Latest Odisha News

BREAKING NEWS

ଇଏ କି ପ୍ରଥା? ବର୍ଷ ଆରମ୍ଭରୁ ଏଠାକାର ଲୋକେ ଖାଆନ୍ତି କେବଳ ୧୨ଟି ଅଙ୍ଗୁର

ନୂଆଦିଲ୍ଲୀ: ଆଉ ଦିନ କେଇଟାରେ ଶେଷ ହେବାକୁ ଯାଉଛି ବର୍ଷ ୨୦୨୩ । ଦ୍ଵାର ଦେଶରେ ଆସି କବାଟ ଠକ ଠକ କଲାଣି ପୁଣି ଏକ ନୂଆବର୍ଷ । ସେଥିପାଇଁ ଏବେଠାରୁ ଲୋକମାନଙ୍କ ମନରେ ଦେଖାଗଲାଣି ଉତ୍ସାହ । ନୂଆବର୍ଷକୁ ଧୁମଧାମରେ ପାଳନ କରିବାକୁ ପ୍ରସ୍ତୁତି ବି ଶେଷ ପର୍ଯ୍ୟାୟରେ । ବିଶ୍ୱର ବିଭିନ୍ନ ଦେଶରେ ବିଭିନ୍ନ ନୂଆ ଉପାୟରେ ଏହି ନୂଆବର୍ଷ ପାଳନ କରାଯାଏ | ଭିନ୍ନ ମାନ୍ୟତା ଏବଂ ଭିନ୍ନ ପ୍ରଥାର ସହ ନୂଆବର୍ଷର ସ୍ଵାଗତ କରାଯାଇଥାଏ । ଲୋକମାନେ ନୂଆବର୍ଷ ପୂର୍ବରୁ ଘରକୁ ସଫାସୁତୁରା କରନ୍ତି, ଯାହାଦ୍ୱାରା ଘରକୁ ସୁଖ, ଶାନ୍ତି ଏବଂ ଐଶର୍ଯ୍ୟ ଆସିଥାଏ | କିଛି ଲୋକ ନୂଆବର୍ଷ ପାଇଁ ବନ୍ଧୁ, ପରିବାରଙ୍କ ସହ ବୁଲିବାକୁ ଯାଇଥାନ୍ତି । ସେହିପରି କିଛି ଲୋକ ନୂଆବର୍ଷ ଉପଲକ୍ଷେ ଘରକୁ ନୂଆ ଜିନିଷ କିଣି ଆଣନ୍ତି | କିନ୍ତୁ ଏପରି ଏକ ଦେଶ ଅଛି ଯେଉଁଠାରେ ନୂଆବର୍ଷକୁ ଏକ ଭିନ୍ନ ରୀତିନୀତିରେ ସ୍ଵାଗତ କରାଯାଏ |

ଉତ୍ତର ଆମେରିକୀୟ ଦେଶ ମେକ୍ସିକୋରେ ଲୋକମାନେ ନୂଆବର୍ଷକୁ ଅତି ଆକର୍ଷଣୀୟ ଢଙ୍ଗରେ ସ୍ଵାଗତ କରନ୍ତି |ସେମାନଙ୍କର ଏହି ଅଜବ ରୀତିନୀତି ଜାଣିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଯାହାକୁ ଜାଣି ଆପଣ ବି କହିବେ, ଏପରି ବି କେହି କରନ୍ତି କି? ନୂଆ ବର୍ଷରେ ମେକ୍ସିକୀୟମାନେ ୧୨ଟି ଅଙ୍ଗୁର ଏକାଠି ଘରକୁ ଆଣନ୍ତି । ତା’ପରେ ସେହି ଅଙ୍ଗୁରକୁ ଗୋଟିଏ ପରେ ଗୋଟିଏ ଖାଇଥାନ୍ତି | ମେକ୍ସିକାନ୍ ରୀତିନୀତି ଅନୁଯାୟୀ, ଖିଆଯାଇଥିବା ପ୍ରତ୍ୟେକ ଅଙ୍ଗୁର ସେମାନଙ୍କ ଗୋଟିଏ ଗୋଟିଏ ଇଚ୍ଛାକୁ ପୂରଣ କରେ | ସେଥିପାଇଁ ସେଠାକାର ଲୋକମାନେ ୧୨ଟି ଅଙ୍ଗୁର ଆଣି ତାହାକୁ ଗୋଟେ ପରେ ଗୋଟେ କରି ଖାଇଥାନ୍ତି ।

ଅଙ୍ଗୁର ଖାଇବାର ଏହି ଅନନ୍ୟ ପରମ୍ପରା କେବଳ ମେକ୍ସିକୋରେ ନୁହେଁ, ଆମେରିକା ଏବଂ ୟୁରୋପର ଅନେକ ଦେଶରେ ମଧ୍ୟ ପାଳନ କରାଯାଏ | ତେବେ ଏହି ପ୍ରଥା ପ୍ରଥମେ ମେକ୍ସିକୋରୁ ଆରମ୍ଭ ହୋଇନାହିଁ, ଏହାର ମୂଳ ସ୍ପେନ ସହିତ ସଂଯୁକ୍ତ |୧୯୦୯ ମସିହାରେ ସ୍ପେନରେ ଅଙ୍ଗୁର ବହୁ ପରିମାଣରେ ଚାଷ କରାଯାଉଥିଲା | ସେଠାକାର ପରିବେଶ ଅଙ୍ଗୁର ଚାଷ ପାଇଁ ମଧ୍ୟ ବେଶ୍ ଅନୁକୁଳ ଥିଲା । କିନ୍ତୁ ସେହି ଅଙ୍ଗୁରକୁ ବଜାରରେ ବିକ୍ରୟ କରିବା ପାଇଁ ଚାଷୀ ମାନଙ୍କୁ ବହୁ ସଂଘର୍ଷ କରିବାକୁ ପଡୁଥିଲା | ସେଥିପାଇଁ ସେମାନେ ନିଜର ବଳକା ସମସ୍ତ ଅଙ୍ଗୁର ବିକ୍ରୟ କରିବା ପାଇଁ ଅଙ୍ଗୁର ଉତ୍ତମ ଭାଗ୍ୟର ସଙ୍କେତ ବୋଲି ଖବର ପ୍ରଚାର କରିଲେ । ଫଳରେ ସେମାନଙ୍କର ସମସ୍ତ ଅଙ୍ଗୁର ଭଲ ଦାମରେ ବିକ୍ରି ହୋଇଯାଇଥିଲା ।

ଅନ୍ୟ ଏକ କାହାଣୀ ଅନୁସାରେ, ଏହି ପ୍ରଥା ୧୮୮୦ ଦଶକରେ ଆରମ୍ଭ ହୋଇଥିଲା | ସ୍ପେନର ଲୋକମାନେ ଫ୍ରାନ୍ସର ପୁଞ୍ଜିପତିମାନଙ୍କୁ ଅନୁକରଣ କରିବାକୁ ଚାହୁଁଥିଲେ। ପ୍ରାନ୍ସର ପୁଞ୍ଜିପତିମାନେ ବର୍ଷ ଆରମ୍ଭରେ ଅଙ୍ଗୁର ଖାଉଥିଲେ | ସେମାନଙ୍କର ନକଲ କରିବାକୁ ଯାଇ ସ୍ପେନର ଲୋକମାନେ ମଧ୍ୟ ବର୍ଷ ଆରମ୍ଭରୁ ଅଙ୍ଗୁର ଖାଇବାର ପ୍ରଥା ତିଆରି କରିଥିଲେ । ସେବେଠାରୁ ବର୍ଷ ଆରମ୍ଭରେ ଅଙ୍ଗୁର ଖାଇବାର ପ୍ରଥା ଚଳିଆସିଛି । ସମୟକ୍ରମେ ତାହା ଅନେକ ଦେଶକୁ ମଧ୍ୟ ଲମ୍ବି ସାରିଛି ।

 

Leave A Reply

Your email address will not be published.