Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସର୍ବୋତ୍ତମ ମାନବୀୟ ଲୀଳା ଚାଲିଛି । ଅର୍ଥାତ ଜ୍ୟେଷ୍ଠ ପୁର୍ଣିମା ବା ସ୍ନାନ ପୁର୍ଣିମାଠାରୁ ଆଷାଢ଼ ଅମାବାସ୍ୟା ପର୍ଯ୍ୟନ୍ତ ଶ୍ରୀଜୀଉମାନଙ୍କର ଅଣସର ବା ଅନବସର ଲୀଳା। ଏହାକୁ ଲୀଳା କହିବାର ତାତ୍ପର୍ଯ୍ୟ ହେଲା ବର୍ଷ ସାରା ଅବ୍ୟବହୃତ ଅବସ୍ଥାରେ ବା ସମ୍ପୂର୍ଣ୍ଣ ଆଛାଦିତ ଅବସ୍ଥାରେ ଥିବା ସୁନାକୂଅରୁ ସଂଗୃହିତ ଜଳ ସ୍ନାନ ଦ୍ୱାରା ଜ୍ୱରରେ ପୀଡିତ ହେବାର ଏ ଯେଉଁ ପରମ୍ପରା ତାହା ହିଁ ବିଚିତ୍ର ଲୀଳା। ଠାକୁରମାନେ ବାଉଁଶ ତାଟି ଘେରା ଏକ ଅସ୍ଥାୟୀ ଅନବସର ଗୃହରେ ଅବସ୍ଥାନ ଏବଂ ବିଶେଷ ଦିନମାନଙ୍କରେ ବିଭିନ୍ନ ନୀତି ସହ ଶ୍ରୀ ଅଙ୍ଗ ଉପଚାର ବି ଏକ ସ୍ୱତନ୍ତ୍ର ଲୀଳାର ଅଂଶ ବିଶେଷ ଅଟେ। ଏବେ ଏହି ଲୀଳାର ବିଶେଷତ୍ୱ ବା ପ୍ରଭୂମାନଙ୍କ ପ୍ରତିନିଧି ସ୍ୱରୂପ ପଟିଦିଅଁ ସ୍ଥାପନ ବିଷୟରେ ଆଲୋଚନା କରିବା। ଅଣସର ଗୃହର ବାହାର ତାଟିରେ, ପାରମ୍ପରିକ ଚିତ୍ରକାର (ଚିତ୍ରକର ସେବକ )ମାନଙ୍କ ଦ୍ୱାରା ପ୍ରସ୍ତୁତ ପଟ୍ଟଚିତ୍ରରେ ଶ୍ରୀଜଗନ୍ନାଥଙ୍କ ସ୍ୱରୂପରେ ନାରାୟଣ, ଶ୍ରୀବଳଭଦ୍ରଙ୍କ ସ୍ୱରୂପରେ ବାସୁଦେବ ଓ ମା ସୁଭଦ୍ରାଙ୍କ ସ୍ୱରୂପରେ ଭୁବନେଶ୍ୱରୀ ପୂଜା ପାଆନ୍ତି। ସ୍ୱତନ୍ତ୍ର ଭାବରେ ସମସ୍ତ ଶୁଦ୍ଧତା ଓ ସ୍ୱଛତା ବଜାୟ ରଖି କେବଳ ପ୍ରାକୃତିକ ରଙ୍ଗର ବ୍ୟବହାର କରି ଏହି ତିନି ଗୋଟି ୪୦ ଇଞ୍ଚ ରେ ୩୦ ଇଞ୍ଚ ଆକାରର ପଟ୍ଟଚିତ୍ର ପ୍ରସ୍ତୁତ ହୁଏ। ଏଠାରେ ବାସୁଦେବ ସମ୍ପୂର୍ଣ୍ଣ ଧବଳ ରଙ୍ଗର, ଭୁବନେଶ୍ବରୀ ହଳଦୀ ରଙ୍ଗର ଓ ନାରାୟଣ ସମ୍ପୂର୍ଣ୍ଣ କଳା ରଙ୍ଗ ଧାରଣ କରନ୍ତି। ଏଠାରେ କହି ରଖେ ଏହି ଚିତ୍ରିତ ବିଗ୍ରହମାନେ ସମସ୍ତେ ଚାରିହସ୍ତ ଓ ଦୁଇ ପାଦ ଥାଇ ପଦ୍ମାସନରେ ବସିଥିବାର ଦେଖାଯାଏ । ନାରାୟଣ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ, ବାସୁଦେବ ଶଙ୍ଖ, ଚକ୍ର, ଗଦା ଓ ମୁଷଳ ତଥା ଭୁବନେଶ୍ୱରୀ ଉପର ଦୁଇ ହାତରେ ପଦ୍ମ ଓ ତଳ ଦୁଇ ହାତରେ ଅଭୟ ମୁଦ୍ରା ପଦର୍ଶନ କରିଥିବାର ଦେଖାଯାଏ। ଏହି ପଟ୍ଟୀ ଦିଅଁଙ୍କ ସାମନାରେ ଗୋଟିଏ ଖଟ ପକାଯାଇ ଆଉ ସାତ ମୂର୍ତ୍ତି ଆଣି ରଖାଯାଏ। ସେମାନେ ହେଲେ ଦୋଳଗୋବିନ୍ଦ, ରାମ, ନୃସିଂହ, ଲଷ୍ମୀ, ସରସ୍ବତୀ, ମଦନମୋହନ ଓ କୃଷ୍ଣ। ଏହି ସାତ ମୂର୍ତ୍ତି ଓ ତିନି ପଟ୍ଟୀ ଦିଅଁ ମିଶି ଦଶାବତାର ଠାକୁର ଭାବରେ ପରିଗଣିତ ହୁଏ । ଯଥାବିଧି ରୀତିନୀତିରେ ଏହି ଠାକୁରମାନଙ୍କର ପୂଜାବିଧି ପାଳିତ ହୁଏ। ଅଣସର ଠାକୁରଙ୍କ ପୂଜା ଗୃହ ମଧ୍ୟରେ ହେଉଥାଏ ଓ ଦୈନିକ ଉପଚାର ମଧ୍ୟ ଚାଲିଥାଏ। ଅମାବାସ୍ୟା ଦିନ ଆସିଥିବା ମୂର୍ତ୍ତିମାନେ ମଣ୍ଡଣି ଘରକୁ ଓ ପଲଙ୍କ ବା ଖଟ ଶେଜ ଘରକୁ ଯାଇଥାନ୍ତି ଏବଂ ପଟ୍ଟୀଦିଅଁମାନେ ଦକ୍ଷିଣ ଘରକୁ ଯାଆନ୍ତି। ସେହି ଦିନ ଶ୍ରୀଜୀଉ ମାନଙ୍କର ନବଯୌବନ ଦର୍ଶନ ହୁଏ।ପ୍ରତିପଦା ଦିନ ନେତ୍ରୋଉତ୍ସବ ହୁଏ। ରାଜପ୍ରତିନିଧି ବା ମୁଦ୍ରାହସ୍ତଙ୍କ ଦ୍ୱାରା ବନ୍ଦାପନା ଓ ନିଉଛlଳି ବସ୍ତ୍ର ପ୍ରଦାନ ହୁଏ। ଅଣସର ଲୀଳା ଏହିଠାରୁ ଶେଷ କରି ଶ୍ରୀଜୀଉମାନେ ଘୋଷ ଯାତ୍ରା ପାଇଁ ବା ପତିତ ଉଦ୍ଧାର ଲୀଳା ପାଇଁ ପ୍ରସ୍ତୁତ ହୁଅନ୍ତି। ଅନ୍ୟ ଅଧ୍ୟାୟରେ ସେ ବିଷୟ ଆଲୋଚନା କରିବା ବର୍ତ୍ତମାନ ଆରାଧନା।

“ହେ ପ୍ରଭୁ ଏପରି ସେବା କରିବାର ସୁଯୋଗ ମିଳୁଥାଉ, କାରଣ ଏ ମର୍ତ୍ତ୍ୟଲୋକେ ମୁହିଁ ଜଗନ୍ନାଥ ସେବି ଇଚ୍ଛା ହୋଇଲେ ମୁଁ ବୈକୁଣ୍ଠ ଯିବି।”

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.