Latest Odisha News

BREAKING NEWS

ବାତ୍ୟା ‘ୟାସ୍’ ବେଳେ ରାଜ୍ୟରେ ଜନ୍ମ ହୋଇଛନ୍ତି ୩୫୦ ନବଜାତ, ୨ ଜଣଙ୍କ ନାଁ ରଖାଗଲା ‘ୟାସ୍’

ଭୁବନେଶ୍ୱର: ଓଡ଼ିଶାରେ ଅତି ଭୀଷଣ ବାତ୍ୟା ‘ୟାସ୍’ ତାଣ୍ଡବ ରଚୁଥାଏ । ସୁ ସୁ ହୋଇ ପବନ ବହୁଥିବା ବେଳେ ଅଜାଡ଼ି ହେଉଥାଏ ତୁହାକୁ ତୁହା ବର୍ଷା । ଆଉ ଠିକ୍ ସେତିକି ବେଳେ ବାତ୍ୟା ପ୍ରଭାବିତ ଜିଲ୍ଲାର ମେଡିକାଲରେ ୩୫୦ ଜଣ ନବଜାତ ଦୁନିଆ ଦେଖିଛନ୍ତି । ଜନ୍ମ ନେଇଥିବା ନବଜାତଙ୍କ ମଧ୍ୟରୁ ୨ ଜଣଙ୍କ ନାଁ ‘ୟାସ୍’ ରଖାଯାଇଥିବା ଜଣାପଡ଼ିଛି ।

ବାତ୍ୟା ‘ୟାସ୍’କୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପ୍ରଭାବିତ ହେବାକୁ ଥିବା ଜିଲ୍ଲାରେ ଜୁନ୍ ୧ ସୁଦ୍ଧା ପ୍ରସବ ତାରିଖ ଥିବା ୬ ହଜାର ୫ଶହ ଗର୍ଭବତୀଙ୍କୁ ଚିହ୍ନଟ କରି ହସ୍ପିଟାଲକୁ ଆଣିଥିଲେ । ବାତ୍ୟା ପ୍ରଭାବିତ ହେବାକୁ ଥିବା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ମୟୂରଭଞ୍ଜ, କେନ୍ଦୁଝର ଓ ଢେଙ୍କାନାଳରେ ଆସନ୍ନ ପ୍ରସବାଙ୍କୁ ମେଡିକାଲ ନିଆଯାଇଥିଲା ।

ବାତ୍ୟା ସକାଳ ୯ଟା ବେଳେ ଲ୍ୟାଣ୍ଡଫଲ୍ କରି ତାଣ୍ଡବ ରଚୁଥାଏ । ସେହି ସମୟରେ ବାଲେଶ୍ୱର ଜିଲ୍ଲାରେ ୧୬୫ ନବଜାତ ଜନ୍ମ ନେଇଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସୂଚନା ଅନୁସାରେ, ବାତ୍ୟା ସମୟରେ ଜନ୍ମ ହୋଇଥିବା ନବଜାତଙ୍କ ମଧ୍ୟରେ ୭୯ ଜଣ ପୁଅ ଥିବାବେଳେ ୮୬ ଜଣ ଝିଅ । ସେହିଭଳି ବାତ୍ୟା ପ୍ରଭାବିତ ଭଦ୍ରକରେ ୩୭ ପୁଅ ଓ ୨୨ ଝିଅଙ୍କୁ ମିଶାଇ ୬୦ ଜଣ ନବଜାର ଜନ୍ମ ହୋଇଛନ୍ତି । ଧାମରା ନିକଟ ବାସୁଦେବପୁର ବ୍ଲକରେ ସର୍ବାଧିକ ୨୩ ଜଣ ନବଜାତ ଜନ୍ମ ହୋଇଛନ୍ତି ।

ସେହିଭଳି ମୟୂରଭଞ୍ଜ ଜିଲ୍ଲାରେ ୬୬ ଜଣ ନବଜାତ ଜନ୍ମ ହୋଇଥିବା ବେଳେ କେନ୍ଦ୍ରାପଡ଼ାରେ ୪୦, ଜଗତସିଂହପୁରରେ ୧୩, କେନ୍ଦୁଝର ଓ ଢେଙ୍କାନାଳରେ ୩ ଜଣ ଲେଖାଏଁ ଛୁଆ ଜନ୍ମ ନେଇଛନ୍ତି । ସୂଚନା ଅନୁସାରେ, ବାତ୍ୟା ସମୟରେ ଜନ୍ମ ହୋଇଥିବା ବାଲେଶ୍ୱର ସଦର ବ୍ଲକରେ ସୋନାଲି ମଇତି ଓ ବାଦଲ ମଇତି ପୁଅର ନାଁ ‘ୟାସ୍’ ରଖିଛନ୍ତି । ସମାନ ଭାବେ କେନ୍ଦ୍ରାପଡ଼ା ରାଜନଗର ହରିଣପୋଖରୀ ଗାଁର ସରସ୍ୱତୀ ବୈରାଗୀ ଝିଅର ନାଁ ରଖିଛନ୍ତି ‘ୟାସ୍’ ।

Leave A Reply

Your email address will not be published.