Latest Odisha News

BREAKING NEWS

ପ୍ରଦୀପ ମହାରଥୀଙ୍କ ଫାର୍ମହାଉସରେ ଫ୍ଲାଇଂ ସ୍କ୍ୱାଡ୍ ଉପରେ ଆକ୍ରମଣ,୫ ଆହତ

ପିପିଲି : ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ହୁଙ୍କେଇପୁର ସ୍ଥିତ ଫାର୍ମହାଉସରେ ଯାଞ୍ଚବେଳେ ରବିବାର ବିଳମ୍ବିତ ରାତିରେ ଫ୍ଲାଇଂ ସ୍କ୍ୱାଡ୍ ଓ ଜଣେ ମାଜିଷ୍ଟ୍ରେଟଙ୍କ ସମେତ ୫ଜଣ ଆହତ ହୋଇଛନ୍ତି ।

ମିଳିଥିବା ସୂଚନାନୁଯାୟୀ ଶ୍ରୀଯୁକ୍ତ ମହାରଥୀ ଓ ତାଙ୍କ ସମର୍ଥକମାନେ ଏହି ଯାଞ୍ଚକାରୀ ଦଳଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

ମାଜିଷ୍ଟ୍ରେଟ୍ ରବି ନାରାୟଣ ପାତ୍ରଙ୍କ ସମେତ ଆହତମାନଙ୍କୁ ଚିକିତ୍ସା ନିମନ୍ତେ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଗଣମାଧ୍ୟମକୁ ସୂଚନା ଦେଇ ଆହତ ମାଜିଷ୍ଟ୍ରେଟ୍ କହିଛନ୍ତି, ଆଇଆଇସିଙ୍କ ଦ୍ୱାରା ପିପିଲି ବିଧାୟକଙ୍କ ଫାର୍ମହାଉସରେ ଟଙ୍କା ଓ ମଦ ବଣ୍ଟନ କରାଯାଉଥିବା ଖବର ପାଇ ଫ୍ଲାଇଂ ସ୍କ୍ୱାଡ, ଷ୍ଟାଟିକ୍ ସର୍ଭେଲାନ୍ସ ଟିମ୍ ଓ ବିଡିଓ ସର୍ଭେଲାନ୍ସଙ୍କୁ ନେଇ ଗଠିତ ୩ଟି ଟିମ୍ ଫାର୍ମହାଉସ ଉପରେ ଚଢାଉ କରିଥିଲେ ।

“ଖବର ପାଇ ମିଳିତ ଟିମ୍ ପକ୍ଷରୁ ଚଢ଼ଉ କରାଯାଇଥିଲା। ଫଳରେ ସମ୍ପୃକ୍ତ ନେତାଙ୍କ ସମର୍ଥକମାନେ ଟିମ୍ ସଦସ୍ୟଙ୍କୁ ଆକ୍ରମଣ କରିଥିଲା । ଏହି ଆକ୍ରମଣରେ ଫ୍ଲାଇଂ ସ୍କ୍ୱାଡ ଅଫିସର ରବିନାରାୟଣ ପାତ୍ର, ବିଡିଓ ସର୍ଭେଲାନ୍ସ ଟିମର ଭିଡିଓଗ୍ରାଫର ପୂର୍ଣ୍ଣଚନ୍ଦ୍ର ଦାସ ଓ ସୁଶାନ୍ତ ପ୍ରଧାନ, ଏଏସଆଇ ବିନୟ କୁମାର ଦାସ, ଡ୍ରାଇଭର ଦୀପକ ପ୍ରମୁଖ ଗୁରୁତର ଆହତ ହୋଇଥିବା” ନେଇ ପ୍ରକାଶ କରିଛନ୍ତି ।

ଆହୁରି ମଧ୍ୟ ଏନେଇ ପୁରୀ ଏସପି ଉମା ଶଙ୍କର ଦାସ ମଧ୍ୟ କହିଛନ୍ତି ଯେ ନିର୍ବାଚନକୁ ବ୍ୟାଘାତ କରିବା ପାଇଁ ପ୍ରୟାସ କରାଯାଉଥିଲା । ଏହି ଘଟଣାରେ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଛାନଭିନ୍ ଆରମ୍ଭ କରାଯାଇଥିବା ନେଇ ସୂଚନା ପ୍ରଦାନ କରିଛନ୍ତି ।

କୌଣସିପ୍ରକାର ଅପ୍ରିତିକର ପରିସ୍ଥିତକୁ ଏଡାଇବାକୁ ଯାଇ ଫାର୍ମହାଉସରେ ସଶସ୍ତ୍ର ପୋଲିସ ବାହିନୀ ନିୟୋଜିତ କରାଯାଇଥିବା ନେଇ ସେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.