Latest Odisha News

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨ ମୃତ ଓ ୭ ଗୁରୁତର ଆହତ

କଳାହାଣ୍ଡି /ବୌଦ୍ଧ : କଳାହାଣ୍ଡି ଓ ବୌଦ୍ଧ ଜିଲ୍ଲାରେ ଗୁରୁବାର ଦିନ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ଘଟିବା ସହ ୭ ଜଣ ଗୁରୁତର ଆହତ ହୋଇଛନ୍ତି ।

ମିଳିଥିବା ସୂଚନାନୁଯାୟୀ କଳାହାଣ୍ଡି ଜିଲ୍ଲା ଧର୍ମଗଡ ନିକଟସ୍ଥ ତିନି ଛକ ପାଖରେ ୨ଟି ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ଘଟିବା ସହ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି ।

ଖବର ପାଇ ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଗୁରୁତର ଆହତ ମାନଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ନେଇ ଜଣାପଡିଛି ।

ସେହିପରି ବୌଦ୍ଧ ଜିଲ୍ଲାର ଚାରିଛକ-କୁସଙ୍ଗ ରୋଡ୍ ନିକଟରେ ଏକ ଭ୍ୟାନ୍ କୌଣସିକାରଣବଶତଃ ଭାରସାମ୍ୟ ହରାଇ ରାସ୍ତାକଡରେ ଥିବା ଏକ ଗଛରେ ପିଟି ହୋଇଯାଇଥିଲା । ଫଳରେ ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ଜଣ ଆହତ ହୋଇଛନ୍ତି ।

ମୃତକଙ୍କ ନାମ ସୁନିଲ ମଲ୍ଲିକ ଏବଂ ସେ ଉପରକଟ ଗ୍ରାମର ବାସିନ୍ଦା ବୋଲି ଜଣାପଡିଛି ।

ପ୍ରାପ୍ତ ସୂଚନାନୁଯାୟୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିବାବେଳେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ନେଇ ଜଣାପଡିଛି ।

Leave A Reply

Your email address will not be published.