Latest Odisha News

ଭାଷା ଭାଗବତ : ନିରର୍ଥକ କଥା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’

ଅଧିକ କଥନ, ଲିଖନ
କରେ ଜ୍ଞାନର ଜ୍ୟୋତି ମ୍ଳାନ
ଏକାଗ୍ର, ଏକାଂତ ଚିଂତନ
ଉତ୍ପନ୍ନ କରେ ଶୁଦ୍ଧ ଜ୍ଞାନ

ଇଂଦ୍ରିୟାଶ୍ରିତ ଅନୁଭୂତି
ସାମାନ୍ୟ ଜ୍ଞାନ ଅନୁରକ୍ତି
ଦେଲେ ବି ହୁଏନି ଯଥେଷ୍ଟ
ଜ୍ଞାନ ସଂଧାନୀ ପାଏ କଷ୍ଟ

କହିବା, ଲେଖିବା ସହିତ
ମଣିଷ ହେବାରୁ ଜଡ଼ିତ
ଭାଷାରେ ଜ୍ଞାନର ସାରାଂଶ
ମୂଳ ଜ୍ଞାନକୁ କରେ ଧ୍ବଂସ

ତେବେ ବି ଭାଷାଟିଏ ବିନା
ଚିଂତନ, ଭାବନା, କଳ୍ପନା
କିପରି ହେବ, ନାହିଁ ଜଣା
ତେଣୁ ମଣିଷ ହୁଏ ବଣା

ଅତି ଅଧିକ ଶବ୍ଦାସକ୍ତି
କରୁଥିଲେ ହେଁ ଖୁବ୍‌ କ୍ଷତି
ଶବ୍ଦାଡ଼ଂବରକାରୀ ବ୍ୟକ୍ତି
ଦେଖାଂତି ନିଜ ପ୍ରତିପତ୍ତି

ବ୍ୟକ୍ତିର ସ୍ବୀକୃତି ଲାଳସା
ବଢ଼ାଇଥାଏ ସିନା ଆଶା
ତାହାକୁ କରିଲେ ଭରସା
ପାଠକ ଭୋଗଇ ଦୁର୍ଦଶା

ସରଳତମ ଭାଷା କହି
ଯିଏ ପାରଂତିନାହିଁ ରହି
ତାଂକର ଛଦ୍ମ ଓଜସ୍ୱିତା
ପାଲଟେ ନିରର୍ଥକ କଥା

ସରଳତମ ଶବ୍ଦ ବାଛି
ଯେ ସତେ ଜ୍ଞାନ ବାଂଟୁଅଛି
ସେ ନୁହେ କାହାର ନମସ୍ୟ
ଏହା ଆମର ମୁଖ୍ୟ ଦୋଷ

 

Comments are closed.