Latest Odisha News

BREAKING NEWS

ଢେଙ୍କାନାଳ ଲୋକସଭା ଆସନ: ପୁଣିଥରେ ମହେଶ-ରୁଦ୍ର ଲଢେଇ !

ଢେଙ୍କାନାଳ: ଢେଙ୍କାନାଳ ସାଂସଦ ତଥା ବିଜେଡ଼ି ନେତା ମହେଶ ସାହୁ ଓ ବିଜେପିର ରୁଦ୍ରନାରାୟଣ ପାଣିଙ୍କ ପ୍ରାର୍ଥୀତ୍ୱକୁ ନେଇ ଢେଙ୍କାନାଳରେ ଚର୍ଚ୍ଚା ଜୋର ଧରିଛି। ଆଗାମୀ ଲୋକସବା ନିର୍ବାଚନରେ ଏହି ଦୁଇ ନେତାଙ୍କୁ ପୁନର୍ବାର ରିପିଟ କରାଯିବ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଥିବା ଶୁଣିବାକୁ ମିଳୁଛି। କୁହାଯାଉଛି ଯଦି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁରରୁ ପ୍ରାର୍ଥୀ ହୁଅନ୍ତି ତେବେ ରୁଦ୍ରନାରାୟଣ ପାଣିଙ୍କୁ ଟିକେଟ ମିଳିବା ଏକ ରକମ ନିଶ୍ଚିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆସନ୍ତା ୩ ତାରିଖରେ ସମ୍ବଲପୁର ଗସ୍ତକୁ ନଜରରେ ରଖି ଚର୍ଚ୍ଚା ହେଉଛି କି ଧର୍ମେନ୍ଦ୍ର ସମ୍ବଲପୁରରୁ ପ୍ରାର୍ଥୀ ହେବା ସମ୍ଭାବନା ଉଜ୍ଜ୍ୱଳ। ଫଳରେ ଢେଙ୍କାନାଳ ଆସନରୁ ବିଜେପି ରୁଦ୍ରନାରାୟଣଙ୍କୁ ରିପିଟ କରିବା ନେଇ ବିଜେପି କ୍ୟାମ୍ପରେ ଆଲୋଚନା ହେଉଥିବା ଦେଖିବାକୁ ମିଳିଛି।

ସେପଟେ ଯଦି ରୁଦ୍ରନାରାୟଣ ପାଣି ଓ ମହେଶ ସାହୁ ପ୍ରାର୍ଥୀ ହୁଅନ୍ତି, ଆଉ ଏକ କଡ଼ା ମୁକାବିଲା ଦେଖିବ ଢେଙ୍କାନାଳ। କାରଣ ପୂର୍ବ ନିର୍ବାଚନକୁ ଦେଖିଲେ ବିଜେଡ଼ି ପକ୍ଷରୁ ପ୍ରାର୍ଥୀ ହୋଇଥିବା ମହେଶ ସାହୁ ବିଜୟୀ ହୋଇଥିଲେ। କିନ୍ତୁ ଖୁବ କମ ବ୍ୟବଧାନରେ ବିଜେପିର ରୁଦ୍ରନାରାୟଣଙ୍କୁ ପରାଜିତ କରିଥିଲେ। ଉଭୟଙ୍କ ମଧ୍ୟରେ ଭୋଟ ବ୍ୟବଧାନ ରହିଥିଲା ମାତ୍ର ୩୫ ହଜାର। ସେପଟେ ଉଭୟ ନେତାଙ୍କ ତୃଣମୂଳ ସ୍ତରରେ ସଂଗଠନ ବେଶ ମଜବୁତ ରହିଛି। ବିଜେଡ଼ିର ସାଂସଦ ପ୍ରାର୍ଥୀଙ୍କ ତାଲିକାରେ ଅନେକ ତୁଙ୍ଗନେତାଙ୍କ ନାଁ ସାମିଲ ରହିଛି। କିନ୍ତୁ ମହେଶ ସାହୁ ଶୀର୍ଷ ନେତୃତ୍ୱଙ୍କ ଗୁଡ଼ବୁକରେ ରହି ଆସିଛନ୍ତି। ସେପଟେ ପୂର୍ବତନ ସାଂସଦ ତଥାଗତ ଶତପଥିଙ୍କ ନିଷ୍କ୍ରିୟତା ମହେଶ ସାହୁଙ୍କୁ ସଂସଦ ପର୍ଯ୍ୟନ୍ତ ବାଟ ଫିଟାଇଥିଲା। ଗତଥର ଭଳି ତଥାଗତଙ୍କ ସେଭଳି ସକ୍ରିୟତା ଜିଲ୍ଲାରେ ନଥିବା ଦେଖିବାକୁ ମିଳିଛି। ସେହିପରି ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ଆସୁଥିବା ୭ଟି ଯାକ ବିଧାନସଭା ମଣ୍ଡଳୀରେ ବିଜେଡି଼ର ବିଧାୟକ ଗଣ ରହିଛନ୍ତି। ଯାହା ଫଳରେ ମହେଶଙ୍କୁ ତୃଣମୂଳ ସ୍ତରରେ ସଂଗଠନକୁ ମଜବୁତ କରିବାକୁ ବେଶ ସହାୟକ ହୋଇଛି।

ତୁଳନାତ୍ମକ କ୍ଷେତ୍ରରେ ରୁଦ୍ର ମଧ୍ୟ ପଛରେ ରହିଯାଇନାହାନ୍ତି। ଗାଁ ରାଜନୀତି ଠାରୁ ଆରମ୍ଭ କରି ପଞ୍ଚାୟତ ସ୍ତରରେ ରୁଦ୍ର ନିଜର ହାତମୁଠାକୁ ଟାଣ କରିବାରେ ସମର୍ଥ ହୋଇଛନ୍ତି। ତୃଣମୂଳ ସ୍ତରରେ କଡ଼ା ରଣନୀତି କରି ରୁଦ୍ର ମଧ୍ୟ ମହେଶଙ୍କୁ କଡ଼ା ଟକ୍କର ଦେଇଥିଲେ। କଂଗ୍ରେସ ଭୋଟକୁ ନିଜ ଖାତାକୁ ଟାଣିବାରେ ସଫଳ ହୋଇଥିଲେ ବିଜେପିର ପ୍ରାର୍ଥୀ ରୁଦ୍ରନାରାୟଣ ପାଣି। ତୃଣମୂଳ ସ୍ତରର ନେତା ଅନୁଗୋଳର ଅଶୋକ କୁମାର ନାୟକ, କାଳନ୍ଦୀ ଚରଣ ସାମଲ, ପ୍ରତାପ ପ୍ରଧାନ, ଢେଙ୍କାନାଳର କୃଷ୍ଣଚନ୍ଦ୍ର ପାତ୍ର, ଅଶୋକ କୁମାର ନାୟକଙ୍କ ସହଯୋଗରେ ତୃଣମୂଳ ସ୍ତରରେ ନିଜର ସଂଗଠନକୁ ବେଶ ମଜବୁତ କରିପାରିଥିଲେ। ଗତ ନିର୍ବାଚନରେ ରୁଦ୍ରଙ୍କ ଲଢୁଆ ପ୍ରଦର୍ଶନ ଦଳର ଆତ୍ମବିଶ୍ୱାସ ବଢାଇଥିବା ବେଳେ ଏଥର ମଧ୍ୟ ରୁଦ୍ରଙ୍କୁ ପ୍ରାର୍ଥୀ କରି ନିର୍ବାଚନୀ ବୈତରଣୀ ପାର ହେବାକୁ ପ୍ରୟାସ କରିପାରେ ବିଜେପି। ସେପଟେ ମୋଦିଙ୍କ ସମ୍ବଲପୁର ଗସ୍ତ ଦଳ ପାଇଁ ଏକ ସକରାତ୍ମକ ମାହୋଲ ସୃଷ୍ଟି କରିପାରେ।

ତେବେ ଏହି ଦୁଇ ପ୍ରାର୍ଥୀ ପ୍ରାୟ ନିଶ୍ଚିତ ହୋଇଥିବା ବେଳେ କଂଗ୍ରେସ ମଧ୍ୟ ପଛରେ ପଡ଼ିନାହିଁ। ଢେଙ୍କାନାଳ ରାଜା ତଥା ଏହି ସଂସଦୀୟ କ୍ଷେତ୍ରରେ ଏକଦା ନିଜର ଦବଦବା ରଖିଥିବା କାମାକ୍ଷାପ୍ରସାଦ ସିଂହଦେଓ ଏଥର କିନ୍ତୁ ନିର୍ବାଚନ ମୈଦାନକୁ ଓହ୍ଲାଉ ନାହାନ୍ତି। ତାଙ୍କ ବୋହୁ ମୃଣାଳ କୁମାରୀ ସିଂହଦେଓଙ୍କୁ ନେଇ ଆଶାବାଦୀ ରହିଛନ୍ତି। ସେପଟେ ଆଗାମୀ ନିର୍ବାଚନ ପାଇଁ ରଣାଙ୍ଗନ ପ୍ରସ୍ତୁତ କରୁଥିବା ଢେଙ୍କାନାଳ ଜିଲ୍ଲାର ରାଜନୀତି ଗନ୍ଧରୁ ବାରି ହୋଇପଡ଼ିଲାଣି। ନିଜ ଇଲାକାରେ କାମାକ୍ଷା ତାଙ୍କ ବୋହୁଙ୍କ ପୁଳାପୁଳା ବ୍ୟାନର, ପୋଷ୍ଟର ଆଦି ମାରି ପ୍ରଚାର କରୁଥିବା ଦେଖିବାକୁ ମିଳିଛି। ଗତ ନିର୍ବାଚନରେ କଂଗ୍ରେସ ଭୋଟକୁ ବିଜେପି ନିଜ ଖାତାରେ ଯୋଡିବାରେ ସକ୍ଷମ ହୋଇଥିବା ବେଳେ ଏଥର ମହିଳା କାର୍ଡ ଖେଳି ଡ୍ୟାମେଜ ଇମେଜ ସଜାଡ଼ିବା ପାଇଁ ପ୍ରସ୍ତୁତ ହେଉଛି କଂଗ୍ରେସ। ତେବେ ଆଗାମୀ ନିର୍ବାଚନରେ କେଉଁ ଦଳ କାହାକୁ ପ୍ରାର୍ଥୀ କରି ନିର୍ବାଚନୀ ସତରଞ୍ଜରେ ବିଜୟ ହାସଲ କରୁଛି ତାହା ଦେଖିବାକୁ ବାକି ରହିଲା।

Leave A Reply

Your email address will not be published.