ଭୁବନେଶ୍ୱର: ୩ ଜଣ ଡାକ୍ତରଙ୍କୁ ନିଲମ୍ବିତ କରିଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ନିଲମ୍ବିତ ଡାକ୍ତର ହେଲେ ଗମ୍ଭାରୀମୁଣ୍ଡା CHC ମେଡିକାଲ ଅଫିସର ପ୍ରଭାକର ବେହେରା, ଗାଜଲବାଡ଼ି ପିଏଚ୍ ସି ମେଡିକାଲ ଅଫିସର ତମନ୍ନା ପ୍ରିୟଦର୍ଶିନୀ ଏବଂ ଆସିକା ଏସ୍ ଡିଏଚ୍ ମେଡିକାଲ ଅଫିସର ସୁପ୍ରକାଶ ଦାସ ।
ତେବେ ସାମାଜିକ ଗଣମାଧ୍ୟମରେ ଅନଧିକୃତ ମନ୍ତବ୍ୟ ପାଇଁ ଗମ୍ଭାରୀମୁଣ୍ଡା CHC ମେଡିକାଲ ଅଫିସର ପ୍ରଭାକର ବେହେରାଙ୍କୁ ନିଲମ୍ବିତ କରାଯାଇଛି । ସେହିପରି, ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଗଞ୍ଜାମ ଗସ୍ତବେଳେ ଗାଜଲବାଡ଼ି ପିଏଚ୍ ସି ମେଡିକାଲ ଅଫିସର ତମନ୍ନା ପ୍ରିୟଦର୍ଶିନୀ ଏବଂ ଆସିକା ଏସ୍ ଡିଏଚ୍ ମେଡିକାଲ ଅଫିସର ସୁପ୍ରକାଶ ଦାସ ଉଭୟ ଅନୁପସ୍ଥିତ ଥିବା କାରଣରୁ ସେମାନଙ୍କୁ ସସ୍ ପେଣ୍ଡ କରାଯାଇଛି ।
ନିଲମ୍ବନ ଅବଧିରେ ଡା. ପ୍ରଭାକର ବେହେରାଙ୍କ ମୁଖ୍ୟାଳୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଖୋର୍ଦ୍ଧା ଓ ଡା. ତମନ୍ନା ପ୍ରିୟଦର୍ଶିନୀ ଓ ଡା. ସୁପ୍ରକାଶ ଦାସଙ୍କ ମୁଖ୍ୟାଳୟ ସିଟି ହସ୍ପିଟାଲ, ବ୍ରହ୍ମପୁର ରହିବେ । କର୍ତ୍ତୃପକ୍ଷଙ୍କ ପୂର୍ବ ଅନୁମତି ବିନା ସେମାନେ ନିଜ ମୁଖ୍ୟାଳୟ ଛାଡ଼ିପାରିବେ ନାହିଁ । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ନିର୍ଦ୍ଦେଶନାମା ଜାରି ହୋଇଛି ।
