Latest Odisha News

BREAKING NEWS

ବାରିପଦାରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ: ଟ୍ରାକ୍ ଧସିବାରୁ ବାତିଲ ହେଲା ଏକାଧିକ ଟ୍ରେନ୍

ବାରିପଦା: ରାଜ୍ୟରେ ଲାଗି ରହିଥିବା ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁଁ ମୟୂରଭଞ୍ଜ ଜିଲ୍ଲା ବାରିପଦା ସହରରେ ସ୍ୱାଭାବିକ ଜୀବନଯାତ୍ରା ଗୁରୁତର ଭାବେ ପ୍ରଭାବିତ ହୋଇଛି। ଲଗାଣ ବର୍ଷା କାରଣରୁ ସୋମବାର ଦିନ ବାରିପଦା ଷ୍ଟେସନ୍ ମାର୍କେଟ୍ ଅଞ୍ଚଳରେ ଥିବା ସୁଙ୍ଗାଡିଆ ନିକଟରେ ରେଳଧାରଣା ଧସିଯିବା ଫଳରେ ଏହି ରୁଟ୍‌ରେ ଟ୍ରେନ୍ ଚଳାଚଳ ବ୍ୟାପକ ଭାବେ ବାଧାପ୍ରାପ୍ତ ହୋଇଛି। ପ୍ରାପ୍ତ ସୂଚନା ଅନୁଯାୟୀ, ସୁଙ୍ଗାଡିଆ ନିକଟରେ ପ୍ରାୟ ୫୦ ମିଟର ଲମ୍ବର ରେଳ ଟ୍ରାକ୍ ତଳୁ ମାଟି ଅତଡ଼ା ଖସି ଦବି ଯାଇଛି।

ଏହି ଅଘଟଣ ପରେ ରେଳ ବିଭାଗ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଅନେକ ଟ୍ରେନ୍‌କୁ ତୁରନ୍ତ ବାତିଲ କରାଯାଇଛି। ଟ୍ରାକ୍ ଧସିଯିବା ଖବର ମିଳିବା ମାତ୍ରେ ରେଳବାଇର ବୈଷୟିକ ଟିମ୍ ଓ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଯୁଦ୍ଧକାଳୀନ ଭିତ୍ତିରେ ଟ୍ରାକ୍ ମରାମତି କାର୍ଯ୍ୟ ଆରମ୍ଭ କରାଯାଇଥିଲେ ସୁଦ୍ଧା, ପ୍ରବଳ ବର୍ଷା ଯୋଗୁଁ ପୁନରୁଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହେଉଥିବା ଜଣାପଡ଼ିଛି।

ମୟୂରଭଞ୍ଜ ଜିଲ୍ଲାରେ ଗତ କିଛି ଦିନ ହେବ ଲାଗିରହିଥିବା ପ୍ରବଳ ବର୍ଷା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଛି। ବିଭିନ୍ନ ନଦୀ ନାଳରେ ଜଳସ୍ତର ବୃଦ୍ଧି ପାଇବା ସହ ସହରର ବହୁ ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି। ଏଭଳି ସ୍ଥିତିରେ ହଠାତ୍ ରେଳସେବା ବିଚ୍ଛିନ୍ନ ହେବା ଫଳରେ ଦୈନନ୍ଦିନ ଯାତ୍ରୀମାନେ ନାହିଁ ନଥିବା ହଟହଟା ହେଉଛନ୍ତି ।

ବିଶେଷକରି ଯେଉଁ ଯାତ୍ରୀମାନେ ନିଜ କାର୍ଯ୍ୟକ୍ଷେତ୍ର କିମ୍ବା ଗନ୍ତବ୍ୟସ୍ଥଳକୁ ଯିବା ପାଇଁ ଆଗୁଆ ଟିକେଟ୍ କରି ଷ୍ଟେସନରେ ଅପେକ୍ଷା କରିଥିଲେ, ସେମାନେ ଟ୍ରେନ୍ ବାତିଲ୍ ଖବର ପାଇ ଘୋର ନିରାଶ ହୋଇଛନ୍ତି । ଟ୍ରେନ୍ ଉପରେ ନିର୍ଭରଶୀଳ ଥିବା ସ୍ଥାନୀୟ ବ୍ୟବସାୟୀଙ୍କ ପାଇଁ ମଧ୍ୟ ଏହା ଏକ ବଡ଼ ସମସ୍ୟା ସୃଷ୍ଟି କରିଛି ।

ଯେପର୍ଯ୍ୟନ୍ତ ଧସିଥିବା ଟ୍ରାକ୍‌ର ସମ୍ପୂର୍ଣ୍ଣ ମରାମତି ନହୋଇଛି ଏବଂ ବିଭାଗୀୟ ଅଧିକାରୀଙ୍କ ଦ୍ୱାରା କଡ଼ା ସୁରକ୍ଷା ଯାଞ୍ଚ ଶେଷ ନହୋଇଛି, ସେପର୍ଯ୍ୟନ୍ତ ଏହି ରୁଟ୍‌ରେ ଟ୍ରେନ୍ ଚଳାଚଳ ସ୍ୱାଭାବିକ ହେବା ସମ୍ଭବ ନୁହେଁ ।

Leave A Reply

Your email address will not be published.