Party Switch: ୧୧୧ ସାଂସଦ-ବିଧାୟକ ବଦଳାଇଛନ୍ତି ଦଳ, ବିଜେପିରେ ୨୯ ଜଣ…ଜାଣନ୍ତୁ ସବୁଠୁ ବେଶୀ କେଉଁ ଦଳ ଛାଡିଛନ୍ତି ନେତା?
ନୂଆଦିଲ୍ଲୀ: ୨୦୨୨ରୁ ୨୦୨୬ ମଧ୍ୟରେ ନିର୍ବାଚନ ଜିତିବା ପରେ ଦେଶର ୧୧୧ ଜଣ ବର୍ତ୍ତମାନର ସାଂସଦ ଓ ବିଧାୟକ ନିଜ ଦଳ ବଦଳାଇଛନ୍ତି। ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମ୍ସ (ADR) ଓ ନ୍ୟାସନାଲ୍ ଇଲେକ୍ସନ୍ ୱାଚ୍ (NEW)ର ରିପୋର୍ଟରେ ଏହି ତଥ୍ୟ ପ୍ରକାଶ ପାଇଛି। ଏଥିରେ ୨୬ ଲୋକସଭା ସାଂସଦ, ୭ ରାଜ୍ୟସଭା ସାଂସଦ ଓ ୭୮ ବିଧାୟକ ଅଛନ୍ତି।
ଦଳ ବଦଳ କରିଥିବା ୧୧୧ ଜଣଙ୍କ ମଧ୍ୟରୁ ୨୯ ଜଣ ବିଜେପିରେ ଯୋଗ ଦେଇଛନ୍ତି, ଯାହା ମୋଟ ସଂଖ୍ୟାର ୨୬ ପ୍ରତିଶତ। ତେବେ ସବୁଠାରୁ ଅଧିକ ୩୨ ଜଣ ନେତା ନାଗା ପିପୁଲ୍ସ ଫ୍ରଣ୍ଟ୍ (NPF)ରେ ଯୋଗ ଦେଇଛନ୍ତି। ଏହା ପରେ BJP ୨୯ ଓ ନେସନାଲିଷ୍ଟ ସିଟିଜେନ୍ ପାର୍ଟି ଅଫ୍ ଇଣ୍ଡିଆ (NCPI) ୨୦ ଜଣଙ୍କୁ ନିଜ ଦଳରେ ନେଇଛି।
ତେବେ NPFର ୩୨ ଜଣଙ୍କ ମାମଲା ଅନ୍ୟ ଦଳଠାରୁ ବ୍ୟକ୍ତିଗତ ଭାବେ ଦଳବଦଳ ନୁହେଁ। ନାଗାଲାଣ୍ଡରେ NDPPର ବିଧାୟକମାନେ NPF ସହ ମିଶିବା ପରେ ଏହି ସଂଖ୍ୟା ହୋଇଛି। ନାଗାଲାଣ୍ଡରେ ସର୍ବାଧିକ ୩୨ଟି ଦଳବଦଳ ମାମଲା ରହିଛି। ଏହା ପରେ ପଶ୍ଚିମବଙ୍ଗରେ ୨୦, ତେଲେଙ୍ଗାନାରେ ୯, ଗୋଆ ଓ ପଞ୍ଜାବରେ ୮ଟି ଲେଖାଏଁ ମାମଲା ରହିଛି। ମୋଟ ୧୭ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏପରି ଘଟଣା ଦେଖାଯାଇଛି।
BJPକୁ ଯାଇଥିବା ୨୯ ଜଣଙ୍କ ମଧ୍ୟରେ ୭ ରାଜ୍ୟସଭା ସାଂସଦ ଓ ୨୨ ବିଧାୟକ ଅଛନ୍ତି। ADR ଅନୁସାରେ, ସମସ୍ତ ୭ ରାଜ୍ୟସଭା ସାଂସଦ ପୂର୍ବରୁ AAPରୁ ନିର୍ବାଚିତ ହୋଇଥିଲେ। ଏଥିରେ ସ୍ୱାତୀ ମାଲିୱାଲ, ରାଘବ ଚଢ଼ା ଓ ହରଭଜନ ସିଂହଙ୍କ ସମେତ ୭ ଜଣ ଅଛନ୍ତି।
ଅନ୍ୟପଟେ, ଦଳ ଛାଡ଼ିଥିବା ନେତାଙ୍କ ମଧ୍ୟରେ NDPPରୁ ୨୫, ତୃଣମୂଳ କଂଗ୍ରେସରୁ ୨୦ ଓ କଂଗ୍ରେସରୁ ୧୯ ଜଣ ଥିଲେ। ଏହି ତିନି ଦଳରୁ ମୋଟ ୬୪ ଜଣ ଦଳ ବଦଳାଇଛନ୍ତି।
ADR କହିଛି, ଏହି ୧୧୧ଟି ମାମଲାରେ ସାଧାରଣ ଦଳବଦଳ ସହ ଦଳ ମିଶ୍ରଣ, ଇସ୍ତଫା ପରେ ଉପନିର୍ବାଚନ ଜିତିବା ଓ ଅଯୋଗ୍ୟ ଘୋଷଣା ପରେ ପୁଣି ନିର୍ବାଚନ ଜିତିବା ଭଳି ଘଟଣା ମଧ୍ୟ ରହିଛି। ଅଫିସିଆଲ୍ ତଥ୍ୟ ସୁସଂଗଠିତ ଭାବେ ଉପଲବ୍ଧ ନଥିବାରୁ ଏହି ତାଲିକା ସମ୍ପୂର୍ଣ୍ଣ ନ ହୋଇପାରେ ବୋଲି ADR ସ୍ପଷ୍ଟ କରିଛି।
ଦଳବଦଳ ଆଇନକୁ ନେଇ ADR ଅଧିକ କଡ଼ା ନିୟମ ଓ ନିର୍ଦ୍ଦିଷ୍ଟ ସମୟସୀମାରେ ଅଯୋଗ୍ୟତା ଆବେଦନ ଉପରେ ନିଷ୍ପତ୍ତି ନେବାକୁ ସୁପାରିସ କରିଛି।

