Latest Odisha News

BREAKING NEWS

୨୫ ବର୍ଷର ଅପରାଜେୟ ରାଜା ‘ନବୀନ’..ଅପରାଜିତ ଦଳ ‘ବିଜେଡି’

ଭୁବନେଶ୍ୱର:ବିଜୁ ଜନତା ଦଳ (ବିଜେଡି) ଆଜି ପାଳୁଛି ତାର ୨୫ ତମ ପ୍ରତିଷ୍ଠା ଦିବସ । ୫ମ ଟର୍ମରେ  ବିଜୟୀ ମୁକୁଟ ପିନ୍ଧି ରାଜୁତି କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଞ୍ଚଳିକ ଦଳ ଭାବେ ଖାଲି ରାଜ୍ୟ ନୁହେଁ, ଜାତୀୟ ସ୍ତରରେ ବି ନିଜର ଦବଦବା ସୃଷ୍ଟି କରିପାରିଛି ବିଜେଡି  । ଜଣେ ଅପରାଜେୟ ନେତା ଭାବେ ବି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କାରିପାରିଛନ୍ତି ନବୀନ ।

ବିଜୁ ପଟ୍ଟନାୟକଙ୍କ ବିୟୋଗ ପରେ ପୁଅ ନବୀନଙ୍କ ନେତୃତ୍ୱରେ ଗଢାଯାଇଥିଲା ବିଜେଡି । ଏଇ ୨୫ ବର୍ଷ ଭିତରେ ଅନେକ ରେକର୍ଡ ସୃଷ୍ଟି କରିଛନ୍ତି ନବୀନ । ଖାଲି ରେକର୍ଡ ନୁହେଁ, ନିଜ ଲୋକପ୍ରିୟତା ବି ଢେର ବଢାଇ ପାରିଛନ୍ତି । ବିଜେଡିର ଏହି ନିରଙ୍କୁଶ ସଫଳତା ଦେଶରେ ପ୍ରତ୍ୟେକ ଜାତୀୟ ଦଳ ପାଇଁ ଏକ ପ୍ରେରଣା ।

ଓଡ଼ିଶାର ସ୍ୱାର୍ଥ, ସ୍ୱାଭିମାନର ରକ୍ଷା ପାଇଁ ଏହି ଦଳ ଗଠନ କରାଯାଇଥିଲା ।  ଦଳ ଗଠନ ବେଳେ ନବୀନ ରାଜନୀତିରେ ଥିଲେ ସମ୍ପୂର୍ଣ୍ଣ ଅନଭିଜ୍ଞ । ଜଣେ ଅନଭିଜ୍ଞ ବ୍ୟକ୍ତି ଏହି ଦଳକୁ କେତେ ଦୂର ଆଗେଇ ନେଇ ପାରିବ ସେ ନେଇ ସମସ୍ତଙ୍କ ମନରେ ଥିଲା ପ୍ରଶ୍ନ । ହେଲେ ଏଇ ଚୁପଚାପ, ଗମ୍ଭୀର ଦିଶୁଥିବା ଅନଭିଜ୍ଞ ବ୍ୟକ୍ତିଟି ଯେ ଓଡ଼ିଶା ରାଜନୀତରେ ଏକ ମାଇଲଷ୍ଟୋନ ପାଲଟିଯିବ ଏକଥା ହୁଏତ ସେଦିନ କେହି ଭାବି ନ ଥିଲେ ।

ବିଜୁ ପଟ୍ଟନାୟକଙ୍କ ମୃତ୍ୟୁ ପରେ ନବୀନ ପଟ୍ଟନାୟକ ପ୍ରଥମେ ଆସ୍କା ଲୋକସଭା ମଣ୍ଡଳୀରୁ ଉପନିର୍ବାଚନରେ ଜିତି କେନ୍ଦ୍ର ମନ୍ତ୍ରୀ ହେଇଥିଲେ । ରାଜନୀତିରେ ଏହା ଥିଲା ତାଙ୍କର ପ୍ରଥମ ପାଦ ।  ୨୦୦୦ ମସିହାରେ ପ୍ରଥମେ ବିଜେଡି ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ସାଧାରଣ ନିର୍ବାଚନ ଲଢିଥିଲା ।  ସେତେବେଳେ ବିଜେପି ସହ ମେଣ୍ଟ କରିଥିଲା । ପ୍ରଥମ ନିର୍ବାଚନରେ ବେଶ ଭଲ ପ୍ରଦର୍ଶନ କରିଥିଲା ଦଳ । ୭୨ ଆସନ ଦଖଲ କରିଥିଲା । ୨୦୦୪ରେ ପୁଣି ବିଜେପି-ବିଜେଡି ମେଣ୍ଟ  ନବୀନଙ୍କ ନେତୃତ୍ୱରେ ନିର୍ବାଚନ ଲଢି ଜିତିଥିଲା ଏବଂ ନୀବନ ୨ୟଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ । ହେଲେ ୨୦୦୯ରେ ବିଜେପି ହାତ ଛାଡ଼ି ଏକାକୀ ୧୪୭ ଆସନରେ ନିର୍ବାଚନ ଲଢିଥିଲା ବିଜେଡି। ଏହାର ଫଳାଫଳ ଥିଲା ଚମକପ୍ରଦ । ତୃତୀୟ ଥର ପାଇଁ ୧୦୫ ଆସନରେ ଜିତି କ୍ଷମତାକୁ ଆସିଥିଲେ ନବୀନ ।

ଏହି ଟର୍ମରେ ନବୀନ ଥିଲେ ନିଷ୍କଣ୍ଟକ ରାଜା । ସେହିଦିନଠାରୁ ଆଜିଯାଏ ନବୀନଙ୍କ ନାଁ ପାଲଟିଯାଇଛି ସଫଳତାର ରାଜ୍  ଆଉ ଦଳ ହୋଇଛି ଅପରାଜେୟ । ନବୀନଙ୍କ ନାଁ ପାଖରେ କଂଗ୍ରେସ, ବିଜେପି ପରି ଜାତୀୟ ଦଳର ରଣନୀତି ଫେଲ ମାରିଛି । ପଞ୍ଚାୟତ, ପୌରଠାରୁ ଆରମ୍ଭ କରି ବିଧାନସଭା ଏବଂ ଲୋକସଭା ନିର୍ବାଚନ ପର୍ଯ୍ୟନ୍ତ ସବୁଠି ବିଜେପିକୁ ମିଳିଛି ଭୋଟରଙ୍କ ଅକୁଣ୍ଠ ସମର୍ଥନ।

ଗଣତନ୍ତ୍ରରେ ଗୋଟିଏ ରାଜନୈତିକ ଦଳ ଗୋଟିଏ ବା ଦୁଇଟି ଟର୍ମ ପୂରଣ କରିବା ପରେ ଲୋକଙ୍କ ବିଶ୍ୱାସ ତୁଟିଯାଇଥାଏ । ହେଲେ ବିଜେଡି ପାଖରେ ଏହା ଭୁଲ ପ୍ରମାଣିତ ହୋଇଛି । ୨୦୧୯ରେ ୪ର୍ଥ ଟର୍ମରେ ବିଜେଡି ସବୁ ରେକର୍ଡ ଭାଙ୍ଗି ସର୍ବାଧିକ ଆସନ ଜିତିଥିଲା । କୌଣସି ରାଜନୈତିକ ଦଳ ବିଜେଡି ପାଖାପାଖି ବି ପହଞ୍ଚି ପାରୁନି ।

ତୃଣମୂଳ ସ୍ତରର ରାଜନୀତି, ଦୁର୍ବଳଙ୍କ ହାତ ଧରି ଉପରକୁ ଉଠାଇବାର ମାନସିକତା, ଦୁର୍ନୀତି ବିରୋଧରେ କଡା ଆଭିମୁଖ୍ୟ ହେଉଛି ନବୀନଙ୍କ ପୁଞ୍ଜି । ଏହି ପୁଞ୍ଜି ତାଙ୍କ ଭାବମୂର୍ତ୍ତିକୁ ଯେତିକି ସ୍ୱଚ୍ଛ କରିଛି ଦଳର ଲୋକପ୍ରିୟତା ବି ସେତିକି ବଢାଇଛି । ଶିଶୁଟିଏ ମାତୃଗର୍ଭରେ ରହିବାଠାରୁ ଶ୍ମଶାନକୁ ଯିବା ପର୍ଯ୍ୟନ୍ତ ପ୍ରତ୍ୟେକ ପାଦରେ ସେ ବିଭିନ୍ନ ଯୋଜନା ମାଧ୍ୟମରେ ଲୋକଙ୍କ ପ୍ରତି ସହାୟତାର ହାତ ବଢାଇଛନ୍ତି । ସାଧାରଣ ଗରିବ ଜନତାଙ୍କର ନବୀନଙ୍କ ନେତୃତ୍ୱ ଉପରେ ରହିଛି ଅଗାଧ  ବିଶ୍ୱାସ । ସେହି ବିଶ୍ୱାସ ହିଁ ତାଙ୍କୁ ଦେଇଚାଲିଛି ନିରବଚ୍ଛିନ୍ନ ବିଜୟ । ସେ ହୋଇଛନ୍ତି ଅପରାଜେୟ ରାଜା ।

 

Leave A Reply

Your email address will not be published.