Latest Odisha News

ମିଶନ ୨୦୨୪: ଓଡ଼ିଶା ଗସ୍ତରେ ୫ କେନ୍ଦ୍ରମନ୍ତ୍ରୀ, ବିଜେଡି କହିଲା ଫରକ ପଡ଼ିବନି

ଭୁବନେଶ୍ୱର: ମିଶନ ୨୦୨୪ ପାଇଁ ଏବେ ସମସ୍ତ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଏହି କ୍ରମରେ ବିଜେଡି ନିକଟରେ ସାଂଗଠନିକ ବୈଠକ କରି ରୋଡ୍ ମ୍ୟାପ ପ୍ରସ୍ତୁତ କରିଥିଲା। ସେହିପରି ବିଜେପି ମଧ୍ୟ କ୍ଷେତ୍ରୀୟ ପ୍ରଭାରୀଙ୍କ ନେତୃତ୍ୱରେ ଏକ ବୈଠକ କରିଥିଲା। ଏବେ ରାହୁଲ ଗାନ୍ଧୀ ଓଡ଼ିଶା ଆସିବେ ବୋଲି ସୂଚନା ମିଳିଛି। ଏହାରି ଭିତରେ ଆଜି ଗୋଟିଏ ଦିନରେ ଓଡ଼ିଶା ଗସ୍ତରେ ରହିଛନ୍ତି ୫ କେନ୍ଦ୍ରମନ୍ତ୍ରୀ। ଓଡିଶାରେ ଗୁଳିଗୁଳି ଅନୂଭୂତ ପାଇଁ ଦେହରୁ ଝାଳ ବୋହୁଥିବା ବେଳେ କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ ନେତାଙ୍କ ଶରୀରରେ ଝାଳ ବୋହିବା ପ୍ରକ୍ରିୟାକୁ ଆହୁରି ବଢ଼ାଇ ଦେଇଛି।

ବିଜେଡି ବିଧାୟକ ପ୍ରଶାନ୍ତ ମୁଦୁଲି କହିଛନ୍ତି, ଓଡ଼ିଶାରେ ବିଜେଡି ଲୋକପ୍ରିୟ ଦଳ ହୋଇ ରହିଛି। ଯିଏ ଆସନ୍ତୁ କୌଣସି ଫରକ ପଡ଼ିବ ନାହିଁ। ସେମାନେ ତାଙ୍କ କାମ କରୁଛନ୍ତି, ଆମେ ଆମ କରୁଛୁ । ଓଡ଼ିଶାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକପ୍ରିୟ ରହିଛନ୍ତି। ରାଜ୍ୟ ସରକାରଙ୍କ ଯୋଜନା ଘରେ ଘରେ ପହଞ୍ଚିଛି। ଲୋକଙ୍କ ସହ ବିଜେଡି ରହିଛି। ଆଉ ଲୋକେ ବିଜେଡି ସହିତ ରହିଛନ୍ତି।

ଗତ ମଙ୍ଗଳବାର ବିଜେଡି ମୁଖ୍ୟମନ୍ତ୍ରୀଙ୍କୁ ‘ଜୀବନବ୍ୟାପୀ ସାଧନ’ ପୁରସ୍କାର ପାଇଁ ସମ୍ବର୍ଦ୍ଦିତ କରିଥିଲା। ରାଜଧାନୀରେ ୫୦ ହଜାରରୁ ଅଧିକ କର୍ମୀଙ୍କୁ ନେଇ ଏକପ୍ରକାର ଶକ୍ତି ପ୍ରଦର୍ଶନ କରିଥିଲା। ଆଉ ଏହାପର ଦିନ ଅର୍ଥାତ୍ ବୁଧବାର ଦଳର ସାଙ୍ଗଠିନକ ବୈଠକ ହୋଇଥିଲା। ଯେଉଁଥିରେ ନବୀନ ସରକାରର ସଫଳତାକୁ ଲୋକଙ୍କ ଠାରେ ପହଞ୍ଚାଇବାକୁ ରଣନୀତି ପ୍ରସ୍ତୁତ ହୋଇଥିବା ସୂଚନା ରହିଛି। ବିରୋଧୀଙ୍କ ଅଭିଯୋଗକୁ କାଉଣ୍ଟର କରିବା ବଦଳରେ ଲୋକଙ୍କ ପାଖରେ ସଫଳତାର ବାର୍ତ୍ତା ପହଞ୍ଚାଇବାକୁ ବିଜେଡି ନିଷ୍ପତ୍ତି ନେଇଥିବା ସୂଚନା ରହିଛି। ସେହିପରି ନବୀନଙ୍କୁ ଏକ ବ୍ରାଣ୍ଡ ଭାବେ ପରିଚିତ କରିବାକୁ ଦଳ ପ୍ରୟାସ କରୁଥିବା ସୂଚନା ରହିଛି।

ସାଙ୍ଗଠନିକ ବୈଠକରେ ବିଭିନ୍ନ ନେତାଙ୍କୁ ନୂଆ ଟାର୍ଗେଟ ଦିଆଯାଇଥିବା ସୂଚନା ରହିଛି। ୨୪ ପାଇଁ ଦେଢ଼ କୋଟି ଭୋଟର
ଜନ ସମ୍ପର୍କ ପଦଯାତ୍ରାରେ ଏକ ଅଭିଯାନ ଆରମ୍ଭ କରିବାକୁ ବିଜେଡି ଲକ୍ଷ୍ୟ ରଖିଥିବା ସୂଚନା ରହିଛି।

ଅନ୍ୟପଟେ ଓଡ଼ିଶାକୁ ଆସୁଛନ୍ତି ବିଜେପି ସଭାପତି ଜେପି ନଡ୍ଡା। ମାସ ଶେଷରେ ସେ ଆସିବେ ଆଉ ମିଶନ ୨୦୨୪ ପାଇଁ ଦଳ କିଭଳି ବିଧାନସଭା ଓ ଲୋକସଭା ଆସନ ପାଇଁ ରଣନୀତି ପ୍ରସ୍ତୁତ କରିବ ସେ ନେଇ ଖସଡା ପ୍ରସ୍ତୁତ କରିବ ବୋଲି ଜଣାପଡିଛି। ଏହାପୂର୍ବରୁ ୩୦ ହଜାର ବୁଥକୁ ମଜବୁତ କରିବାକୁ କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ ନିର୍ଦ୍ଦେଶ ଦେଇଥିବା ସୂଚନା ରହିଛି। ଆଜି ଓଡିଶା ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ବିଭିନ୍ନ ନିର୍ବାଚନ ମଣ୍ଡଳୀ ଯାଇ ଦଳର ସାଙ୍ଗଠିନକ ସ୍ଥିତି ପରଖିବେ ବୋଲି ଜଣାପଡିଛି। ଅର୍ଜ୍ଜୁନ ମୁଣ୍ଡା ଓ ନିତ୍ୟାନନ୍ଦ ରାୟ ଯାଜପୁର ଓ କଟକ ସଂସଦୀୟ କ୍ଷେତ୍ର ପାଇଁ ଆସିଛନ୍ତି। କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଆଉ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଆସିଛନ୍ତି।

ସେହିପରି କଂଗ୍ରେସ ଏବେ ଭାରତ ଯୋଡ଼ୋ ଯାତ୍ରା ଆରମ୍ଭ କରିଛି। ଯଦିଓ ଏହି ଯାତ୍ରା ଓଡ଼ିଶା ଦେଇ ଯିବନି କିନ୍ତୁ ଦିଲ୍ଲୀରେ କଂଗ୍ରେସ ଏବଂ ଏହାର ନେତା ସକ୍ରିୟ ହେବା ପରେ ଓଡ଼ିଶା କଂଗ୍ରେସ ମଧ୍ୟ ସକ୍ରିୟ ହୋଇଥିବା କୁହାଯାଉଛି। ଡିସେମ୍ବର ମାସରେ ରାହୁଲ ଗାନ୍ଧୀ ଓଡ଼ିଶା ଗସ୍ତରେ ଆସିବେ ବୋଲି ସୂଚନା ରହିଛି।

Leave A Reply

Your email address will not be published.