Latest Odisha News

BREAKING NEWS

PM-KISAN ସହାୟତା, ଓଡ଼ିଶାର ୩୪ ଲକ୍ଷ ଚାଷୀଙ୍କ ଖାତାକୁ ଆସିଲା ୬୯୨ କୋଟି ଟଙ୍କା

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନାର ୨୩ତମ କିସ୍ତି ଅଧୀନରେ ଶନିବାର ଓଡ଼ିଶାର ପ୍ରାୟ ୩୪ ଲକ୍ଷ ଚାଷୀଙ୍କ ବ୍ୟାଙ୍କ ଖାତାକୁ ୬୯୨ କୋଟି ଟଙ୍କାରୁ ଅଧିକ ସହାୟତା ରାଶି ପଠାଯାଇଛି।

ପଶ୍ଚିମବଙ୍ଗର ତାରକେଶ୍ୱରରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ପ୍ରାୟ ୯.୪୪ କୋଟି ଚାଷୀଙ୍କ ଖାତାକୁ ୧୮,୮୮୦ କୋଟି ଟଙ୍କାରୁ ଅଧିକ ରାଶି ହସ୍ତାନ୍ତର କରିଥିଲେ। ଏହି କିସ୍ତିରେ ପ୍ରତ୍ୟେକ ଯୋଗ୍ୟ ଚାଷୀଙ୍କୁ ୨,୦୦୦ ଟଙ୍କା ମିଳିଛି।

PM-KISAN ଯୋଜନା କେନ୍ଦ୍ର ସରକାରଙ୍କ ଏକ ପ୍ରମୁଖ କୃଷକ କଲ୍ୟାଣ ଯୋଜନା। ଏହା ଅଧୀନରେ ଚାଷୀମାନଙ୍କୁ ବିହନ, ସାର, କୀଟନାଶକ ଓ ଅନ୍ୟାନ୍ୟ କୃଷି ସାମଗ୍ରୀ କ୍ରୟ ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯାଏ। ଯୋଗ୍ୟ ଚାଷୀମାନେ ବର୍ଷକୁ ୬,୦୦୦ ଟଙ୍କା ତିନୋଟି ସମାନ କିସ୍ତିରେ ପାଇଥାନ୍ତି।

ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରସ୍ଥିତ ମହତାବ ଭବନ ଟାଉନ ହଲରେ ରାଜ୍ୟସ୍ତରୀୟ PM-KISAN ସହାୟତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଥିଲେ ଯେ, ଓଡ଼ିଶା ଦେଶର ଏକମାତ୍ର ରାଜ୍ୟ ଯେଉଁଠାରେ ଚାଷୀଙ୍କଠାରୁ ଧାନ କ୍ୱିଣ୍ଟାଲ ପିଛା ୩,୧୦୦ ଟଙ୍କାରେ କିଣାଯାଉଛି। ସେ କହିଥିଲେ ଯେ, ଗତ କିଛି ବର୍ଷ ମଧ୍ୟରେ ଓଡ଼ିଶାର ଚାଷୀମାନେ ଫଳ ଓ ପନିପରିବା ଉତ୍ପାଦନ କରି ବିଦେଶକୁ ରପ୍ତାନି କରିବାରେ ସଫଳ ହୋଇଛନ୍ତି।

ଏଲ୍-ନିନୋର ପ୍ରଭାବ ଚଳିତ ବର୍ଷ ଓଡ଼ିଶାରେ ଦେଖିବାକୁ ମିଳିପାରେ ବୋଲି ସତର୍କ କରି ମନ୍ତ୍ରୀ ଚାଷୀମାନଙ୍କୁ ସ୍ୱଳ୍ପ ଅବଧିର ଫସଲ ଚାଷ କରିବାକୁ ପରାମର୍ଶ ଦେଇଥିଲେ। ଏହା ଦ୍ୱାରା ଫସଲ ଉତ୍ପାଦନ ଉପରେ ପ୍ରଭାବ କମ୍ ପଡ଼ିବ ବୋଲି ମନ୍ତ୍ରୀ କହିଛନ୍ତି ।

ଏହାସହ ଡାଲି ଓ ତୈଳବୀଜ ଚାଷ ବୃଦ୍ଧି ପାଇଁ ମଧ୍ୟ ସେ ଚାଷୀମାନଙ୍କୁ ଉତ୍ସାହିତ କରିଥିଲେ। ସରକାର ସର୍ବନିମ୍ନ ସହାୟକ ମୂଲ୍ୟ (MSP)ରେ ଏହି ଫସଲ କ୍ରୟ କରିବେ ବୋଲି ଆଶ୍ୱାସନ ଦେଇ ସେ କହିଥିଲେ, ଏହା ଦ୍ୱାରା ଓଡ଼ିଶା ଡାଲି ଓ ତୈଳବୀଜ ଉତ୍ପାଦନରେ ଆତ୍ମନିର୍ଭର ହୋଇପାରିବ।

Comments are closed.