Latest Odisha News

BREAKING NEWS

ବିଧାନସଭା ନିର୍ବାଚନ: ୩ରାଜ୍ୟରେ ସରକାର ଗଢିବ କଂଗ୍ରେସ, ମଧ୍ୟପ୍ରଦେଶରେ ବିଏସପିର ସମର୍ଥନ

ଭୋପାଳ : ୫ଟି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନରେ କିଏ ସରକାର ଗଢିବ କିଏ ବାଜିମାତ କରିବ, ସେନେଇ ଜାରି ରହିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି ।

କଂଗ୍ରେସ ଦଳ ୨ଟି ରାଜ୍ୟ ଯଥାକ୍ରମେ ଛତିଶଗଡ ଓ ରାଜସ୍ଥାନରେ ବାଜିମାତ କରିଥିବା ବେଳେ ତେଲେଙ୍ଗାନାରେ ଟିଆରଏସ୍ ଏବଂ ମିଜୋରାମରେ ଏମଏନଏଫ ନିଶ୍ଚିତ ସରକାର ଗଠନ କରିବା ନେଇ ଜଣାପଡିଛି ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ମଧ୍ୟପ୍ରଦେଶରେ ଝୁଲା ସରକାରକୁ ନେଇ ଚାଲିଥିବା ଚର୍ଚ୍ଚାର ଏବେ ଅବସାନ ଘଟିଛି । ସବୁ କଳ୍ପନାଜଳ୍ପନାକୁ ଦୂରରେ ରଖି କଂଗ୍ରେସର ହାତ ଧରିଛନ୍ତି ବହୁଜନ ସମାଜବାଦୀ ପାର୍ଟି(ବିଏସପି)ର ଅଧ୍ୟକ୍ଷା ମାୟାବତୀ ।

ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ବିଏସପି ସୁପ୍ରିମୋ ମାୟାବତୀ ଘୋଷଣା କରିଛନ୍ତି ।

୨୩୦ଟି ଆସନ ବିଶିଷ୍ଟ ମଧ୍ୟପ୍ରଦେଶ ବିଧାନସଭାରେ ସରକାର ଗଠନ ପାଇଁ ମ୍ୟାଜିକ୍ ନମ୍ବର ହେଉଛି ୧୧୬। କଂଗ୍ରେସ ୧୧୪ ଆସନରେ ବିଜୟ ଲାଭ କରିଥିବାବେଳେ ସରକାର ଗଠନ ପାଇଁ ଆଉ ୨ଟି ଆସନ ଦରକାର ଥିଲା କଂଗ୍ରେସକୁ । ବିଏସ୍ପିର ସମର୍ଥନ ପରେ ମଧ୍ୟପ୍ରଦେଶରେ କଂଗ୍ରେସ ସରକାର ଗଢିବା ନେଇ ଏକପ୍ରକାର ପଥ ପରିଷ୍କାର ହୋଇଯାଇଛି।

ମଧ୍ୟପ୍ରଦେଶରେ ସରକାର ଗଠନ କରିବା ନେଇ ଯେଉଁ ସସ୍ପେନ୍ସ ଲାଗିରହିଥିଲା ସେଥିରେ ପୂର୍ଣ୍ଣଛେଦ ପଡ଼ିଛି। କଂଗ୍ରେସର ଦୁଇ ହେଭିୱେଟ୍ ବରିଷ୍ଠ କଂଗ୍ରେସ ନେତା କମଳନାଥ ଏବଂ ଯୁବ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ମଧ୍ୟରୁ କେହି ଜଣେ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ।

ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ ପଦରେ କିଏ ବସିବ ଆଜି ଅପରାହ୍ନରେ ଏଆଇସିସି ଓ ମଧ୍ୟପ୍ରଦେଶ କଂଗେସ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହେବା ନେଇ ସୂଚନା ମିଳିଛି । ଏହି ବୈଠକ ପରେ କାହା ମୁଣ୍ଡରେ ସ୍ୱର୍ଣ୍ଣ କଳସ ଢଳାଯିବ ସେନେଇ ସ୍ପଷ୍ଟ ହେବ ବୋଲି ସାଧାରଣରେ ଆଶା ପ୍ରକଟ କରାଯାଉଛି ।

Leave A Reply

Your email address will not be published.