Latest Odisha News

BREAKING NEWS

୧୭୭ ବର୍ଷର ଦୁର୍ଗାପୂଜା

ବାଲେଶ୍ୱର : ଆଜି ଜଗତଜନନୀ ମା’ ଦୁର୍ଗାଙ୍କ ଅଷ୍ଟମୀ ପୂଜା । ବାଲେଶ୍ୱରରେ ୧୭୭ ବର୍ଷ ଧରି ନିଷ୍ଠାର ସହ ଚାଲିଛି ଜମିଦାର ଦାସ ଘରେ ମା’ଙ୍କ ଶାରଦୀୟ ଦୁର୍ଗାପୂଜା । ସ୍ୱତନ୍ତ୍ର ରୀତିନୀତି ଓ କରୋନା କଟକଣା ମଧ୍ୟରେ ମହାମାୟୀଙ୍କ ପୂଜାର୍ଚ୍ଚନା ଚାଲିଛି । ଜିଲ୍ଲାର ବିଭିନ୍ନ ସାର୍ବଜନୀନ ମଣ୍ଡପ ଠାରୁ ଏହା ଭିନ୍ନ। ବାଲେଶ୍ୱର ସହର ବାରବାଟୀ ଅଞ୍ଚଳରେ ସର୍ବପୁରାତନ ଘରୋଇ ପୂଜା ମଣ୍ଡପ ଭାବେ ପରିଚିତ ଜମିଦାର ଦାସ ଘରର ଦୁର୍ଗାପୂଜାର ପରମ୍ପରା ଓ ଆଦର୍ଶ ଆଜିବି ବଜାୟ ରହିଛି ।

ବିରଜା ପାଞ୍ଜି ଅନୁସାରେ ମହାଳୟା ଠାରୁ ଜମିଦାର ମଦନ ମୋହନ ଦାସଙ୍କ ଘରେ ଦେବୀଙ୍କର ନବପତ୍ରିକା ପୂଜା ଆରମ୍ଭ ହୋଇଥାଏ । ସ୍ୱତନ୍ତ୍ର ନୀତି ମଧ୍ୟରେ ପ୍ରତ୍ୟେହ ମା’ଙ୍କର ଷଡୋଶ ଉପଚାର ପୂଜା ସହିତ ସପ୍ତଶତୀ ଚଣ୍ଡିପାଠ ଏବଂ ଆହୁତି ପ୍ରଭୃତି କର୍ମ ଅନୁଷ୍ଠିତ ହୁଏ । ମା’ଙ୍କ ପୂଜା ନିମନ୍ତେ ନିକଟସ୍ଥ ବୁଢାବଳଙ୍ଗ ନଦୀରୁ ଦୁଇ ଥର ଘଟ ଉତୋଳନ କରାଯାଇଥାଏ । ନବରାତ୍ର ପୂଜା ପାଇଁ ନବପତ୍ରିକା ଘଟ ଓ ସପ୍ତମୀ ଦିନ ଆଦ୍ୟଦେବ ଗଣେଶ ଓ ମା’ଙ୍କ ଘଟ ଉତୋଳନ କରାଯାଇଥାଏ । ପ୍ରତିପଦ ତିଥିରେ ବୁଢାବଳଙ୍ଗ ନଦୀର ବାଲିଘାଟ ଠାରୁ ଘଟକୁ ଶୋଭାଯାତ୍ରାରେ ମଣ୍ଡପକୁ ଅଣାଯିବା ପରେ ଆରମ୍ଭ ହୋଇଥାଏ ନବରାତ୍ର ପୂଜା ।

ସମ୍ପୂର୍ଣ୍ଣ ସାତ୍ୱିକ ପଦ୍ଧତିରେ ହୋଇ ଆସୁଥିବା ମା’ଙ୍କର ଶତାଧିକ ବର୍ଷର ଏହି ପୂଜା ସବୁଠି ବେଶ୍ ପରିଚିତି ଲାଭ କରିପାରିଛି । ଜମିଦାର ମଦନ ମୋହନ ଦାସଙ୍କ ଘରର ଦୁର୍ଗାପୂଜାରେ ସାମିଲ ହେବାକୁ ବିଭିନ୍ନ ଅଞ୍ଚଳରେ ଶ୍ରଦ୍ଧାଳୁ ଆସି ଦାସ ଘରେ ଭିଡ ଜମାଇଥାନ୍ତି । ଦେବୀ ଦର୍ଶନ ସହ ପୂଜା ଡାଲା ଅର୍ପଣ ପାଇଁ ସହସ୍ରାଧିକ ଲୋକ ଛୁଟି ଆସନ୍ତି ଏଠାକୁ ।

ତେବେ ଜମିଦାର ମଦନ ମୋହନ ଦାସଙ୍କ ଘର ଦୂର୍ଗାପୂଜା ଆରମ୍ଭ ପଛରେ ରହିଛି ଏକ କିମ୍ବଦନ୍ତୀ । ପରିବାର ସଦସ୍ୟଙ୍କ ଅନୁସାରେ, ଦୂର୍ଗାପୂଜାକୁ ପନ୍ଦରଦିନ ବାକିଥାଏ । ସନ୍ଧ୍ୟା ସମୟରେ ବୁଢାବଳଙ୍ଗ ନଦୀ ସେପଟୁ ମା ଦୂର୍ଗା ଝିଅ ବେଶରେ ଆସି ନାଉରିଆକୁ ନଦୀ ପାର କରିବା ପାଇଁ କହିଥିଲେ । ପ୍ରବଳ ବର୍ଷା ସତ୍ୱେ ବାଧ୍ୟ ହୋଇ ନାଉରିଆ ଜଣକ ରାଜି ହୋଇ ତିନିଜଣ ଝିଅଙ୍କୁ ନଦୀ ପାର କରିଥିଲା । ନଦୀପାର ହେବା ପରେ ନିଜକୁ ଜମିଦାର ମଦନ ମୋହନ ଦାସଙ୍କ ଝିଅ ବୋଲି ପରିଚୟ ଦେବା ସହ ଘରୁ ପାଉଣା ନେବା ପାଇଁ କହି ଆଗେ ଆଗେ ଆସିଥିଲେ ।

ନାଉରିଆ ଜଣକ ସେହି ତିନିଜଣ ଝିଅଙ୍କ ଅନୁସରଣ ସହ ପଛେ ପଛେ ଆସି ମଦନ ଦାସଙ୍କ ଘରେ ପହଂଚିବା ପରେ ସବୁକଥା କହିଥିଲା । ମଦନ ଦାସ ସବୁକଥା ଶୁଣିବା ପରେ ସେ ନାଉରିଆକୁ ତାର ପାଉଣା ଦେଇ ବିଦାୟ କରିଥିଲେ ହେଁ ଏହି ଘଟଣା ତାଙ୍କୁ ଚିନ୍ତାରେ ପକାଇ ଦେଇଥିଲା । ସେହି ଦିନ ରାତିରେ ଦେବୀ ତାଙ୍କୁ ସ୍ୱପ୍ନରେ ଦେଖାଦେଇ ସମସ୍ତ ଘଟଣା ବିଷୟରେ କହିଥିଲେ । ସ୍ୱପ୍ନାଦେଶ ପରଠାରୁ ଆରମ୍ଭ ହୋଇଥିଲା ମାଙ୍କ ପୂଜା ।

ମା’ଙ୍କର ଉତ୍ସବ ଆନନ୍ଦ ଉଲ୍ଲାସର ସହ ପାଳନ ପାଇଁ ପ୍ରାୟ ମାସକ ପୁର୍ବରୁ ସଜବାଜ ଆରମ୍ଭ ହୋଇଥାଏ । ସମ୍ପ୍ରତି ଦାସ ବଂଶର ଦାୟଦମାନେ ଦେଶର ବିଭିନ୍ନ ସ୍ଥାନରେ ରହୁଥିଲେ ବି ପୂଜା ସମୟରେ ସମସ୍ତେ ଏକତ୍ରିତ ହୋଇଥାନ୍ତି । ସମସ୍ତେ ବାଲେଶ୍ୱରରେ ପହଞ୍ଚ ଆନନ୍ଦ ଉଲ୍ଲାସ ମଧ୍ୟରେ ପୂଜା ଉତ୍ସବ କଟାଇଥାଆନ୍ତି । ମା’ଙ୍କ ବିସର୍ଜ୍ଜନ ପରେ ପରିବାରର ସମସ୍ତେ ବିଦାୟ ନେଇ ଫେରିଯାନ୍ତି ନିଜ ନିଜ କର୍ମସ୍ଥଳୀକୁ, ପୁଣି ଅପେକ୍ଷା କରନ୍ତି ଆଉ ଗୋଟିଏ ବର୍ଷକୁ ।

ଯୁଗ ପରିବର୍ତନ ହୋଇଥିଲେ ହେଁ ଆଜି ପର୍ଯ୍ୟନ୍ତ ୧୭୭ ବର୍ଷର ପୁରୁଣା ପରମ୍ପରାକୁ ବଜାୟ ରଖିଆସିଛନ୍ତି ଏହି ପରିବାରର ସଦସ୍ୟମାନେ । ଅନୁରୂପ ଭାବେ ବିଜୟା ଦଶମୀ ସନ୍ଧ୍ୟାରେ ୧୨ ଜଣ କାନ୍ଧୁଆ କାନ୍ଧରେ ମା’ଙ୍କ ମେଢ଼କୁ ବସାଇ ବିସର୍ଜନ ପାଇଁ ବାଲିଘାଟକୁ ନେବାର ପରମ୍ପରା ଆଜି ମଧ୍ୟ ବଜାୟ ରହି ଆସିଛି ।

Leave A Reply

Your email address will not be published.