍ୟମନ୍ତ୍ରୀ ନବୀନ୍ ପଟ୍ଟନାୟକ । ନବବାବୁ ୧୯୫୬ ମସିହାରେ ଯେଉଁଦିନ ଇସ୍ତଫା ଦେଲେ, ସେଦିନ ସରକାରୀ ବଙ୍ଗଳା ଛାଡି ତାଙ୍କ ବେଡିଙ୍ଗ୍ ଓ ବ୍ୟାଗ୍ କାଖରେ ଜାକି ବସରେ ରାଜଧାନୀରୁ କଟକ ଆସିଲେ ।
ଏ କଥା ପିଲାବେଳେ ଶୁଣିଥିଲି । ସେହି ଦିନଠାରୁ ନବବାବୁଙ୍କୁ ଦେଖିବା ପାଇଁ ମନ ଡାକୁଥିଲା । ସୁଯୋଗକ୍ରମେ ୧୯୭୪ ମସିହାରେ ଜୟ ପ୍ରକାଶଙ୍କ ନେତୃତ୍ୱରେ ‘ ସମ୍ପୂର୍ଣ୍ଣ କ୍ରାନ୍ତି ’ ସଂଗ୍ରାମରେ ସାମିଲି ହେଲି । ନବ ବାବୁଙ୍କ ସହ ମିଶିଲି । ତାଙ୍କୁ ସୁକିନ୍ଦା – ଭୂବନ ସଭାକୁ ନେଲି । ସେଦିନ ସୁକିନ୍ଦାଗଡରେ ବସରୁ ନବବାବୁ ଓହ୍ଲାଇ ମୋ ପାଖକୁ ଆସି ବ୍ୟାଗରୁ ତାଳସଜ
ବାହାରକରି ଖାଇବାକୁ ଦେଲେ । ତାଙ୍କ ସହ ୭ ଦିନ ବିତାଇଲି । ତାଙ୍କୁ ଦେଖାକରିବା ପାଇଁ କଟକ କାଠଜୋଡି ଘର ଅନୁଗୁଳ ବାଜିରାଉତ ଆଶ୍ରମକୁ ଯାଇଛି । ନବବାବୁ, ମାଳତୀ ଚୌଧୁରୀ (ନୂମା)ଙ୍କ ସହ ମିଶିଛି । ‘ନୂମା’ କହିଲେ : ମାୟାଧର ମୁଁ ମରିଗଲେ ମୋତେ ନେଇ ସୁକିନ୍ଦାରେ ସମାଧି ଦେବ ।
ଏତେବଡ ରାଜନେତା, ମହାତ୍ମା ଗାନ୍ଧୀଙ୍କ ସହଯୋଗୀ । ଏତେ ସରଳ ଜୀବନଯାପନ – ପୁଣି ସ୍ୱେହଶ୍ରଦ୍ଧାର ସାଗରରେ ।
ସେହି ଯୋଗଜନ୍ମା – ମଣିଷ ପରି ମଣିଷଟିଏ – ଯୋଦ୍ଧୃପୁରୁଷ ନବକୃଷ୍ଣ ଚୌଧୁରୀଙ୍କୁ ଜଣାଉଛି ସହସ୍ରସଲାମ୍ ।
ଯାଜପୁର ରୋଡ, ଯାଜପୁର
ମୋ – ୯୮୬୧୦୩୪୧୬୩
Comments are closed.