Latest Odisha News

BREAKING NEWS

ତୋଷାଳି ମେଳା: କୋରାପୁଟ ଜନଜାତିଙ୍କ ସଂଗୀତ ଓ ନୃତ୍ୟ ସାଜିଲା ଆକର୍ଷଣ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ଚଳିତ ବର୍ଷ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ୨୦୧୯ ସ୍ଥାନୀୟ ଜନତା ମଇଦାନଠାରେ ଡିସେମ୍ବର ୧୫ ତାରିଖଠାରୁ ଆରମ୍ଭ ହୋଇଛି । ସାରା ଦେଶରହସ୍ତଶିଳ୍ପ କାରିଗର, ବୁଣାକାର ଓ ସ୍ଥପତିକାରମାନେ ଏହି ମେଳାରେ ଅଂଶଗ୍ରହଣ କରିଛନ୍ତି ।

ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଗୁରୁବାର ଦ୍ୱାଦଶ ଦିନରେ ପହଞ୍ଚିଛି । ଦ୍ୱାଦଶ ସନ୍ଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମକୁ ବିଭାଗୀୟ ପ୍ରମୁଖ ଶାସନ ସଚିବ  ହେମନ୍ତ କୁମାର ଶର୍ମା ପ୍ରଦୀପ ପ୍ରଜ୍ୱଳନ କରି ଉଦ୍‌ଘାଟନ କରିଥିଲେ । ଏହି ଉଦ୍‌ଘାଟନ ଉତ୍ସବରେ ବିଭାଗୀୟ ସ୍ୱତନ୍ତ୍ର ସଚିବ ଶ୍ରୀକାନ୍ତ ପୃଷ୍ଟି, ବିଭାଗୀୟ ଯୁଗ୍ମ ସଚିବ  ଅଂଜନା ପଣ୍ଡା ଏବଂ ‘ସିଡାକ୍‌’ର ମେମ୍ବର ସେକ୍ରେଟାରୀ  ସିତିକାନ୍ତ ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ ।

ଚଳିତ ବର୍ଷ ତୋଷାଳି ମେଳାରେ ବିଶେଷ କାର୍ଯ୍ୟକ୍ରମ ସ୍ୱରୂପ ମୁକ୍ତ ମଞ୍ଚରେ ଧୁଡ଼ୁକି, କେ„ଇନାଚ, ପାଲା, ଦାସକାଠିଆ, ମୃଦଙ୍ଗ, ଜନଜାତି ନୃତ୍ୟ, ଘୋଡ଼ାନାଚ ଆଦି ପ୍ରଦର୍ଶିତ ହୋଇଥିଲା । ଦିନ ୧୧ଟା ଠାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ଚିତ୍ତାକର୍ଷକ ସାଂସ୍କୃତିକ ଲୋକସଂଗୀତ ଆଧାରରେ ହେଉଥିବା କାର୍ଯ୍ୟକ୍ରମଗୁଡ଼ିକ ଦର୍ଶକମାନଙ୍କୁ ବେଶ୍‌ ଆକର୍ଷିତ କରିଥିଲା ।

ଗୁରୁବାର ମେଳାରେ ‘ବୟନିକା’ ସମ୍ବଲପୁରୀ ବସ୍ତ୍ରାଳୟ, ଅମ୍ଳାନ, ଉତ୍କଳିକା, ଡିଜାଇନର ଷ୍ଟଲ୍‌ରେ ହସ୍ତତନ୍ତ ସାମଗ୍ରୀ କ୍ରୟ କରିବା ପାଇଁ ଲୋକମାନଙ୍କର ଭିଡ଼ ଜମିଥିଲା । ସେହିପରି ଭାରତର ବିଭିନ୍ନ ପ୍ରାନ୍ତରୁ ଆସିଥିବା ହସ୍ତତନ୍ତ ଓ ବୟନ ଷ୍ଟଲ୍‌ରେ ପ୍ରବଳ ଲୋକଗହଳି ହୋଇଥିଲା । ସେହିଭଳି ଚାନ୍ଦୁଆକାମ, ଆଧୁନିକ ଚାନ୍ଦୁଆ, ହସ୍ତଶିଳ୍ପ, ବାଉଁଶଶିଳ୍ପ, ବେତ ଓ ବାଉଁଶ ଶିଳ୍ପ, ବ୍ରାସ୍‌ ଓ ବେଲ୍‌ ମେଟାଲ୍‌, ଡୋକ୍ରା କାଷ୍ଟିଂ, ଏମ୍ବ୍ରଡରୀ, ଗୋଲ୍‌ଡେନ୍‌ ଗ୍ରାସ୍‌ ଶିଳ୍ପ, ଶିଙ୍ଗ କାମ, ଜୁଏଲାରୀ, ଝୋଟଶିଳ୍ପ, ଲାଖଚୂଡ଼ି, ହାତ ଏମ୍ବ୍ରଡରୀ, ଧାନ୍ୟଶିଳ୍ପ, ତାଳପତ୍ର ହସ୍ତଶିଳ୍ପ, ତାଳପତ୍ର ଓ ପଟ୍ଟଚିତ୍ର, କାଗଜ ମୁଖା, ସବାଇ ଘାସ ପ୍ରସ୍ତୁତ ଶିଳ୍ପ, ଶାମୁକା ଶିଳ୍ପ, ରୂପା ତାରକସି ହସ୍ତଶିଳ୍ପ, ସଫଫଟଏ, ପଥର ଖୋଦେଇ, ପଥର ବାସନ, ଟେରାକୋଟା, କାରୁକାର୍ଯ୍ୟସଂପନ୍ନ ବାସନକୁସନ, କାଠଖୋଦେଇ, ନଡ଼ାରେ ତିଆରି ହସ୍ତଶିଳ୍ପ, ତାଳପତ୍ରରେ ତିଆରି ଘରସଜ୍ଜା ଜିନିଷ, କାଠ ଖେଳଣା, ଜନଜାତି ଗହଣା, ପେଣ୍ଟିଂ ଓ ଟେକ୍ସଟାଇଲ୍‌ ଆଦି ତୋଷାଳି ମେଳାରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ।

ଗୁରୁବାରସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମରେ କୋରାପୁଟର ମାଉଲି ମାଁଙ୍କ ଭଜନ ଓ ଭକ୍ତିସଂଗୀତ ଗାନ କରିଥିଲେ କାହ୍ନା ଚରଣ ମିଶ୍ର ଓ ଶ୍ରୀତମ ସାମନ୍ତରାୟ । ପରେ ପରେ କୋରାପୁଟ ଜିଲ୍ଲାର କୋଟ୍‌ପାଡ୍‌ କଳାବିକାଶ କେନ୍ଦ୍ରର ଲୋକନୃତ୍ୟ ଓ ଆଦିବାସୀ ନୃତ୍ୟ ‘ଢେମ୍‌ସା’ ପରିବେଷଣ କରାଯାଇଥିଲା । ଏହି ଢେମ୍‌ସା ନୃତ୍ୟର କୋରିଓଗ୍ରାଫର ସାଗର ବିଶୋଇ ଓ ସ୍ୱଦେଶ ବିଶୋଇ ଥିଲେ । ୨ଟି ଆଦିବାସୀ ସଂଗୀତ ଓ ପ୍ରାୟ ୧୦ଟି ନୃତ୍ୟକୁ ୨୫ ଜଣ ଝିଅ ଓ ପୁଅ ଅଦି ସୁନ୍ଦର ଭାବେ ନୃତ୍ୟ କରି ଦର୍ଶକମାନଙ୍କୁ ବିମୁଗ୍ଧ କରିଥିଲେ ।

କୋରାପୁଟ ଜନଜାତିମାନଙ୍କର ଏହି ଢେମ୍‌ସା ନୃତ୍ୟ ପାରମ୍ପରିକ ନୃତ୍ୟ ଅଟେ । ଜନଜାତିମାନେ ଦିନସାରା ବିଲରେ କାମ କଲାପରେ ସନ୍ଧ୍ୟାରେ ଘରକୁ ଫେରିବା ସମୟରେ ଗାଁ ମଝିରେ ଏକାଠି ହୋଇ ଏହି ‘ଢେମ୍‌ସା’ ନୃତ୍ୟ କରିଥା’ନ୍ତି । ଏହା ବିଶେଷତଃ ଚଇତି, ପରବ, ଦିଆଲି ଓ ପର୍ବପର୍ବାଣି ସମୟରେ ଅନୁଷ୍ଠିତ ହୋଇଥାଏ ।

ନୃତ୍ୟଶିଳ୍ପୀମାନେ ଆଜି ଗୀତ ଗାଇ ଗାଇ ଅତି ମନମୁଗ୍ଧକର ନୃତ୍ୟ ପରିବେଷଣ କରି ତୋଷାଳି ମେଳାର ଦର୍ଶକମାନଙ୍କୁ ବିମୋହିତ କରିଥିଲେ ।
ତୋଷାଳି ମେଳା ଡିସେମ୍ବର ୨୭ ତାରିଖ ପର୍ଯ୍ୟନ୍ତ ଦିନ ୧୧ଟାରୁ ରାତି ୯ଟା ୩୦ ପର୍ଯ୍ୟନ୍ତ ଖୋଲାରହିବ ।

Leave A Reply

Your email address will not be published.