Latest Odisha News

BREAKING NEWS

୧୦ମ ଓଡ଼ିଶା ରାଜ୍ୟ ମୁଏଥାଇ ପ୍ରତିଯୋଗିତା-୨୦୨୨ ଉଦଯାପିତ୍

ବରଗଡ଼: ୧୦ମ ଓଡିଶା ରାଜ୍ୟ ମୁଏଥାଇ ପ୍ରତିଯୋଗିତା ୨୦୨୨ ଉଦଯାପିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମ ଓଡ଼ିଶା ଅଲମ୍ପିକ ସଂଘ ଦ୍ୱାରା ସ୍ୱୀକୃତି ପ୍ରାପ୍ତ ସଂସ୍ଥା ‘ଓଡିଶା ମୁଏଥାଇ ୟୁନିଅନ’ ଏବଂ ଆର୍ଟ୍ସ ଟେମ୍ପଲ ବରଗଡ଼ର ମିଳିତ ସହଯୋଗରେ ବରଗଡ଼ ସ୍ଥିତ ଲେଙ୍ଗୁ ମିଶ୍ର (ମିନି) ଷ୍ଟାଡିୟମ ଠାରେ ଆୟୋଜିତ କରାଯାଇଥିଲା । ଜୁନ୍ ୪ ଓ ୫ ତାରିଖ ଦୁଇଦିନ ଧରି ଚାଲିଥିଲା ପ୍ରତିଯୋଗିତା ।

ପ୍ରତିଯୋଗିତାରେ ରାଜ୍ୟର ୧୭ଟି ଜିଲ୍ଲାରୁ ମୋଟ ୧୬୭ ଜଣ ପ୍ରତିଯୋଗୀ, ୩୭ ଜଣ ଅଫିସିଆଲ, ଟିମ ମ୍ୟାନେଜର, କୋଚ ଅଂଶଗ୍ରହଣ କରି କାର୍ଯ୍ୟକୁ ସଫଳ କରାଇଥିଲେ । ଉକ୍ତ ପ୍ରତିଯୋଗିତାରେ ମୋଟ ପଦକ ତାଲିକାକୁ ଆଧାର କରି ବେଷ୍ଟ-ଟିମ-ଚାମ୍ପିଅନ୍ ଭାବରେ ବରଗଡ଼ ଜିଲ୍ଲାକୁ ପୁରସ୍କାର ମିଳିଥିବା ବେଳେ ଅନୁଗୁଳକୁ ରନର୍ସ-ଅପ୍ ଦଳ ଘୋଷିତ କରାଯାଇଥିଲା । ଏଥିସହିତ ଅନୁଗୁଳ ଜିଲ୍ଲାରୁ ବହୁ ସଂଖ୍ୟାରେ ମହିଳା ଅଂଶ ଗ୍ରହଣ କରିଥିବାରୁ ସେମାନଙ୍କୁ ସ୍ୱତନ୍ତ୍ର ପୁରସ୍କାର ମାଧ୍ୟମରେ ସମ୍ମାନିତ କରାଯାଇଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାକୁ ଶୃଙ୍ଖଳିତ ଦଳ ଭାବେ ସମ୍ମାନିତ କରାଯାଇଥିଲା ।

ଏହି ପ୍ରତିଯୋଗିତାର ଉଦଯାପନୀ ଉତ୍ସବରେ ବରଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ, ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ବରିଷ୍ଠ କ୍ରୀଡା ସଙ୍ଗଠକ ଅରୁଣ କୁମାର ମହାନ୍ତି, ଜିଲ୍ଲା କ୍ରୀଡ଼ା ସଂସଦ ସମ୍ପାଦକ କିଶୋର କୁମାର ମିଶ୍ର, ଜିଲ୍ଲା କ୍ରିକେଟ ସଂଘର ପୂର୍ବତନ ସମ୍ପାଦକ ସୁବ୍ରତ ଚାଟାର୍ଜୀ, ଓଡ଼ିଶା ମୁଏଥାଇ ୟୁନିଅନର ରାଜ୍ୟ ଅଧ୍ୟକ୍ଷ ରବି ନାରାୟଣ ପଣ୍ଡା, ରାଜ୍ୟ ସାଧାରଣ ସମ୍ପାଦକ ଜ୍ଞାନ ରଞ୍ଜନ ମହାନ୍ତି, ରାଜ୍ୟ ଯୁଗ୍ମ ସମ୍ପାଦକ ଡା. ଶୁଭ୍ରାଂଶୁ ଶେଖର ମହାପାତ୍ର, ପ୍ରତିଯୋଗିତା ଆୟୋଜକ କମିଟି ସମ୍ପାଦକ ରାଜେନ୍ଦ୍ର ପ୍ରସାଦ ଭୋଇ, ଟେକ୍ନିକାଲ ସେକ୍ରେଟାରୀ ଚନ୍ଦ୍ର ଶେଖର ବହୁକଙ୍କ ସମେତ ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ରହି କୃତି ପ୍ରତିଯୋଗୀଙ୍କୁ ଉତ୍ସାହିତ କରିବା ସହ ପଦକ ଦେଇ ସମ୍ମାନିତ କରିଥିଲେ ।

ଏହି ପ୍ରତିଯୋଗିତାରେ କୃତିତ୍ୱ ଲାଭ କରିଥିବା ସମସ୍ତ ଯୋଗ୍ୟ ମୁଏଥାଇ କ୍ରୀଡ଼ାବିତଙ୍କୁ ଆଗାମୀ ୧୬ରୁ ୨୨ ଜୁନରେ ମଧ୍ୟପ୍ରଦେଶ ଠାରେ ହେବାକୁ ଥିବା ନ୍ୟାସନାଲ ମୁଏଥାଇ ଚାମ୍ପିଅନସିପରେ ଓଡ଼ିଶା ରାଜ୍ୟକୁ ପ୍ରତିନିଧିତ୍ୱ କରିବା ସୁଯୋଗ ମିଳିବ ।

Leave A Reply

Your email address will not be published.