Latest Odisha News

ଭୀମ ଭୋଇ ହସ୍ପିଟାଲରେ ରକ୍ତ ପରୀକ୍ଷା ରିପୋର୍ଟ ଅଦଳବଦଳ; ୩ବର୍ଷୀୟ ଶିଶୁକୁ ବୟସ୍କଙ୍କ ରିପୋର୍ଟ

ବଲାଙ୍ଗୀର: ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସାରେ ଅବହେଳାକୁ ନେଇ ଅଭିଯୋଗ ଆସିଛି । ଜଣେ ଶିଶୁକୁ ୨ଜଣ ବୟସ୍କଙ୍କ ରିପୋର୍ଟ ଦିଆଯାଇଥିବା ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁସାରେ, ୩ ବର୍ଷର ଶିଶୁ ଅନୁଷ୍କାର ପାଥୋଲୋଜି ରିପୋର୍ଟ ଦୁଇଜଣ ଅନ୍ୟ ରୋଗୀଙ୍କ ରିପୋର୍ଟ ସହ ଅଦଳବଦଳ ହୋଇଯାଇଥିଲା । କର୍ତ୍ତବ୍ୟରତ ଡାକ୍ତରମାନେ ମଧ୍ୟ ରିପୋର୍ଟକୁ ଦେଖିନଥିଲେ କି ଦିଆଯାଇଥିବା ଔଷଧକୁ ଯାଂଚ କରିନଥିଲେ ।

ହସ୍ପିଟାଲ ସୂତ୍ରରୁ ଜଣାପଡିଛି ଯେ, ବଲାଙ୍ଗୀର ଚିମିନିଭାଟି ପଡାର ସଂକୀର୍ତ୍ତନ ବେହେରା ତାଙ୍କ ୩ ବର୍ଷର ଝିଅ ଅନୁଷ୍କାକୁ ଜ୍ୱର ହେବାରୁ ଗତ ୧୫ ତାରିଖରେ ହସ୍ପିଟାଲ ନେଇ ଯାଇଥିଲେ । ହସ୍ପିଟାଲର ପାଥୋଲୋଜି ଲ୍ୟାବରେ ଝିଅର ରକ୍ତ ଓ ପରିସ୍ରା ପରୀକ୍ଷା କରାଇବା ପାଇଁ ଡାକ୍ତର କହିଥିଲେ ।

ଝିଅର ପରିବାର ଲୋକେ ଔଷଧର ପରିମାଣ ଦେଖି ସନ୍ଦେହ କରିଥିଲେ । ପରେ ସଂକୀର୍ତ୍ତନଙ୍କ ଭାଇ ରିପୋର୍ଟ ଯାଂଚ କରିବାରୁ ଗୋଟିଏରେ ୫୩ ଓ ଆଉ ଗୋଟିଏ ରିପୋର୍ଟରେ ୫୬ ବର୍ଷ ବୟସ ଲେଖା ହୋଇଥିବା ଜାଣିବାକୁ ପାଇଥିଲେ । ଏହାପରେ ଝିଅକୁ ଆଉ ଔଷଧ ଦେଇନଥିଲେ । ଏହି ଘଟଣା ପରେ ହସ୍ପିଟାଲର ପାଥୋଲୋଜି ବିଭାଗ ଦୋଷ ସ୍ୱୀକାର କରିଛି ।

ଲ୍ୟାବ ରେକର୍ଡରେ ଝିଅର ରେଜିଷ୍ଟ୍ରେସନ ନମ୍ବର ୧୨୧ ଥିଲା, କିନ୍ତୁ ରିପୋର୍ଟ ଦେବାବେଳେ ତାହା ଅଦଳବଦଳ ହୋଇଯାଇଥିବା ପାଥୋଲୋଜି ବିଭାଗର ସହକାରୀ ପ୍ରଫେସର ମନୋଜ ପାତ୍ର କହିଛନ୍ତି ।

ଏହା ଚିକିତ୍ସାରେ ଅବହେଳା ମାମଲା । ଘଟଣାର ଯାଂଚ ପରେ ଦୋଷୀ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ପ୍ରଶାସନିକ ଅଧିକାରୀ ରାଧେଶ୍ୟାମ ପାଢ଼ୀ କହିଛନ୍ତି ।

Leave A Reply

Your email address will not be published.