Latest Odisha News

BREAKING NEWS

ଜିଏସଟି ବାବଦ ୧୩୮ କୋଟି ଟଙ୍କାର ଟିକସ ଠକେଇ : ୪ ଗିରଫ

ଭୁବନେଶ୍ୱର: ରାଜ୍ୟରେ ବଡ଼ ଧରଣର ଜିଏସଟି ଘୋଟାଲାର ତଦନ୍ତ କରି ରାଉରକେଲାରୁ ୩ ଜଣ ଓ ଯାଜପୁରରୁ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି ଜିଏସଟି କମିଶନର ସୁଶିଲ ଲୋହାନୀ ।

ସେ କହିଛନ୍ତି ଯେ, ମିଛ ନେଣଦେଣ ଦେଖାଇ ବ୍ୟାପକ ଟିକସ ହେରଫେର୍ କରାଯାଇଛି । ସାଧାରଣ ଲୋକ ଓ ଗୃହିଣୀଙ୍କ ନାମରେ ଆକାଉଂଟ ଖୋଲି ଏହି ଅର୍ଥ ଦେଣନେଣ କରାଯାଉଥିଲା । ଦୀର୍ଘ ୨ ମାସ ଧରି ଅନୁସନ୍ଧାନ କରିବା ପରେ ଏହି ହେରଫେର୍ ଧରାପଡିଛି ।

ମିଛ ଇ-ୱେବିଲ୍, ମିଛ ଇନ୍ ଭଏସ୍ କରି ଅଭିଯୁକ୍ତ ମାନେ ଟିକସ ଠକେଇ କରି ଆସୁଥିଲେ । ଠକେଇର ମାଷ୍ଟର ମାଇଣ୍ଡ ରାଉରକେଲାର ଅତୁଲ ବଂଶଲ ବୋଲି ସୁଶିଲ ଲୋହାନୀ କହିଛନ୍ତି ।

ଘଟଣାରେ ଅତୁଲ ସମେତ ୪ ଜଣଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ ରାଉରକେଲାର ଦୀନଦୟାଲ୍ ଅଗ୍ରୱାଲ, ଆଦିତ୍ୟ ନାୟକ ଓ ଯାଜପୁରର ରାମଚନ୍ଦ୍ର ମଲ୍ଲିକ । ଦୁଇ ମାସ ମଧ୍ୟରେ ଏମାନେ ପ୍ରାୟ ୧୩୮ କୋଟି ଟଙ୍କାର ଟିକସ ଠକେଇ କରିଥିଲେ ।

ଜିଏସଟି ଏନଫୋର୍ସମେଂଟ ଟିମ୍ ଆଜି ସକାଳେ ରାଉରକେଲାର ତିନୋଟି ସ୍ଥାନରେ ଚଢ଼ଉ କରିଥିଲା । ରାଉରକେଲା ଓ ଝାରସୁଗୁଡ଼ାର ଜିଏସଟି ଟିମ୍ ପକ୍ଷରୁ ମିଳିତ ଭାବେ ଏହି ଚଢ଼ଉ କରାଯାଇଥିଲା । ଚଢ଼ଉ ବେଳେ ଏସବୁ ସ୍ଥାନରୁ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଅଧିକାରୀ ମାନଙ୍କ ହସ୍ତଗତ ହୋଇଛି । ଯାହାକୁ ନେଇ ବିଭାଗୀୟ ତଦନ୍ତ ପ୍ରକ୍ରିୟା ଜାରୀ ରହିଥିବା ନେଇ ସୂଚନା ମିଳିଛି ।

Leave A Reply

Your email address will not be published.