Mann Ki Baat: ‘ମନ କି ବାତ୍’ରେ ସର୍ଜିକାଲ୍ ଷ୍ଟ୍ରାଇକ୍କୁ ମନେ ପକାଇଲେ ପିଏମ୍ ମୋଦୀ, କହିଲେ, ‘ଆତଙ୍କବାଦକୁ ଭାରତ ବରଦାସ୍ତ କରେନାହିଁ’
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ‘ମନ କି ବାତ୍’ର ୧୩୮ତମ ଅଧ୍ୟାୟରେ ୨୦୧୬ର ସର୍ଜିକାଲ୍ ଷ୍ଟ୍ରାଇକ୍କୁ ମନେ ପକାଇଛନ୍ତି। ସେ କହିଛନ୍ତି, ଭାରତ ଆତଙ୍କବାଦ ବିରୋଧରେ ‘ଜିରୋ ଟଲରାନ୍ସ’ ନୀତି ଅନୁସରଣ କରୁଛି। ୨୮-୨୯ ସେପ୍ଟେମ୍ବର ୨୦୧୬ରେ ଭାରତୀୟ ସେନା LoC ପାର ହୋଇ ପାକିସ୍ତାନରେ ଥିବା ଆତଙ୍କୀ ଠିକଣା ଉପରେ ସର୍ଜିକାଲ୍ ଷ୍ଟ୍ରାଇକ୍ କରିଥିଲା ବୋଲି ସେ ଉଲ୍ଲେଖ କରିଛନ୍ତି। ତାଙ୍କ କହିବା ଅନୁସାରେ, ଏହି କାର୍ଯ୍ୟାନୁଷ୍ଠାନ ଆତଙ୍କବାଦ ବିରୋଧରେ ଭାରତର ଦୃଢ଼ ପଦକ୍ଷେପର ଏକ ଉଦାହରଣ ଥିଲା।
‘ମନ କି ବାତ୍’ରେ ମୋଦୀ ସ୍ୱର୍ଗତ ଅଶୋକ ସିଂଘଲଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ୨୭ ସେପ୍ଟେମ୍ବର ୧୯୨୬ରେ ଆଗ୍ରାରେ ତାଙ୍କ ଜନ୍ମ ହୋଇଥିବା କହି, ରାମ ଜନ୍ମଭୂମି ଆନ୍ଦୋଳନରେ ତାଙ୍କ ଭୂମିକାକୁ ମନେ ପକାଇଛନ୍ତି। ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣକୁ ସେହି ପ୍ରୟାସ ସହ ଯୋଡ଼ିଛନ୍ତି।
ଗୁଜରାଟର ମୋଢେରା ସୂର୍ଯ୍ୟ ମନ୍ଦିର ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀ କହିଛନ୍ତି। ୧୦୨୫ ଖ୍ରୀଷ୍ଟାବ୍ଦରେ ରାଜା ଭୀମଦେବ ଏହି ମନ୍ଦିର ନିର୍ମାଣ କରିଥିଲେ ବୋଲି ସେ ଉଲ୍ଲେଖ କରିଛନ୍ତି। ମୋଢେରା ଏବେ ଐତିହାସିକ ସୂର୍ଯ୍ୟ ମନ୍ଦିର ସହ ଦେଶର ପ୍ରଥମ ‘ସୋଲାର ଭିଲେଜ୍’ ଭାବେ ମଧ୍ୟ ପରିଚିତ ବୋଲି କହିଛନ୍ତି।
ଏହାସହ ତାମିଲନାଡୁର ତିରୁଚିରାପଲ୍ଲୀ ମନପ୍ପାରାଇର ଏକ ପ୍ରୟାସ, ଆସାମର ପ୍ରକୃତି ସଂରକ୍ଷଣ ଓ ସୁନ୍ଦରବନର ଝାରଖାଲି ଅଞ୍ଚଳର ମହିଳାଙ୍କ ମ୍ୟାଙ୍ଗ୍ରୋଭ୍ ଜଙ୍ଗଲ ସୃଷ୍ଟି ଉଦ୍ୟମର ମଧ୍ୟ ଉଲ୍ଲେଖ କରିଛନ୍ତି। ବାଘ ଆକ୍ରମଣରେ ସ୍ୱାମୀଙ୍କୁ ହରାଇଥିବା କିଛି ମହିଳା ଏହି କାମ ମାଧ୍ୟମରେ ଜୀବିକା ପାଇବା ସହ ଗାଁ ପାଇଁ ପ୍ରାକୃତିକ ସୁରକ୍ଷା କବଚ ସୃଷ୍ଟି କରୁଛନ୍ତି ବୋଲି ସେ କହିଛନ୍ତି।
ଶେଷରେ ମୋଦୀ ‘ନିଶାମୁକ୍ତ ଯୁବ’ ଅଭିଯାନର କଥା ମଧ୍ୟ କହିଛନ୍ତି। ଦେଶର ଯୁବକମାନେ ନିଶାଠାରୁ ଦୂରେଇ ରହିବା ସହ ଅନ୍ୟମାନଙ୍କୁ ମଧ୍ୟ ସଚେତନ କରିବାକୁ ସଂକଳ୍ପ ନେଉଥିବା ସେ ଉଲ୍ଲେଖ କରିଛନ୍ତି। ଏହି ୧୦୦ ସପ୍ତାହର ଅଭିଯାନରେ ଯୁବପିଢ଼ିର ଅଂଶଗ୍ରହଣ ଉପରେ ସରକାର ଗୁରୁତ୍ୱ ଦେଉଛି।

