ପ୍ରିୟମ୍ବଦା ସାମଲ
କ୍ରାନ୍ତିର କଲମ ଅଟେ ସେ ବଲମ
ଲକ୍ଷ୍ୟ ତାର ଅଭେଦ୍ୟ
ଜାଗୃତିର ପଥେ ରଚେ ନବ ରାସ୍ତା
କିଛି ନୁହେଁ ତ ଦୁର୍ବୋଧ୍ୟ।
ବିଦ୍ରୋହର ସ୍ୱର ଶାଣିତ ମୁନରେ
ଅନର୍ଗଳ ନିର୍ଝରିତ
ସୃଜନ ତାହାର ଅର୍ଜୁନର ଶର
କେବେ ନୁହେଁ ପରାହତ।
ଶୋଷଣ ପେଷଣ କଷଣ ଧର୍ଷଣ
ହୃଦୟ ଥରାଇ ବସେ
ଲେଖନୀ ମୁନ ତା’ଥମେ ନାହିଁ କେବେ
ଦଣ୍ଡିତ ହୋଇ ବି ହସେ।
ଜାଗୃତିର ମନ୍ତ୍ରେ ସେ ଅଭିମନ୍ତ୍ରିତ
ନିର୍ଭୟର ଗନ୍ତାଘର
କ୍ରୋଧ ହିଂସା ଈର୍ଷା ତାପାଶେ ଶରଣ
ସ୍ୱର ଗର୍ଜଇ କ୍ରାନ୍ତିର।
ନବ ଚେତନାର ନବ ଉନ୍ମୋଚନ
ନୂତନ ବର୍ତ୍ତିକା ଜାଳି
କଲମରେ ତାର ନୂତନତା କାଳି
ଅବିରତ ଚାଲେ ଢ଼ାଳି।
ମହତ ଉଦ୍ଦେଶ୍ୟ ସଦା ପଲ୍ଲବିତ
ଆଣେ ନୂଆ ଉନ୍ମାଦନା
ଲକ୍ଷ୍ୟ ତା’ ସ୍ଥିର କେବେ ନ ହଟିବ
ପାଉ ସେ ଯେତେ ଲାଞ୍ଛନା।
କ୍ରାନ୍ତିର କଲମ ସତେକି ମଲମ
ଅନ୍ୟାୟ ଅନୀତି ପାଇଁ
ପ୍ରଭୁଙ୍କ କରୁଣା ଝରି ପଡୁଥାଏ
ସୃଜନର ରୂପ ନେଇ।
ଭୁବନେଶ୍ୱର