Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୪୮)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’

ଥରେ କାରରେ ସମ୍ଭବଙ୍କ ସହିତ ଭୁବନେଶ୍ୱର ଗଲା ବେଳେ ଗାଡ଼ି ଅଟକେଇ ସମସ୍ତଙ୍କଠାରୁ ହାତ ପତେଇ ଟଙ୍କା ମାଗୁଥିଲା , ପ୍ରତିବଦଳରେ ଆଶୀର୍ବାଦର ହାତ ମୁଣ୍ଡରେ ରଖି ଦେଉଥିଲା ! ନାଁ ପଚାରିବାରୁ ଲାଜେଇ ଲାଜେଇ କହିଲା ମୋ ନାଁ ସୁରେଖା !! ମୁଁ ସମ୍ଭବଙ୍କୁ ପଚାରି ଶହେ ଟଙ୍କା ଟେ ଦେଲି ସତ କିନ୍ତୁ ମୋ ମନ ସେତିକି ରେ ବୁଝିଲାନି ! କାହା ଘରର କେଡ଼େ ସୁନ୍ଦର ପିଲା ,କେଡେ ସୁନ୍ଦର ଗଢଣ ସତରେ ! ବୟସ ଏଇ ସତର କି ଅଠର ହେବ ।ହେଲେ ଈଶ୍ୱରଙ୍କର ଏ କି ବିଚାର ….. !!! ପିଲାଟି ଭାରି ଭଦ୍ର ,ନମ୍ର ଆଉ ଭାରି ନିର୍ମାୟ ବି !ମୁହଁ ମୁହଁ ସନ୍ଧ୍ୟା ସେତେବେଳକୁ ବର୍ଷା ଟା ବି ଖୁବ ଜୋରରେ ଆରମ୍ଭ ହୋଇ ଯାଇଥାଏ ….।ପୁରା ସୁଡୁବୁଡୁ ଓଦା ଦେହରେ ସେମିତି କୁଙ୍କୁଡି କାଙ୍କୁଡ଼ି ଠିଆ ହୋଇ ଥାଏ ।ସାଙ୍ଗରେ ଘରକୁ ଯିବା କଥା ପଚାରିବାରୁ ସାଂଗେ ସାଙ୍ଗ୍ ରାଜି ହୋଇ ଯାଇଥିଲା ,ମନରେ ତା ପ୍ରତି କାହିଁକି କେଜାଣି କରୁଣତା ଭରି ଯାଇଥିଲା !

ଏବେ ବି ଏମାନଙ୍କୁ କେହି ଭଲ ନଜର ରେ ଦେଖୁ ନାହାନ୍ତି କି କାମ କରି ପେଟ ପୋଷିବାକୁ ଦେଉନାହାନ୍ତି ! ଇଏ ତାକୁ ଜଗୁଛି କିଏ କାଳେ କଣ କହିବ କଣ ଭାବିବ ସିଏ ତାକୁ ଜଗିଛି କାଳେ ସିଏ କଣ ଭାବିବ ? ଏମିତି ଛକା ପଞ୍ଝାରେ ଦୁନିଆ ଚାଲିଛି ! ସେଥିପାଇଁ ଡରି ଡରି ସମ୍ଭବଙ୍କ ସହିତ ପରାମର୍ଶ କଲା ଆସ୍ଥା ,କାଳେ ମନା କରି ଦେବେ ସମ୍ଭବ ଡର ଥିଲା ! କିନ୍ତୁ ସେ ଯେତେବେଳେ ପିଲା ଟିକୁ ଘରେ ରଖିବାକୁ ରାଜି ହୋଇଗଲେ . …ଆଃ ! ଆସ୍ଥାର ଖୁସି କହିଲେ ନସରେ !! ପିଲାଟିକୁ ସେଇଠୁ ଘରକୁ ନେଇ ଆସିଥିଲା ସେ ,ପିଲାମାନଙ୍କର ସୁବିଧା ଅସୁବିଧା ବୁଝିବା ପାଇଁ । ହେଲେ ପିଲାମାନେ ସୁରେଖାକୁ ମଙ୍ଗୁ ନାହାଁନ୍ତି ତାର ଠାଣି ମାଣି ପାଇଁ !! ନୂଆ ନୂଆ ତ ସେଥିପାଇଁ ବୋଧେ ସୁରେଖା ସହିତ ସହଜ ବୋଧ କରୁନଥିଲେ ପିଲାମାନେ ! ବେଳେବେଳେ ପିଲା ମାନେ ବି ପଚାରି ଦେଉଥିଲେ ଯାହାହେଲେ ,”ମାମା ସୁରେଖା ଆଣ୍ଟି ପୁଅ ହେଇ ବି ଝିଅ ପରି କାହିଁକି ରହୁଛନ୍ତି ?ତାଙ୍କୁ ଏମିତି ରହିବାକୁ କେମିତି ଭଲ ଲାଗୁଛି  ଇତ୍ୟାଦି ଇତ୍ୟାଦି !  ଆସ୍ଥା କଣ କହି ପିଲାମାନଙ୍କର ଉତ୍ତର ଦେବ ! କେବଳ ଏତିକି କୁହେ, ଭଗବାନ ତାଙ୍କୁ ସେମିତି ହିଁ ଗଢିଛନ୍ତି ରେ ପିଲେ  ।ତେଣୁ ତୁମେ ତାଙ୍କୁ ଆଘାତ ହେଲା ଭଳି କିଛି ବି କଥା କେବେ କହିବନି ସବୁବେଳେ ମନେ ରଖିଥିବ ” ଆସ୍ଥା ଆସ୍ତେ ଆସ୍ତେ ପିଲାଙ୍କୁ ବୁଝେଇ ଦେଇଥିଲା ।

 

କ୍ରମଶଃ

Leave A Reply

Your email address will not be published.