Latest Odisha News

BREAKING NEWS

‘ନିର୍ମାଣ କୁସୁମ ଯୋଜନା’ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ, ବୈଷୟିକ ଶିକ୍ଷା ଲାଗି ଉପକୃତ ହେବେ ଶ୍ରମିକଙ୍କ ସନ୍ତାନ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନିର୍ମାଣ ଶ୍ରମିକ ମାନଙ୍କ ପିଲାମାନଙ୍କ ବୈଷୟିକ ଶିକ୍ଷା ପାଇଁ ନିର୍ମାଣ କୁସୁମ ଯୋଜନାର ଶୁଭାରମ୍ଭ କରିଛନ୍ତି । ଆଜି ସ୍ଥାନୀୟ ଜୟଦେବ ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ଯୋଜନାର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ “ନିର୍ମାଣ ଶ୍ରମିକଙ୍କ ପିଲାମାନଙ୍କ ପାଠ ପଢିବାର ସ୍ୱପ୍ନକୁ ପୂରଣ କରିବା ପାଇଁ ଏହି ଯୋଜନା ଆରମ୍ଭ କରାଯାଇଛି” ।

ଆହୁରି ମଧ୍ୟ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସରକାରୀ କଲେଜରେ ଆଇଟିଆଇ, ପଲିଟେକନିକ୍ ଓ ଡିପ୍ଲୋମା କରିବା ପାଇଁ ଶହେ ପ୍ରତିଶତ ଆର୍ଥିକ ସୁବିଧା ଦିଆଯିବ ସହ ଚଳିତ ବର୍ଷ ଏହି ଯୋଜନାରେ ହିତାଧିକାରୀ ମାନଙ୍କ ପାସବୁକରେ ଏକ କୋଟିରୁ ଅଧିକ ଟଙ୍କା ଜମା କରାଯାଇଛି ।

ଏଥିସହିତ ନିର୍ମାଣ ଶ୍ରମିକଙ୍କ ଝିଅମାନଙ୍କ ଶିକ୍ଷା ପାଇଁ ଷଷ୍ଠ ଶ୍ରେଣୀରୁ ଆରମ୍ଭ କରି ସ୍ନାତକୋତ୍ତର ଶିକ୍ଷା ପର୍ଯ୍ୟନ୍ତ ପ୍ରତି ସ୍ୱରରେ ସହାୟତା ରାଶିର ପରିମାଣକୁ ୨୦ ପ୍ରତିଶତ ବୃଦ୍ଧି କରାଯାଇଛି । ନିର୍ମାଣ ଶ୍ରମିକଙ୍କ ମୃତ୍ୟୁ କ୍ଷେତ୍ରରେ ସେମାନଙ୍କ ପରିବାରକୁ ସହାୟତା ରାଶିର ପରିମାଣକୁ ମଧ୍ୟ ଦୁଇ ଗୁଣ କରାଯାଇଛି ।

ଏହି ଯୋଜନାରେ ଆଇଟିଆଇ ଶିକ୍ଷା ପାଇଁ ୨୩,୬୦୦ ଟଙ୍କା ଓ ଡିପ୍ଲୋମା ଶିକ୍ଷା ପାଇଁ ୨୬,୩୦୦ ଟଙ୍କାର ଆର୍ଥିକ ସୁବିଧା ପ୍ରଦାନ କରାଯାଇଛି । ୨୦୧୮-୧୯ ଶିକ୍ଷା ବର୍ଷ ୧୮୭୮ ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ୧.୦୯ କୋଟି ଟଙ୍କାର ସହାୟତା ଜମା କରାଯାଇଛି । ସେହିପରି ନିର୍ମାଣ ଶ୍ରମିକଙ୍କ ସ୍ୱାଭାବିକ ମୃତ୍ୟୁ କ୍ଷେତ୍ରରେ ପରିବାରକୁ ସହାୟତା ରାଶିର ପରିମାଣ ୨ଲକ୍ଷରୁ ୪ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ହିତାଧିକାରୀଙ୍କୁ ସହାୟତା ପ୍ରଦାନ କରିଥିଲେ । ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ସୁବାସ ସିଂ, ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ପ୍ରମୁଖ ସଚିବ, ଶ୍ରମ କମିଶନର, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ସଚିବ, ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶକ ପ୍ରମୁଖ ଯୋଗ ଦେଇଥିଲେ ।

Leave A Reply

Your email address will not be published.