Latest Odisha News

BREAKING NEWS

ଶବଦାହର ୧୫ ଦିନ ପରେ ଆସିଲା ଫୋନ୍‌ କଲ୍‌: ‘ଆପଣଙ୍କ ପୁଅ ଜୀବିତ ଅଛି’

ପଞ୍ଜାବ : ପଞ୍ଜାବର କପୁରଥଲା ଜିଲ୍ଲାରୁ ଏକ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଯେଉଁ ପୁଅକୁ ମୃତ ଭାବି ପରିବାର ଲୋକେ ଶ୍ରାଦ୍ଧ ଓ ଅନ୍ତିମ ସଂସ୍କାର ସାରିସାରିଥିଲେ, ସେହି ପୁଅ ୧୫ ଦିନ ପରେ ଜେଲ୍‌ରେ ଜୀବିତ ଥିବା ଜଣାପଡ଼ିଛି।

କପୁରଥଲାର କାଦୁପୁର ଗାଁର ରବି କୁମାର (୨୪) ଗତ ଅଗଷ୍ଟ ୫ ତାରିଖରୁ ନିଖୋଜ ଥିଲେ। ପରିବାର ଲୋକେ ନିଜସ୍ୱ ସ୍ତରରେ ବହୁତ ଖୋଜାଖୋଜି କରିବା ପରେ ନପାଇବାରୁ ଅଗଷ୍ଟ ୧୧ରେ କପୁରଥଲା ସିଟି ପୁଲିସ ଥାନାରେ ଏକ ନିଖୋଜ ଏତଲା ଦେଇଥିଲେ। ଏହି ସମୟରେ ପୁଲିସ କାଞ୍ଜଲି ରୋଡ୍ ନିକଟରୁ ଏକ ଅଜଣା, ନଷ୍ଟ ହୋଇଯାଇଥିବା ଏବଂ କ୍ଷତବିକ୍ଷତ ମୃତଦେହ ଉଦ୍ଧାର କରିଥିଲା। ମୃତଦେହର ଚେହେରା ବିକୃତ ହୋଇଯାଇଥିବାରୁ ଏହାକୁ ଚିହ୍ନିବା ଅସମ୍ଭବ ଥିଲା। ମାତ୍ର, ମୃତଦେହ ପିନ୍ଧିଥିବା ପୋଷାକକୁ ଦେଖି ପରିବାର ଲୋକେ ଏହା ରବିଙ୍କର ବୋଲି ଭାବି ନେଇଥିଲେ। ପୁଲିସଠାରୁ ଶବ ଗ୍ରହଣ କରିବା ପରେ ଅଗଷ୍ଟ ୧୩ରେ ମୃତଦେହର ଶବଦାହ କରାଯାଇଥିଲା ଏବଂ ଅଗଷ୍ଟ ୧୫ରେ ପରିବାର ଲୋକେ ଶ୍ରାଦ୍ଧ କାର୍ଯ୍ୟ ମଧ୍ୟ ସମ୍ପନ୍ନ କରିଥିଲେ।

ତେବେ ସେପ୍ଟେମ୍ବର ୨ ତାରିଖରେ କପୁରଥଲା ସେଣ୍ଟ୍ରାଲ ଜେଲ୍‌ର ଜଣେ କର୍ମଚାରୀଙ୍କ ନିକଟରୁ ପରିବାରକୁ ଏକ ଅଚାନକ ଫୋନ୍ କଲ୍ ଆସିଥିଲା। ଅପରାଧୀ କାର୍ଯ୍ୟକଳାପ ଅଭିଯୋଗରେ ଜଳନ୍ଧର ପୁଲିସ ଦ୍ୱାରା ଗିରଫ ହୋଇ ରବି ଜେଲ୍‌ରେ ବନ୍ଦୀ ଥିବା ଜେଲ୍ ସୂତ୍ରରୁ ଜଣାପଡ଼ିଥିଲା। ପ୍ରଥମେ ଏହାକୁ ବିଶ୍ୱାସ କରିପାରିନଥିବା ପରିବାର ଲୋକେ ପରଦିନ ଜେଲ୍‌କୁ ଯାଇ ରବିଙ୍କୁ ସାକ୍ଷାତ କରିଥିଲେ ଏବଂ ନିଜ ଆଖି ଆଗରେ ପୁଅକୁ ଜୀବିତ ଦେଖି ସେମାନଙ୍କର ଆଶ୍ଚର୍ଯ୍ୟର ସୀମା ରହିନଥିଲା। ରବି ଜଣାଇଥିଲେ ଯେ ଅଗଷ୍ଟ ୬ ତାରିଖରୁ ହିଁ ପୁଲିସ ତାଙ୍କୁ ଜେଲ୍‌କୁ ପଠାଇ ଦେଇଥିଲା।

ପୁଅ ଜୀବିତ ମିଳିବା ପରେ ପରିବାରରେ ଖୁସିର ଲହରୀ ଖେଳିଯାଇଥିଲେ ବି ଏହି ଘଟଣା ପୁଲିସର କାର୍ଯ୍ୟାନୁଷ୍ଠାନ ଏବଂ ଶବ ଚିହ୍ନଟ ପ୍ରକ୍ରିୟା ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଯେଉଁ ଅଜଣା ଯୁବକଙ୍କର ଶବଦାହ କରାଗଲା, ସେ ପ୍ରକୃତରେ କିଏ? ବର୍ତ୍ତମାନ ପୁଲିସ ସେହି ମୃତକଙ୍କ ପ୍ରକୃତ ପରିଚୟ ସ୍ପଷ୍ଟ କରିବା ସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.