Latest Odisha News

BREAKING NEWS

ପୁସ୍ତକ ପରିଚୟ : ଶ୍ରୀମନ୍ଦିରରେ ଶିଳ୍ପ ସେବା

ଶ୍ରୀମନ୍ଦିରରେ ଶିଳ୍ପ ସେବା
ଲେଖକ : ଦେବୀ ପ୍ରସନ୍ନ ନନ୍ଦ
ପ୍ରକାଶକ : ପୁରୀ କ୍ରିଏଟିଭ ହ୍ୟାଣ୍ଡିକ୍ରାଫ୍ଟ
କୋଅଫରେଟିଭ ସୋସାଇଟି ଲିମିଟେଡ
କୁଣ୍ଢେଇବେଣ୍ଟ ସାହି, ପୁରୀ
ପୃଷ୍ଠା : ୧୨୪
ମୂଲ୍ୟ : ୧୨୦

ଓଡ଼ିଶା ତଥା ଓଡ଼ିଆ ପ୍ରାଣର ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଲୀଳା କାହାକୁ ବା ଅଗୋଚର। ତାଙ୍କ ସୃଷ୍ଟିର ପ୍ରତିଟି ଅଣୁକଣାରେ ସେ ବିରାଜିତ। ସମଗ୍ର ବ୍ରହ୍ମାଣ୍ଡର ସେ ଆଦି ଅନ୍ତ ମୂଳ । ସେ ଯେମିତି ବଡ଼ଠାକୁର ତାଙ୍କ ରୀତି, ନୀତି, ସେବା ସବୁକିଛି ବଡ଼। ତାଙ୍କ ଦେଉଳ ବି ବଡ଼ଦେଉଳ ଏବଂ ଦାଣ୍ଡ ବି ବଡ଼ଦାଣ୍ଡ। ମହାପ୍ରଭୁଙ୍କର ନିତ୍ୟ ନିବାସ ସ୍ଥଳ ଶ୍ରୀମନ୍ଦିରରେ ଭିନ୍ନଭିନ୍ନ ସେବକମାନଙ୍କ ଦ୍ୱାରା ଭିନ୍ନଭିନ୍ନ ସେବା ଅନୁଷ୍ଠିତ ହୋଇଥାଏ।  ଜଗନ୍ନାଥ ସଂସ୍କୃତିର ଗବେଷକ ଦେବୀ ପ୍ରସନ୍ନ ନନ୍ଦଙ୍କର ରଚିତ ପୁସ୍ତକ ‘ଶ୍ରୀମନ୍ଦିରରେ ଶିଳ୍ପ ସେବ ଓଡ଼ିଆ ଭାଷା ସାହିତ୍ୟ ଏବଂ ଇତିହାସ ପାଇଁ ଏକ ଉପାଦେୟ ପୁସ୍ତକ।

ଶ୍ରୀମନ୍ଦିରର  ଦୈନନ୍ଦିନ ରୀତିନୀତି ଏବଂ ବର୍ଷସାରା ପାଳିତ ଅନେକ ଉତ୍ସବରେ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ଶିଳ୍ପ ସେବକମାନେ ଯୋଡ଼ି ହୋଇ ରହିଥାନ୍ତି। ଅନେକ ପୀଢ଼ି  ଧରି ଚାଲି ଆସୁଥିବା ପାରମ୍ପରିକ ବିଦ୍ୟା , ଜ୍ଞାନ କୌଶଳ , କର୍ତ୍ତବ୍ୟନିଷ୍ଠା ଏବଂ ସର୍ବୋତ୍ତରେ ମହାପ୍ରଭୁଙ୍କ ପ୍ରତି ସେମାନଙ୍କର ଭକ୍ତିଭାବ ହିଁ ତାଙ୍କ କାର୍ଯ୍ୟକୁ ରୂପ ଦେଇଥାଏ। ସେହି ସବୁ ଶିଳ୍ପକଳାର ଆଲେଖ୍ୟକୁ ଖୁବ୍ ସହଜ, ସୁନ୍ଦର  ଓ ସରଳ ଭାବରେ ଲେଖକ ଉପସ୍ଥାପନ କରିଛନ୍ତି ।

ସମୁଦାୟ ଦୁଇ ଭାଗରେ ବିଭକ୍ତ ଶ୍ରୀମନ୍ଦିରର ସେବକମାନେ ନିୟମିତ ସେବକ ଏବଂ ସାମୟିକ ସେବକ ଭାବରେ ପରିଗଣିତ ହୁଅନ୍ତି। ଶିଳ୍ପସେବା ବଢ଼େଇ , ରୂପକାର, କମାର, ଚିତ୍ରକାର, ଦରଜୀ, କୁମ୍ଭାର , ବଣିଆ ପାଟରା ପ୍ରଭୃତି  ସାମୟିକ ସେବକମାନେ ମହାପ୍ରଭୁଙ୍କର ସେବା କାର୍ଯ୍ୟ କରିଥାନ୍ତି। ଏହି ଆଲେଖ୍ୟରେ ଲେଖକ ଶିଳ୍ପସେବାର ସମସ୍ତ ସେବାୟତଙ୍କୁ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାର ପ୍ରମୁଖ ବିନ୍ଧାଣୀ ଭାବରେ ଅଭିହିତ କରିବା ସହ ସେମାନଙ୍କ ଶ୍ରମ ବିନିମୟରେ ପ୍ରସ୍ତୁତ ହେଉଥିବା ତିନିଗୋଟି ରଥକୁ ହସ୍ତଶିଳ୍ପର ସର୍ବଶ୍ରେଷ୍ଠ ନିଦର୍ଶନ ବୋଲି ଉଲ୍ଲେଖ କରିଛନ୍ତି।

ବିଶ୍ଵକର୍ମା ବା ବଢ଼େଇ ସେବା ଆଲେଖ୍ୟରେ ଶିଳ୍ପୀମାନଙ୍କର ଅନୁଭୂତି ଓ ପାରମ୍ପରିକ ଜ୍ଞାନ କୌଶଳ ଆଧାରରେ ହାଟକାଠି, ଆଙ୍ଗୁଳି ଓ ସୂତା ମାପରେ ତିଆରି ତିନିଗୋଟି ରଥ ନିର୍ମାଣ ବିଷୟରେ ବିଶଦ ଭାବରେ ଲେଖକ ଜଣାଇଛନ୍ତି। ଏହା ସହ ମୁଖ୍ୟ ମହାରଣାଙ୍କର ନିର୍ଦ୍ଦେଶକ ପରି କେତେ କର୍ତ୍ତବ୍ୟନିଷ୍ଠା ମଧ୍ୟରେ ରଥର ସମସ୍ତ ଦାୟିତ୍ୱ ନିର୍ବାହ କରିଥାନ୍ତି। ରଥ ନିର୍ମାଣର ପରମ୍ପରା, ରଥ ଚକ ନିର୍ମାଣର ରହସ୍ୟ , ରଥ ନିର୍ମାଣର ରହସ୍ୟ , ରଥ ଗଢ଼ାର ଉପକରଣ, ବାଡ଼ ମୁଖ୍ୟ, ରଥ ନିର୍ମାଣ କାର୍ଯ୍ୟ , ରଥ ଗୁମର ଏବଂ ରଥର ସ୍ଥାପତ୍ୟ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ସମସ୍ତତଥ୍ୟ ସହ ପାଠକର କୌତୁହଳର ସମାଧାନ ପାଇଁ ତତ୍ ସମ୍ବନ୍ଧିତ ଚିତ୍ର ପ୍ରଦାନ କରି ସମ୍ପୂର୍ଣ୍ଣ ଆଲେଖ୍ୟକୁ ସହଜ ଭାବରେ ଉପସ୍ଥାପନ କରିଛନ୍ତି ।

ଓଝା କମାର ସେବା ଲୌହ ଶିଳ୍ପକାରମାନଙ୍କ ଦ୍ୱାରା ସମ୍ପାଦିତ ହୋଇଥାଏ। କିପରି ଭାବରେ ମହାରଣା ସେବକଙ୍କ କାର୍ଯ୍ୟ ସହ ତାଳମେଳ ରଖି ସମସ୍ତ ଲୌହ ଉପକରଣ ଯୋଗାଇ ଦେଇଥାନ୍ତି ସେହି ବିଷୟରେ ଲେଖକ ଏହି ଆଲେଖ୍ୟରେ ଜଣାଇଛନ୍ତି।

ରୂପକାର ସେବକ ବର୍ଗର ଶିଳ୍ପୀମାନେ କାଠ ଖୋଦେଇ କାମ କରିବା ସହ ତିନିଗୋଟି ରଥର ପାର୍ଶ୍ଵ ଦେବତା , ଘୋଡ଼ା , ସାରଥୀ , ସଖୀ, ଶୁଆ ଏବଂ ଧ୍ଵଜ ନିର୍ମାଣ କରିବା ସହ ଶ୍ରୀମନ୍ଦିରରେ ବ୍ୟବହୃତ ବିମାନ , ପାଲିଙ୍କି ଆଦି ନିର୍ମାଣ ଏବଂ ମରାମତି କାମ କରିଥାନ୍ତି। ଠିକ ସେହିପରି ଚିତ୍ରକାର ସେବାରେ ନିୟୋଜିତ ସେବକ ବଂଶାନୁକ୍ରମିକ ଭାବରେ ଏହି ସେବା କାର୍ଯ୍ୟ ସମ୍ପାଦନ କରିଥାନ୍ତି ବୋଲି ଲେଖକ କହିଛନ୍ତି। ଏହି ସେବାରେ ସ୍ନାନବେଦୀ, ଅଣସର ପଟି , ପଟିଦିଅଁ ଚିତ୍ର , ରଥଉପରେ ବିଭିନ୍ନ ଚିତ୍ର , ଝୁଲଣଯାତ୍ରା ସହ ଶ୍ରୀମନ୍ଦିରର  ଅନ୍ୟ ସମସ୍ତ ନୀତିକାନ୍ତିରେ ଚିତ୍ର ଅଙ୍କନ କରିଥାନ୍ତି।  ଅନ୍ୟ ଏକ ସେବା ଭାବରେ , ଦରଜୀ ସେବାର କାରୁକାର୍ଯ୍ୟ ସବୁ ସିପୁଟି ମହାରଣାମାନେ ସମ୍ପାଦନ କରିଥାନ୍ତି। ଶ୍ରୀମନ୍ଦିରର ନିତିଦିନିଆ ପୂଜା ସାମଗ୍ରୀ ସହ ସମସ୍ତ ପ୍ରକାରର ସିଲେଇ  କାମ ଏହି ସେବକମାନେ କରିଥାନ୍ତି। ଏହି ଆଲେଖ୍ୟରେ ଲେଖକ ବିସ୍ତୃତ ଭାବରେ  ସେସବୁ ବିଷୟରେ ଉପସ୍ଥାପନ କରିବା ସହ ଶ୍ରୀମନ୍ଦିର ରୀତିନୀତି ସହ ସେସବୁର ତାତ୍ପର୍ଯ୍ୟ ବିଷୟରେ ଜଣାଇଛନ୍ତି।

ମୃଣ୍ମୟ ବା କୁମ୍ଭକାର ସେବା ଶ୍ରୀମନ୍ଦିରର ସର୍ବ ପୂରାତନ ତଥା ପାରମ୍ପରିକ ସେବା। ଶ୍ରୀମନ୍ଦିରର ପୂଜାଭୋଗ ହିସାବରେ ଶଙ୍ଖୁଡ଼ି ଭୋଗ ବ୍ୟବସ୍ଥା ପ୍ରଚଳନ ପରେ କୁଡୁଆ, ତାଡ଼ , ଓଳି , ସରା ପ୍ରଭୃତି ଜିନିଷର ଆବଶ୍ୟକତା ପୂରଣ କରିବା ହେଉଛି ଏହି ସେବକମାନଙ୍କର ସେବା କାର୍ଯ୍ୟ। ଏସବୁର ପ୍ରସ୍ତୁତି ପାଇଁ ଆବଶ୍ୟକ ହେଉଥିବା ଜ୍ଞାନ କୌଶଳ ଏବଂ ପାରମ୍ପରିକ ପଦ୍ଧତି ବିଷୟରେ ଲେଖକ ଏହି ଆଲେଖ୍ୟରେ ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରିଛନ୍ତି ।

ଶ୍ରୀମନ୍ଦିରର ଅନେକ ସେବା ଭିତରେ ବୁଣାକାର ସେବା ଅଧ୍ୟ ଶିଳ୍ପକଳାର ଅନ୍ତର୍ଭୁକ୍ତ। ଶ୍ରୀବିଗ୍ରହମାନଙ୍କୁ କେବଳ ହସ୍ତତନ୍ତ ପ୍ରସ୍ତୁତ ପରିଧାନ ଲାଗି କରାଯାଇଥାଏ। ସେହିପରି ପାଟରା ସେବା ଶ୍ରୀମନ୍ଦିରର ନୀତିକାନ୍ତିର ଆଉ ଏକ ସେବା ଭାବରେ ପରିଗଣିତ। ଲେଖକ ପାଟରା ସେବକମାନଙ୍କର ସମସ୍ତ ସେବା ବିଷୟରେ ଏହି ଆଲେଖ୍ୟରେ ବର୍ଣ୍ଣନା କରିଛନ୍ତି।

ଏହା ସହ କରତି ସେବା, ସୁନାରି ସେବା ପ୍ରଭୃତି ଆଲେଖ୍ୟରେ ଲେଖକ ବିସ୍ତୃତ ଭାବରେ ଉଭୟ ସେବା ବିଷୟରେ ବର୍ଣ୍ଣନା କରିବା ସହ ସବିଶେଷ ତଥ୍ୟ ପ୍ରଦାନ କରିଛନ୍ତି।

ଶିଳ୍ପକାରମାନଙ୍କ ସେବାସହ ଶ୍ରୀମନ୍ଦିରର ସମସ୍ତ ନୀତିକାନ୍ତି ଜଡ଼ିତ ଥିବାବେଳେ ସେମାନଙ୍କୁ ଉପଯୁକ୍ତ ପ୍ରାପ୍ୟ ଏବଂ ସମ୍ମାନ ମିଳୁଥିବାରୁ ଲେଖକ କ୍ଷୋଭ ପ୍ରକାଶ କରିଛନ୍ତି। ବାସ୍ତବରେ ଏହା ଚିନ୍ତାର ବିଷୟ।

କେବଳ ଏତିକି ନୁହେଁ, ଲେଖକ ଏହି ପୁସ୍ତକରେ ସମସ୍ତ ଆଲେଖ୍ୟ ସମ୍ବନ୍ଧିତ ଚିତ୍ର ଏବଂ ରଥ ନିର୍ମାଣର ବିବରଣୀକୁ ସ୍ଥାନିତ କରି ପାଠକର ଜିଜ୍ଞାସୁ ମନୋବୃତ୍ତିକୁ ଯଥା ସମ୍ଭବ ସନ୍ତୁଷ୍ଟ କରିବାକୁ ପ୍ରୟାସ କରିଛନ୍ତି। ଜଗନ୍ନାଥ ସଂସ୍କୃତିର ବାର୍ତ୍ତା ସହ ଏହି ପୁସ୍ତକଟି ବିପୁଳ ପାଠକୀୟ ଆଦୃତି ଲାଭ କରିବ ଏଥିରେ କୌଣସି ସନ୍ଦେହ ନାହିଁ ।

Comments are closed, but trackbacks and pingbacks are open.