Road Accident: ଓଲଟି ପଡ଼ିଥିବା ଗାଡି ଉଠାଉଥିବା ବେଳେ ପଛରୁ ମାଡିଗଲା ଡମ୍ଫର; ୨ ମୃତ,୩ ନ୍ୟୁଜ ଚ୍ୟାନେଲ କ୍ୟାମେରାମ୍ୟାନ୍ ଗୁରୁତର
ବାରିପଦା: ବାରିପଦା ସ୍ଥିତ ପାଲବଣିଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୫ଜଣ ଗୁରୁତର ହୋଇଛନ୍ତି । ଗୋଟିଏ ଦୁର୍ଘଟଣାର ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ଅନ୍ୟ ଏକ ଦ୍ରୁତଗାମୀ ଡମ୍ପର ଆସି ଲୋକଙ୍କ ଉପରେ ମାଡ଼ିଯାଇଛି। ଗୁରୁତରଙ୍କ ମଧ୍ୟରେ ୩ଜଣ ନ୍ୟୁଜ୍ ଚ୍ୟାନେଲ୍ କ୍ୟାମେରାମ୍ୟାନ୍ ବୋଲି ଜଣାପଡ଼ିଛନ୍ତି । ତେବେ ସମସ୍ତଙ୍କୁ ବାରିପଦା ରଙ୍ଗାମାଟିଆ ସ୍ଥିତ ପିଆରଏମ ମେଡ଼ିକାଲ କଲେଜରେ ଭର୍ତ୍ତି କରାଯାଇଛି । ୨ ମୃତକଙ୍କ ପରିଚୟ ମିଳିପାରିନାହିଁ।
ସୂଚନାନୁଯାୟୀ, ପାଲବଣି ନିକଟରେ ଏକ କାଠ ବୋଝେଇ ଟାଟା ଏସି ଗାଡ଼ି ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡ଼ିଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଓ ୩ ଜଣ କ୍ୟାମେରାମ୍ୟାନ୍ ସେଠାରେ ପହଞ୍ଚି ଗାଡ଼ିଟିକୁ ଉଠାଇବାକୁ ଉଦ୍ୟମ କରୁଥିଲେ। ଉଦ୍ଧାର କାର୍ଯ୍ୟ ଚାଲିଥିବା ସମୟରେ ହଠାତ୍ ଏକ ଦ୍ରୁତଗାମୀ ପାଉଁଶ ବୋଝେଇ ଡମ୍ପର୍ ଓଲଟି ପଡ଼ିଥିବା କାଠ ବୋଝେଇ ଟାଟା ଏସିକୁ ଧକ୍କା ଦେଇଥିଲା। ଡମ୍ପରଟି ଏତେ ଦ୍ରୁତ ଗତିରେ ଥିଲା ଯେ କିଛି ଲୋକ ଏହାର ଚକା ତଳେ ଚାପି ହୋଇଯାଇଥିଲେ। ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି।
ସେଠାରେ ଖବର ସଂଗ୍ରହ ପାଇଁ ଉପସ୍ଥିତ ଥିବା ପ୍ରମୁଖ ଓଡ଼ିଆ ଗଣମାଧ୍ୟମ ଚ୍ୟାନେଲ ‘ନିୟୁଜ୍ ୭’ର ଲାଳିତ ବାରିକ, ‘କଳିଙ୍ଗ ଟିଭି’ରଜତ ପଟ୍ଟନାୟକ ଓ ‘ଅର୍ଗସ ନିୟୁଜ୍’ ର କ୍ୟାମେରାମ୍ୟାନ ହରେକୃଷ୍ଣ ପାତ୍ର ମଧ୍ୟ ଆହତ ହୋଇଛନ୍ତି। କର୍ତ୍ତବ୍ୟରତ ଅବସ୍ଥାରେ ଏହି ତିନି ଚ୍ୟାନେଲର କ୍ୟାମେରାମ୍ୟାନ ଗୁରୁତର ଭାବେ ଆହତ ହୋଇଛନ୍ତି।ଅବସ୍ଥା ସଙ୍କଟାପନ୍ନ ହେବାରୁ ନ୍ୟୁଜ ସେଭେନ କ୍ୟାମେରାମ୍ୟାନଙ୍କୁ ଭୁବନେଶ୍ବରକୁ ସ୍ଥାନାନ୍ତର କରାଯାଇଛି।