Latest Odisha News

BREAKING NEWS

ପୁରୀ ହିଂସାକାଣ୍ଡ ଘଟଣାରେ ଆଉ ୧୨ଜଣ ଗିରଫ

ପୁରୀ: ଅକ୍ଟୋବର ୩ ତାରିଖରେ ପୁରୀ ବନ୍ଦ ପାଳନ ବେଳେ ଘଟିଥିବା ହିଂସାକାଣ୍ଡରେ ସଂଶ୍ଲିଷ୍ଟ ଆଉ ୧୨ ଜଣ ଗଣ୍ଡୋଗଳକାରୀଙ୍କୁ ଗିରଫ କରିଛି ଟାଉନ ଥାନା ପୋଲିସ ।

ସିସିଟିଭି ଫୁଟେଜକୁ ଭିତ୍ତିକରି ଏହି ୧୨ ଜଣଙ୍କୁ ଗିରଫ କରାଯାଇଛି ।

ଶନିବାର ପୋଲିସ ଯେଉଁ ୧୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ସେମାନଙ୍କ ମଧ୍ୟରେ ଅଧିକାଂଶ ‘ଗୁମାସ୍ତା’ଭାବେ କାର୍ଯ୍ୟ କରିଥାଆନ୍ତି । ଏହି ‘ଗୁମାସ୍ତା’ ବା ଏଜେଣ୍ଟମାନେ ସାଧାରଣତଃ ବାହାର ରାଜ୍ୟର ଅଣଓଡ଼ିଆ ଭକ୍ତମାନଙ୍କୁ ମନ୍ଦିର ଭିତରକୁ ନେଇ ମନ୍ଦିରରେ ଦିଅଁ ଦର୍ଶନ କରାଇଥାଆନ୍ତି । ଶନିବାର ୧୨ ଜଣ ଗିରଫ ହେବାପରେ ପୂର୍ବରୁ ଗିରଫ ହୋଇଥିବା ୧୧ ଜଣଙ୍କୁ ମିଶାଇ ଏହି ହିଂସାକାଣ୍ଡରେ ମୋଟ ୨୩ ଜଣ ଗିରଫ ହୋଇସାରିଛନ୍ତି ।

ସୂଚନାନୁଯାୟୀ, ପୁରୀ ହିଂସାକାଣ୍ଡରେ ଜଡ଼ିତ ରହିଥିବା ସନ୍ଦେହରେ ଅନ୍ୟ ୨୦ରୁ ୨୫ ଜଣ ବ୍ୟକ୍ତିଙ୍କୁ ପୋଲିସ ଥାନାକୁ ଆଣି ପଚରାଉଚରା କରୁଛି ।

ତେବେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଭଙ୍ଗାରୁଜା ସହିତ ଲୁଟତରାଜ ପରି ହିଂସାକାଣ୍ଡ ଘଟଣା ନେଇ ଟାଉନ ଥାନାରେ ୬ଟି ଏବଂ ସିଂହଦ୍ୱାରା ପୋଲିସ ଷ୍ଟେସନରେ ୯ଟି କେସ୍ ରୁଜୁ ହୋଇଥିବାର ସୂଚନା ମିଳିଛି ।

ଏଠାରେ ସୂଚନାଯୋଗ୍ୟ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଶ୍ରୀଜଗନ୍ନାଥଙ୍କ ଦର୍ଶନ ଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଧାଡ଼ି ଦର୍ଶନର ବ୍ୟବସ୍ଥା ହୋଇଥିଲା । ଏହାକୁ ବିରୋଧ କରି ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଅକ୍ଟୋବର ୩ ତାରିଖରେ ପୁରୀ ବନ୍ଦ ଡ଼ାକରା ଦିଆଯାଇଥିଲା ।

ପୋଲିସ ଶ୍ରୀଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକଙ୍କୁ ତାଙ୍କ ଘରୁ ଗିରଫ କରିବା ପରେ ବନ୍ଦ ପାଳନ ହିଂସାତ୍ମକ ରୂପ ନେଇଥିଲା ।

ଏହି ହିଂସାକାଣ୍ଡରେ ବିକ୍ଷୋଭକାରୀମାନେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଅଫିସ ମଧ୍ୟରେ ପଶି ଲୁଟ୍ ତରାଜ ଓ ବ୍ୟାପକ ଭଙ୍ଗାରୁଜା କରିବା ସହିତ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ମହେଶ୍ୱର ମହାନ୍ତି ଏବଂ ପୁରୀ ଏସପି ସାର୍ଥକ ଷଡ଼ଙ୍ଗୀଙ୍କ ବାସଭବନ ଉପରକୁ ଢେଲାମାଡ଼ କରିଥିଲେ ।

 

ପରେ ପୋଲିସ ଏହି ବିକ୍ଷୋଭକାରୀଙ୍କୁ ଘଉଡ଼ାଇବା ଲାଗି ବାଧ୍ୟ ହୋଇ ଲୁହବୁହା ଗ୍ୟାସ ପ୍ରୟୋଗ କରିବା ସହିତ ଲାଠି ଚାର୍ଜ କରିଥିଲେ ।

Leave A Reply

Your email address will not be published.