ପ୍ରିୟମ୍ବଦା ସାମଲ
ଅସ୍ତମିତ ଯେବେ ହୁଅଇ ଭାସ୍କର
ବୁଣି ସ୍ୱର୍ଣ୍ଣିମ ରଙ୍ଗ
ବର୍ଣ୍ଣମୟ ଦିଶେ ଗଗନ ମଣ୍ଡଳ
ରାତ୍ରିରାଣୀ ଦିଏ ସଙ୍ଗ।
ଚନ୍ଦ୍ରମାଠାରୁ ଶୀତଳତା ନେଇଣ
ହସୁଥାନ୍ତି ଦିବ୍ୟ ପୁଷ୍ପ
ସୁଗନ୍ଧରେ ଭରା ହୃଦ ଚିତ୍ତଚୋରା
ରାତ୍ରି ଶୋଭା ଅପରୂପ।
ଭୁରୁ ଭୁରୁ ବାସ୍ନା ପରସି ଶେଫାଳୀ
ଯେବେ ପ୍ରଷ୍ଫୁଟିତ ହୁଏ
ମାଦକରେ ଭରା ସୌରଭର ରେଣୁ
ବିତରି ବିତରି ଯାଏ।
କ୍ଷୁଦ୍ର କୁସୁମ ସୁଷମା ଯେ ଅମାପ
ସଭି ମନ ମୋହିଥାଏ
ସମୀରର ସାଥେ ତାଳ ଦେଇ ବାସ୍ନା
ଦିଗ୍ ବିଦିଗ ଛୁଟାଏ।
ରାତ୍ରିକ ଜୀବନ ନାହିଁ ଟାଣପଣ
ନମନୀୟ ଯେ ଶେଫାଳୀ
କ୍ଷଣିକ ଆୟୁଷ ନାହିଁ ଅବଶୋଷ
ସୁବାସେ ପୂଜାର ଥାଳି।
ଶୁଭ୍ର ଶରୀରରେ ସୁଗନ୍ଧରେ ଭରା
ଶୁଭ୍ର ରାତ୍ରିର ରାଣୀ
କୋମଳାଙ୍ଗୀ ଶେଫାଳୀ ଗଙ୍ଗଶିଉଳୀ
ମହକାଏ ଏ ଧରଣୀ।
ଭୁବନେଶ୍ଵର