Latest Odisha News

ତୃତୀୟ ଚନ୍ଦ୍ରଶେଖର ରାଓ ସ୍ମାରକୀ ବକ୍ତୃତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ଵର : ଉତ୍ସ ଫାଉଣ୍ଡେସନ ଫର୍ କଣ୍ଟେମ୍ପରାରୀ ଆର୍ଟ, ଭୁବନେଶ୍ଵର ପକ୍ଷରୁ ବିଶିଷ୍ଠ ଓଡ଼ିଆ ଚିତ୍ରଶିଳ୍ପୀ ଶ୍ରୀଯୁକ୍ତ ଚନ୍ଦ୍ରଶେଖର ରାଓଙ୍କ ୮୪ତମ ଜନ୍ମବାର୍ଷିକୀ ଉପଲକ୍ଷେ ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ତୃତୀୟ ଚନ୍ଦ୍ରଶେଖର ରାଓ ସ୍ମାରକୀ ବକ୍ତୃତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ବନାରସ ହିନ୍ଦୁ ବିଶ୍ଵବିଦ୍ୟାଳୟର କଳା ଇତିହାସ ବିଭାଗର ପ୍ରଫେସର ତଥା ଭାରତର ବିଶିଷ୍ଟ କଳା ଐତିହାସିକ ପ୍ରଦୋଷ ମିଶ୍ର ପରମ୍ଭରେ ଚିତ୍ରଶିଳ୍ପୀ ଚନ୍ଦ୍ରଶେଖର ରାଓଙ୍କ ସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ ନିଜର କଳାକୃତିମାନଙ୍କ ପାଇଁ ସର୍ବଭାରତୀୟ ସ୍ତରରେ ଚନ୍ଦ୍ରଶେଖର ନିଜସ୍ୱ ପରିଚୟ ତିଆରି କରିଥିଲେ ।

ଏହି ଅବସରରେ ବିଶିଷ୍ଟ ପ୍ରାବନ୍ଧିକ ତଥା ସମାଲୋଚକ ଅସିତ ମହାନ୍ତି “କଳା ପରମ୍ପରା: ଐତିହ୍ୟରୁ ଅଭ୍ୟୁଦୟ ” ଶୀର୍ଷକରେ ଚନ୍ଦ୍ରଶେଖର ରାଓ ସ୍ମୃତି ବକ୍ତୃତା ପ୍ରଦାନ କରିଥିଲେ। ଦିବଂଗତ ଶିଳ୍ପୀଙ୍କ ସହିତ ଦୀର୍ଘ ଦିନର ସମ୍ପର୍କକୁ ପ୍ରଥମେ ସ୍ମରଣ କରିବା ସହ ଶ୍ରୀ ମହାନ୍ତି ବିଭିନ୍ନ ପର୍ଯ୍ୟାୟରେ ଚନ୍ଦ୍ରଶେଖରଙ୍କ କଳାଯାତ୍ରା ଉପରେ ଆଲୋଚନା କରିବା ସହ ଓଡ଼ିଶାର କଳା ପରମ୍ପରାକୁ ଚନ୍ଦ୍ରଶେଖରଙ୍କ ଅବଦାନ ସମ୍ପର୍କରେ ଅବଗତ କରାଇଥିଲେ ଏବଂ ଓଡ଼ିଶାର ଆଧୁନିକ କଳା ଆନ୍ଦୋଳନରେ ଚନ୍ଦ୍ରଶେଖରଙ୍କ ଭୂମିକା ଓ ଅବଦାନ ସମ୍ପର୍କରେ ମଧ୍ଯ ଆଲୋକପାତ କରିଥିଲେ।

ଏହି କାର୍ଯ୍ୟକ୍ରମକୁ ଗବେଷିକା ସୁମିତ୍ରା ପାଢ଼ୀ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଉତ୍ସବରେ ଓଡ଼ିଶାର ଅନେକ ମାନ୍ୟଗଣ୍ୟ କଳାକାର , ସାହିତ୍ୟକ ଏବଂ ସଂସ୍କୃତିପ୍ରେମୀ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ।

Leave A Reply

Your email address will not be published.