Latest Odisha News

BREAKING NEWS

ରାଜ୍ୟ ସରକାରଙ୍କ ପକ୍ଷରୁ ପାଳିତ ହେବ ହରେକୃଷ୍ଣ ମହତାବଙ୍କର ୧୨୫ତମ ଜନ୍ମ ଶତବାର୍ଷିକୀ

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଉତ୍କଳ କେଶରୀ ଡ. ହରେକୃଷ୍ଣ ମହତାବଙ୍କର ୧୨୫ତମ ଜନ୍ମ ଶତବାର୍ଷିକୀ ପାଳିତ ହେବ। ଏଥିପାଇଁ ଆସନ୍ତା ନଭେମ୍ବର ୨୧ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ କରାଯିବ । ବିଭାଗୀୟ ନିର୍ଦ୍ଦେଶକ ଦିଲୀପ ରାଉତରାଏଙ୍କ ଅଧ୍ୟକ୍ଷତାରେ ସଂସ୍କୃତି ଭବନଠାରେ ଏଥିନେଇ ଏକ ପ୍ରସ୍ତୁତି ବୈଠକ କରାଯାଇ ଡ. ମହତାବଙ୍କ ଜନ୍ମ ଶତବାର୍ଷିକୀ ପାଳନରେ ଅନେକ କାର୍ଯ୍ୟକ୍ରମ ଲାଗି ନିଷ୍ପତ୍ତି ହୋଇଛି ।

ବୈଠକର ନିଷ୍ପତ୍ତି ଅନୁଯାୟୀ ପାର୍ଲାମେଣ୍ଟ ଏବଂ ଓଡ଼ିଶା ବିଧାନସଭାରେ ଥିବା ଡ. ମହତାବଙ୍କ ପ୍ରମୁଖ ବକ୍ତବ୍ୟ ଓ ପ୍ରସ୍ତାବଗୁଡ଼ିକୁ ଏକତ୍ର କରାଯାଇ ଏକ ସଂକଳନ ପ୍ରକାଶ କରାଯିବ। ମହତାବଙ୍କ ଜୀବନୀ ତଥା କୃତି ସମ୍ପର୍କିତ ସମ୍ପାନ ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ବିଶ୍ବବିଦ୍ୟାଳୟରେ ଅନୁଷ୍ଠିତ ହେବ। ଓଡ଼ିଶାର ବିଭିନ୍ନ ସ୍ଥାନରେ ଡ. ମହତାବଙ୍କ ପ୍ରତିମୂର୍ତ୍ତି ସ୍ଥାପନ ହେବ। ତାଙ୍କ ଜନ୍ମପୀଠ ଭଦ୍ରକ ଜିଲ୍ଲା ଅଗରପଡ଼ା ଗ୍ରାମକୁ ଆଦର୍ଶ ଗ୍ରାମ ଭାବରେ ଘୋଷଣା କରାଯାଇ ତାଙ୍କ ନାମରେ ପାଠାଗାର ଓ ପାର୍କ ପ୍ରତିଷ୍ଠା କରାଯିବ। ତାଙ୍କ ଜୀବନୀ ସମ୍ପର୍କିତ ଏକ ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାଣ ହେବ। ଏହା ସହ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଭିନ୍ନ ବିଶ୍ବବିଦ୍ୟାଳୟରେ ମହତାବଙ୍କ ଜୀବନ ସମ୍ପର୍କିତ ଆଲୋଚନା ତଥା ପ୍ରତିଯୋଗିତାମାନ କରାଯିବ। ନଭେମ୍ବର ୧୯, ୨୦ ଓ ୨୧ ତାରିଖ ତିନିଦିନ ଧରି ଉତ୍ସବ ହେବ ଏବଂ ସବୁ ଜିଲ୍ଲା ସଦର ମହକୁମାରେ ସ୍ବତନ୍ତ୍ର ନୃତ୍ୟନାଟିକା ପରିବେଷଣ କରାଯିବ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସାହିତ୍ୟ ଏକାଡେମୀ, ଓଡ଼ିଶା ଭାଷା ପ୍ରତିଷ୍ଠାନ ଏବଂ ଓଡ଼ିଶା ସଂଗୀତ ନାଟକ ଏକାଡେମୀ ସହିତ ରାଜ୍ୟ ଅଭିଲେଖାଗାର, ସଂସ୍କୃତି ବିଶ୍ବବିଦ୍ୟାଳୟ ଏବଂ ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାର ପକ୍ଷରୁ ଏହି କାର୍ଯ୍ୟକ୍ରମମାନ ଗ୍ରହଣ କରାଯିବ ।

ବୈଠକରେ ବିଭାଗୀୟ ଯୁଗ୍ମ ନିର୍ଦ୍ଦେଶକ ସୁବୋଧ ଚନ୍ଦ୍ର ଆଚାର୍ଯ୍ୟ ସ୍ବାଗତ ଅଭିଭାଷଣ ପ୍ରଦାନ କରି ଥିବା ବେଳେ ସଂଗୀତ ନାଟକ ଏକାଡେମୀ ସଚିବ ପ୍ରବୋଧ ରଥ, ଡ. ମହତାବ ମେମୋରିଆଲ ସେଣ୍ଟର ସଦସ୍ୟ ଉପେନ୍ଦ୍ର ପାଢ଼ୀ, ରାଜ୍ୟ ସ୍ବାଧୀନତା ସଂଗ୍ରାମୀ ଯୁବ ସାମ୍ମୁଖ୍ୟ ସମ୍ପାଦକ ବିରୂପାକ୍ଷ ତ୍ରିପାଠୀ, ସଂସ୍କୃତି ବିଭାଗ ଉପନିର୍ଦ୍ଦେଶକ ଦେବାନନ୍ଦ ବରିହା ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀ ସହ ସଚିବ ପ୍ରଦୀପ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.