ନୂଆଦିଲ୍ଲୀ: ଏସିଆ ମହାଦେଶ ଉପରେ ଏକ ବିରଳ ତଥା ଆଶ୍ଚର୍ଯ୍ୟଜନକ ପାଣିପାଗ ପ୍ରକ୍ରିୟା ଦେଖିବାକୁ ମିଳିଛି। ମହାକାଶରୁ ନିଆଯାଇଥିବା ସର୍ବଶେଷ ସାଟେଲାଇଟ୍ ଚିତ୍ରରେ ଉତ୍ତର ଭାରତରୁ ଆରମ୍ଭ କରି ହିମାଳୟ, ଚୀନ୍ ଦେଇ ସିଧା ଦକ୍ଷିଣ କୋରିଆ ପର୍ଯ୍ୟନ୍ତ ବ୍ୟାପିଥିବା ୭ ହଜାରରୁ ୧୦ ହଜାର କିଲୋମିଟର ଲମ୍ବା ଏକ ବିଶାଳ ବୃଷ୍ଟିବଳୟ ଠାବ କରାଯାଇଛି। ପାଣିପାଗ ବିଜ୍ଞାନୀଙ୍କ ମତରେ ୨୦୨୬ ମସିହା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ଏହା ସବୁଠାରୁ ସକ୍ରିୟ ପର୍ଯ୍ୟାୟ। ଏହି ବିଶାଳ ମେଘମାଳା ଦେଶରେ ‘ବମ୍ପର’ ବର୍ଷା କରାଇବାର ପରିବେଶ ସୃଷ୍ଟି କରିଛି, ଯାହା ଭାରତୀୟ କୃଷି କ୍ଷେତ୍ର ପାଇଁ ଏକ ଶୁଭ ସଙ୍କେତ।
ପାଣିପାଗ ବିଶେଷଜ୍ଞଙ୍କ ଭାଷାରେ ଏହି ବିଶାଳ ମେଘମାଳାକୁ ‘ମୌସୁମୀ କନଭରଜେନ୍ସ ଜୋନ୍’ ବୋଲି କୁହାଯାଉଛି। ଭାରତ ମହାସାଗରରୁ ଆସୁଥିବା ଜଳୀୟବାଷ୍ପ ପୂର୍ଣ୍ଣ ପବନ ଏସିଆର ବିଭିନ୍ନ ପାଣିପାଗ ସିଷ୍ଟମ୍ ସହ ମିଶିବା ଫଳରେ ଏହି ଅବିରତ ମେଘର କରିଡର ସୃଷ୍ଟି ହୋଇଛି। ସାଟେଲାଇଟ୍ ଫଟୋ ଅନୁଯାୟୀ, କେନ୍ଦ୍ରୀୟ, ଉତ୍ତର ଏବଂ ପୂର୍ବ ଭାରତକୁ ଏକ ଘନ ମେଘର ଆସ୍ତରଣ ଘୋଡ଼ାଇ ରଖିଥିବା ବେଳେ ତାହା ଉତ୍ତର-ପୂର୍ବ ଦିଗରେ ହିମାଳୟ ଦେଇ ଚୀନ୍ ଏବଂ ଜାପାନ ପର୍ଯ୍ୟନ୍ତ ଲମ୍ବିଛି। ଗରମ ଏବଂ ଆର୍ଦ୍ର ବାୟୁ ଉପରକୁ ଉଠି ଘନୀଭୂତ ହେବା ଫଳରେ ଏସିଆର ଏକ ବଡ଼ ଅଂଶରେ ବ୍ୟାପକ ବୃଷ୍ଟିପାତ ଓ ବଜ୍ରପାତ ଦେଖିବାକୁ ମିଳୁଛି।
ଗତ କିଛି ସପ୍ତାହ ଧରି ଦେଶର ଅନେକ ରାଜ୍ୟରେ ବର୍ଷା ଅଭାବରୁ ଚିନ୍ତା ବଢ଼ିଥିଲା। ମାତ୍ର ଏହି ନୂଆ ସିଷ୍ଟମ୍ କାରଣରୁ ଭାରତରେ ହାରାହାରି ତୁଳନାରେ ଗତ ଦୁଇ ଦିନ ମଧ୍ୟରେ ୧୭୦% ରୁ ୧୮୦% ଅଧିକ ବର୍ଷା ରେକର୍ଡ କରାଯାଇଛି। ପାଣିପାଗ ବିଶେଷଜ୍ଞମାନେ ଏହାକୁ “ମ୍ୟାସିଭ୍ ମନସୁନ୍ ଡେ” ବା ମୌସୁମୀର ମହା-ଦିବସ ଆଖ୍ୟା ଦେଇଛନ୍ତି।
ବର୍ତ୍ତମାନ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ହରିୟାଣା, ଦିଲ୍ଲୀ-ଏନସିଆର୍ ଏବଂ ରାଜସ୍ଥାନର କିଛି ଅଂଶରେ ପ୍ରବଳ ବର୍ଷା ଲାଗି ରହିଛି। ଅନ୍ୟପକ୍ଷରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ପୂର୍ବ ଏବଂ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ମଧ୍ୟ ପ୍ରବଳ ବୃଷ୍ଟିପାତ ଜାରି ରହିଛି। ଏହାଦ୍ୱାରା ଦେଶର ସମସ୍ତ ଜଳାଶୟଗୁଡ଼ିକରେ ଜଳସ୍ତର ବୃଦ୍ଧି ପାଇବା ସହ ଚାଲିଥିବା ଖରିଫ ଋତୁ ପାଇଁ ବଡ଼ ଆଶ୍ୱସ୍ତି ମିଳିବ ବୋଲି ଆଶା କରାଯାଉଛି।
ଗୋଟିଏ ପଟେ ଏହି ଲଗାଣ ବର୍ଷା ଖରିଫ ଚାଷ ପାଇଁ ସଞ୍ଜୀବନୀ ପାଲଟିଥିବା ବେଳେ ଅନ୍ୟପଟେ ପାହାଡ଼ିଆ ଅଞ୍ଚଳ ପାଇଁ ବିପଦ ଡାକି ଆଣିଛି। ଆଗାମୀ କିଛି ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବାର ପୂର୍ବାନୁମାନ ଥିବାରୁ ପ୍ରଶାସନ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ବିଶେଷ କରି ଉତ୍ତରାଖଣ୍ଡ ଏବଂ ହିମାଚଳ ପ୍ରଦେଶ ଭଳି ହିମାଳୟ ଅଞ୍ଚଳରେ ଆକସ୍ମିକ ବନ୍ୟା, ଭୂସ୍ଖଳନ, ତଳିଆ ଅଞ୍ଚଳରେ ପାଣି ଜମିବା ଏବଂ ନଦୀଗୁଡ଼ିକର ଜଳସ୍ତର ବିପଦ ସଙ୍କେତ ଛୁଇଁବାର ଆଶଙ୍କା ରହିଛି।