Latest Odisha News

BREAKING NEWS

ଆଉ ୫ ଦୁର୍ନୀତିଗ୍ରସ୍ତ ଓ ଅପାରଗ ଅଫିସର ଚାକିରିରୁ ବିଦା

ଭୁବନେଶ୍ୱର: ଦୁର୍ନୀତିଗ୍ରସ୍ତ ଓ ଅପାରଗଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ କଠୋର ଆଭିମୁଖ୍ୟ ଜାରି । ଆଉ ୫ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ଏମାନଙ୍କ ଭିତରେ ଅଛନ୍ତି ପୋଲିସ ଡିଏସପି, ଓଏଏସ୍ ଅଫିସର, ପୋଲିସ ଇନ୍ସପେକ୍ଟର ଓ୨ ଜଣ ମ୍ୟୁନିସିପାଲଟି ଏକଜିକ୍ୟୁଟିଭ ଅଫିସର ।

ଦୁର୍ନୀତି ଅଭିଯୋଗରେ ଚାକିରିରୁ ବିଦା ହୋଇଛନ୍ତି କଳାହାଣ୍ଡି ଜିଲ୍ଲା ମହିଳା ବିରୋଧୀ ଅପରାଧ ତଦନ୍ତ କେନ୍ଦ୍ରରେ (ଓଟଉଇଡ) ଡିଏସପି ରବିନ୍ଦ୍ର କୁମାର ସେଠୀ । ତାଙ୍କ ବିରୋଦ୍ଧରେ ଗୋଟିଏ ଦୁର୍ନୀତି ଅଭିଯୋଗ ରହିଛି । ଜଣେ ଅଭିଯୋଗକାରୀଙ୍କଠାରୁ ୫୦୦୦ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଦ୍ୱାରା ଧରାପଡ଼ି ଜେଲ୍ ଯାଇଥିଲେ । ଦୁର୍ନୀତି ଓ ଅସାଧୁତା ଯୋଗୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।

ସେହିପରି ସୁନ୍ଦରଗଡ ଜିଲ୍ଲା ବଣାଇର ପୂର୍ବତନ ତହସିଲଦାର ସୁଶୀଲ କୁମାର କୁଜୁରଙ୍କୁ ବି ବାଧ୍ୟତାମୂଳକ ଅବସର ଦେଇଛନ୍ତି ସରକାର । ତାଙ୍କ ନାଁରେ ରହିଛି ଗୋଟିଏ ଦୁର୍ନୀତି ଅଭିଯୋଗ । ଢେଙ୍କାନାଳ ସଦର ବ୍ଲକ୍‌ରେ ବିଡିଓ ଥିବାବେଳେ ନରେଗା ପାଣ୍ଠି ଆତ୍ମସାତ କରିଥିବା ଅଭିଯୋଗ ହୋଇଥିଲା । ବିଭିନ୍ନ ଗାଁରେ ଜାଲ କାଗଜପତ୍ରରେ ବୃକ୍ଷରୋପଣ କାର୍ୟ୍ୟକ୍ରମ ଦର୍ଶାଇ ସରକାରଙ୍କର ୨୪ ଲକ୍ଷ ୨୨ ହଜାର ୫୩୮ ଟଙ୍କା କ୍ଷତି ପହଞ୍ଚାଇଥିଲେ ।

ଦୁର୍ନୀତି ଅଭିଯୋଗରେ ଚାକିରି ହରାଇଲେ ବଲାଙ୍ଗିର ଜିଲ୍ଲା ବଙ୍ଗମୁଣ୍ଡାର ପୋଲିସ ଇନ୍‌ସପେକ୍ଟର ବିନୋଦ ବିହାରୀ ନାୟକ । ବଙ୍ଗମୁଣ୍ଡାରୁ କୁଚିଣ୍ଡାକୁ କାର୍‌ରେ ଯାଉଥିବା ବେଳେ ବରଗଡ ଟୋଲଗେଟ୍‌ ନିକଟରେ ଧରିଥିଲା ଭିଜିଲାନ୍ସ । ତାଙ୍କଠାରୁ ୨ ଲକ୍ଷ ୬ ହଜାର ୨୨୦ ଟଙ୍କା ଜବତ କରାଯାଇଥିଲା । ରେଡ୍ ବେଳେ ତାଙ୍କ ଘରୁ ମୋଟ୍ ୫ଲକ୍ଷ ୮୭ହଜାର ଟଙ୍କା ଜବତ ହୋଇଥିଲା । ୨୦୨୧ ନଭେମ୍ବର ୩୦ ତାରିଖରେ ସେ ଗିରଫ ହୋଇଥିଲେ । ଦୁର୍ନୀତି, ଅପାରଗତା ଓ ଦୁର୍ବ୍ୟବହାର ଯୋଗୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।

ଭଦ୍ରକ ଜିଲ୍ଲା ବାସୁଦେବପୁର ମ୍ୟୁନିସପାଲଟିର ପୂର୍ବତନ ଏକଜିକ୍ୟୁଟିଭ ଅଫିସର ତାପସ ରଞ୍ଜନ ଜେନାଙ୍କୁ ତାଙ୍କର ପୌରସେବା କାର୍ୟ୍ୟକାଳ ସମୟରେ ଅପାରଗତା, ଅସାଧୁତା, ଦାୟିତ୍ବରେ ଅବହେଳା, ଆର୍ଥିକ ଅନିୟମିତତା ଆଦି ବିଭିନ୍ନ କାରଣରୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।

ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଏନଏସିର ପୂର୍ବତନ ଏକଜିକ୍ୟୁଟିଭ ଅଫିସର ବିଜୟକୃଷ୍ଣ ନାୟକଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ସରକାର । ପୌରସେବା କାର୍ୟ୍ୟକାଳ ସମୟରେ ଅପାରଗତା, ଦାୟିତ୍ୱରେ ଅବହେଳା, ମହିଳାଙ୍କ ସହିତ ଅବୈଧ ସଂପର୍କ, ଜନସାଧାରଣଙ୍କୁ ପୌରସେବା ଯୋଗାଇଦେବା କ୍ଷେତ୍ରରେ ଅନାଗ୍ରହ, ସରକାରୀ ନିର୍ଦ୍ଦେଶାବଳୀର ଅବମାନନା ଓ ଓଡିଶା ସରାକାରୀ ସେବା ଆଚରଣ ବିଧି ୧୯୫୫ର ଉଲ୍ଲଂଘନ ଭଳି ଅଭିଯୋଗରେ କାର୍ୟ୍ୟାନୁଷ୍ଠାନ ହୋଇଛି ।
ବର୍ତ୍ତମାନ ସୁଦ୍ଧା ୧୫୧ ଜଣ ଅଧିକାରୀଙ୍କୁ ଚାକିରୀରୁ ବହିଷ୍କାର ବା ବାଧ୍ୟତାମୂଳକ ଅବସର ଦିଆଯାଇଛି । ଅପାରଗ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ସବୁବେଳେ ଜିରୋ ଟଲେରାନ୍ସ ଆଭିମୁଖ୍ୟ ଉପରେ ଜୋର ଦେଇଆସିଛନ୍ତି ମୁଖ୍ୟମନ୍ତ୍ରୀ । ଜନସାଧାରଣଙ୍କୁ ସ୍ୱଚ୍ଛ, ଦକ୍ଷ ଓ ଉତ୍ତରଦାୟୀ ପ୍ରଶାସନ ମାଧ୍ୟମରେ ସେବା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିରନ୍ତର ପ୍ରଚେଷ୍ଟା ଜାରି ରଖିଛନ୍ତି ।

Comments are closed, but trackbacks and pingbacks are open.