ସମ୍ବଲପୁର: ହୀରାକୁଦ ଡ୍ୟାମର ଆଉ ପାଞ୍ଚଟି ସ୍ଲୁଇସ୍ ଗେଟ୍ ସୋମବାର ଦିନ ଖୋଲାଯାଇଛି। ଏଥିସହିତ ବର୍ତ୍ତମାନ ଡ୍ୟାମର ମୋଟ ୭ଟି ସ୍ଲୁଇସ୍ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ଯେଉଁଥିରେ ବାମ ପାର୍ଶ୍ୱରେ ପାଞ୍ଚଟି ଏବଂ ଡାହାଣ ପାର୍ଶ୍ୱରେ ଦୁଇଟି ଗେଟ୍ ଖୋଲା ରହିଛି। ପୂର୍ବରୁ ଦୁଇଟି ଗେଟ୍ ଖୋଲା ଥିଲା।
ସୂଚନା ଅନୁଯାୟୀ, ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୯.୦୦ ଫୁଟ ଥିଲା। ହାରାହାରି ପ୍ରବେଶ ୧,୭୧,୪୭୮ କ୍ୟୁସେକ୍ ରେକର୍ଡ କରାଯାଇଛି। ସେହିପରି ହାରାହାରି ଜଳ ନିଷ୍କାସନ ୬୬,୦୦୯ କ୍ୟୁସେକ୍ ଥିଲା।
ମୋଟ ଜଳ ନିଷ୍କାସନ ମଧ୍ୟରୁ ସ୍ପିଲୱେ ମାଧ୍ୟମରେ ୩୧,୦୩୮ କ୍ୟୁସେକ୍, ପାୱାର ଚ୍ୟାନେଲ ମାଧ୍ୟମରେ ୩୦,୬୩୩ କ୍ୟୁସେକ୍ ଏବଂ ଅବଶିଷ୍ଟ ଜଳସେଚନ, ଶିଳ୍ପ ବ୍ୟବହାର ଏବଂ ଅନ୍ୟାନ୍ୟ ଚ୍ୟାନେଲ ମାଧ୍ୟମରେ ଛଡାଯାଇଛି। ଜଳଭଣ୍ଡାରର ଲାଇଭ୍ ଷ୍ଟୋରେଜ୍ କ୍ଷମତା ୨.୩୨୦ ନିୟୁତ ଏକର-ଫୁଟ ଥିଲା। ଯାହା ଏହାର ପୂର୍ଣ୍ଣ କ୍ଷମତାର ୫୯ ପ୍ରତିଶତ।
ତେବେ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଡ୍ୟାମ୍ କର୍ତ୍ତୃପକ୍ଷ ଜଳସ୍ତର ବୃଦ୍ଧି ଏବଂ ଜଳପ୍ରବାହ ଉପରେ ନିରନ୍ତର ନଜର ରଖିଥିବା ଜଣାପଡ଼ିଛି।
