ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଭିତର ବେଢାରେ ଅବସ୍ଥିତ ମୁକ୍ତିମଣ୍ଡପ ଆଖ ପାଖରେ ଆମେ ଶ୍ରୀକ୍ଷେତ୍ରପାଳ ମହାଦେବ ଓ ମା କୁତ୍ତାମ ଚଣ୍ଡୀଙ୍କ ଦର୍ଶନ ପରେ ଆମେ ମୁକ୍ତି ମଣ୍ଡପର ଐଶାନ୍ୟ କୋଣରେ ପ୍ରଭୂ ସୂର୍ଯ୍ୟନାରାୟଣଙ୍କୁ ଦର୍ଶନ କରିବା। ବ୍ରହ୍ମପୂରlଣରେ ଏହି ମନ୍ଦିରକୁ ସୂର୍ଯ୍ୟଯନ୍ତ୍ର ମନ୍ଦିର ଉଲ୍ଲେଖ ଅଛି, କାରଣ କ୍ଷୁଦ୍ର ମନ୍ଦିରଟି ସୂର୍ଯ୍ୟଯନ୍ତ୍ରରେ ଖୋଦିତ ଅଟେ। ଶ୍ରୀମନ୍ଦିର ସତ୍ତ୍ୱଲିପି ଅନୁସାରେ ପ୍ଲଟ ନମ୍ବର ୮୭ ରେ ଏହି ସୂର୍ଯ୍ୟନାରାୟଣ ମନ୍ଦିର ଅବସ୍ଥିତ। ଶ୍ରୀମନ୍ଦିର ଦୈନଦିନ ରୀତିନୀତି ସହ ଏହି ମନ୍ଦିରର ସମ୍ପୃକ୍ତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଇତିହାସ କହେ ଏହି ମନ୍ଦିରଟି ମହାରାଜ ଚୋଡ଼ଗଙ୍ଗ ଦେବଙ୍କ ଦ୍ୱାରା ନିର୍ମିତ୍ତ ହୋଇଥିଲା। ପୁନଃ ଏକଥା ମଧ୍ୟ ଇତିହାସ କହେ ଯେ ମହାରାଜ କପିଳେନ୍ଦ୍ର ଦେବ ସମ୍ପ୍ରତି ଦୃଷ୍ଟି ଗୋଚର ହେଉଥିବା ସୂର୍ଯ୍ୟଯନ୍ତ୍ର ଉପରେ ପ୍ରତିଷ୍ଠିତ ମନ୍ଦିର ତାଙ୍କ ସମୟରେ ନିର୍ମିତ୍ତ ବା ପୁନଃ ପ୍ରତିଷ୍ଠିତ ହୋଇଛି।
ସେ ଯାହା ହେଉ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରୀତିନୀତି ଦ୍ୱାରପାଳ ପୂଜା ଓ ସୂର୍ଯ୍ୟ ପୂଜାରୁ ହିଁ ଆରମ୍ଭ ହୁଏ। ପ୍ରତିଦିନ ସକାଳ ୮ ଘଣ୍ଟା ୩୦ ମିନିଟି ରୁ ୮ ଘଣ୍ଟା ୪୫ ମିନିଟ ମଧ୍ୟରେ ସୂର୍ଯ୍ୟ ପୂଜା ହୋଇଥାଏ। ଏହି ନୀତି ପାଇଁ ଦୁଇଟି କୋରା, କୋଠ ସରଘରୁ ପ୍ରତିଦିନ ପ୍ରଦାନ କରାଯାଏ । ପାଳିଆ ସେବକ ଫୁଲ, ଚନ୍ଦନ, ଘଣ୍ଟି, ଶଙ୍ଖ ଓ ପିଢା ଇତ୍ୟାଦି ସାମଗ୍ରୀ ଯଥା ସମୟରେ ଉପସ୍ଥିତ କରାନ୍ତି। ନିର୍ଦ୍ଧିଷ୍ଟ ସମୟରେ ମଧ୍ୟ ଜଣେ ପୂଜାପଣ୍ଡା ସୂର୍ଯ୍ୟ ପୂଜା ସମାପନ କରନ୍ତି। ଗ୍ରହଣ ନୀତି ସମୟରେ ଅଧିକ ବିଧାନ ସହ ପୂଜା ହୁଏ। ସେହିପରି କୌଣସି କାରଣରୁ ରୋଷ ହୋମ ଅଧିକ ହେଲେ, ଏଠାରେ ମଧ୍ୟ ପୂଜା କର୍ମ ଅଧିକ ହୁଏ। ସ୍ୱୟଂ ନାରାୟଣଙ୍କ (ଶ୍ରୀଜଗନ୍ନାଥ )ପୂଜା ନୀତି ଆରମ୍ଭ ପୂର୍ବରୁ ପ୍ରଭୂ ସୂର୍ଯ୍ୟନାରାୟଣଙ୍କ ପୂଜା ଏହା ପ୍ରମାଣିତ କରେ ଯେ “ସୂର୍ଯ୍ୟ ସକଳ ଶକ୍ତିର ଆଧାର “। ଏହା କେବଳ ବୈଜ୍ଞାନିକ ଉକ୍ତି ନୁହେଁ ଆଧ୍ୟାତ୍ମିକ ଚେତନା ମଧ୍ୟ। ଆସନ୍ତୁ ସେହି ଚେତନାକୁ ଆଉ ଟିକିଏ ଶାଣିତ କରିବା। ଆଉ ଗାଇବା ସୂର୍ଯ୍ୟନାରାୟଣଙ୍କ ସ୍ତୁତି ନମୋ କମଳରୂପାୟ ନମଃ କମଳ ଧlରିଣେ, ନମଃ କମଳ ଯନ୍ତ୍ରାୟ, ପଦ୍ମ ବଲ୍ଳଭ! ତେ ନମଃ “ଅର୍ଥାତ ହେ ସୂର୍ଯ୍ୟ ତୁମେ ସାକ୍ଷାତ କମଳ ସ୍ୱରୂପ, ତୁମେ କମଳ ଧାରଣ କରିଛ, ତୁମେ ପଦ୍ମ ଯନ୍ତ୍ରର ଅଧିପ, ତୁମେ ପଦ୍ମ ବଲ୍ଳଭ, ତୁମକୁ ନମସ୍କାର।
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )