Latest Odisha News

BREAKING NEWS

ମାଓବାଦୀଙ୍କ ହିଂସାକାଣ୍ଡରେ ଏବର୍ଷ ଓଡ଼ିଶାରେ ୧୨ ଜଣ ବ୍ୟକ୍ତିଙ୍କ ପ୍ରାଣହାନୀ ଘଟିଛି: କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ଏବର୍ଷ ଓଡ଼ିଶାରେ ଜାନୁଆରିରୁ ନଭେମ୍ବର ମାସ ମଧ୍ୟରେ ମାଓବାଦୀଙ୍କ ଆକ୍ରମଣରେ ୧୨ଜଣ ବ୍ୟକ୍ତିଙ୍କ ମୃତ୍ୟ ଘଟିଥିବା ମଙ୍ଗଳବାର ଦିନ ଲୋକସଭାରେ ପ୍ରକାଶ କରିଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ହଂସରାଜ ଗଙ୍ଗାରାମ ଆହିର ।

ଆଜି ଲୋକସଭାର ଶୀତକାଳୀନ ଅଧିବେଶନରେ କଂଗ୍ରେସ ସଦସ୍ୟ ରାଜୀବ ଶଙ୍କରରାଓ ସତାବ ଏବଂ ବିଜେପି ସଦସ୍ୟ ଡ଼ଃ ହିନା ବିଜୟ କୁମାର ଗାଭିତଙ୍କ କିଛି ପ୍ରଶ୍ନର ଉତ୍ତରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଚଳିତବର୍ଷ ଓଡ଼ିଶାରେ ୭୨ଟି ମାଓବାଦୀ ହିଂସାକାଣ୍ଡ ସଂଘଟିତ ହୋଇଛି ଏବଂ ଏଥିରେ ୧୨ ଜଣ ବ୍ୟକ୍ତିଙ୍କ ପ୍ରାଣହାନୀ ଘଟିଛି ।

ତେବେ ସେ ତାଙ୍କର ଏହି ଉତ୍ତରରେ ମଧ୍ୟ କହିଛନ୍ତି ଯେ, ଗତ ୨୦୧୧-୨୦୧୮ ମସିହା ମଧ୍ୟରେ ଓଡ଼ିଶାରେ କ୍ରମାନ୍ୱିତ ଭାବେ ମାଓବାଦୀ ହିଂସାକାଣ୍ଡ ହ୍ରାସ ପାଇଛି ।

ଏସମ୍ପର୍କରେ ବିଶଦ ବିବରଣୀ ପ୍ରଦାନ କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି, ୨୦୧୧ ରୁ ୨୦୧୮ ମସିହା ନଭେମ୍ବର ମାସ ମଧ୍ୟରେ ଓଡ଼ିଶାରେ ୭୯୯ଟି ମାଓବାଦୀ ହିଂସାକାଣ୍ଡ ଘଟିଛି, ମାଓବାଦୀଙ୍କ ଆକ୍ରମଣ ଯୋଗୁଁ ଏହି ସମୟ ମଧ୍ୟରେ ସମୁଦାୟ ୨୫୫ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ।

“କେବଳ ୨୦୧୧ ମସିହାରେ ଓଡ଼ିଶାରେ ୧୯୨ଟି ମାଓବାଦୀ ହିଂସାକାଣ୍ଡ ଘଟିଥିଲା । ଏହା କ୍ରମେ ହ୍ରାସପାଇ ୨୦୧୨ରୁ ୨୦୧୮ ନଭେମ୍ବର ମାସ ୧୫ ତାରିଖ ମଧ୍ୟରେ କେବଳ ୭୩ ଜଣଙ୍କ ପ୍ରାଣହାନୀ ଘଟିଛି,” ବୋଲି ସଂସଦରେ ପ୍ରକାଶ କରିଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ।

ସଂସଦରେ କେନ୍ଦ୍ରମନ୍ତ୍ରୀ ମାଓ ହିଂସାକାଣ୍ଡ ସମ୍ପର୍କରେ ସୂଚନାଦେଇ କହିଛନ୍ତି, ଓଡ଼ିଶା, ଝାଡ଼ଖଣ୍ଡ, ଛତିଶଗଡ଼ ଓ ବିହାର ଏହି ୪ଟି ରାଜ୍ୟ ମଧ୍ୟରୁ ଛତିଶଗଡ଼ରେ ସର୍ବାଧିକ ୩୫୫ଟି ମାଓବାଦୀ ହିଂସାକାଣ୍ଡ ଘଟିଛି, ସେଥିମଧ୍ୟରେ ଛତିଗଡ଼ରେ ୧୩୮ ଜଣ ବ୍ୟକ୍ତି ନିହତ ହୋଇଛନ୍ତି ।

କେନ୍ଦ୍ରମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଓଡ଼ିଶାରେ ମାଓବାଦୀ ହିଂସାକାଣ୍ଡ ହ୍ରାସ ପାଇଛି ଏବଂ ଓଡ଼ିଶାରେ ମଧ୍ୟ ସବୁଠାରୁ କମ୍ ହିଂସାକାଣ୍ଡ ମାଓବାଦୀଙ୍କ ପକ୍ଷରୁ ହୋଇଥିବା ସେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.