ଭୁବନେଶ୍ବର: ଉତ୍କର୍ଷ ଓଡିଶା କନକ୍ଲେଭକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭାରତ ନିର୍ମାଣରେ ଓଡିଶାର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ଓଡିଶାକୁ ସମୃଦ୍ଧ କରିବାକୁ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ । ଓଡିଶା ପ୍ରତି ତାଙ୍କର ଭଲପାଇବା ରହିଥିବାରୁ ସେ ପ୍ରଧାନମନ୍ତ୍ରୀ ଭାବେ ରାଜ୍ୟକୁ ୩୦ଥର ଆସିଥିବା ଏହି ଅବସରରେ କହିଛନ୍ତି ମୋଦି । ସ୍ବାଧୀନତା ପରଠୁ ସମସ୍ତ ପ୍ରଧାନମନ୍ତ୍ରୀ ମିଶି ଯେତେଥର ଓଡିଶା ଆସିଛନ୍ତି, ତାଠାରୁ ଅଧିକ ଥର ଓଡିଶା ଆସିଥିବା ମୋଦି କହିଛନ୍ତି । ଓଡିଶାର ସାମର୍ଥ୍ୟ ଓ ଲୋକଙ୍କ ଉପରେ ଭରସା ରହିଥିବା ମୋଦି କହିଛନ୍ତି । ତେବେ ପ୍ରଶ୍ନ ଉଠୁଛି, କାହିଁକି ଏତେ ଥର ଓଡିଶା ଗସ୍ତ କରିଛନ୍ତି ମୋଦି? ବାରମ୍ବାର ଓଡିଶା ଗସ୍ତ ପଛରେ କଣ ରହିଛି ପ୍ରକୃତ କାରଣ?
କାହିଁକି ଓଡିଶା ପସନ୍ଦ?
ପ୍ରକୃତିକ ସଂପଦର ଭଣ୍ଡାର ଓଡିଶା । ଖଣିଜ ସମ୍ପଦ ହେଉ କି ଜଳ, ଜମି ଓ ଜଙ୍ଗଲଜାତ ସଂପଦ, ଓଡିଶାରେ ଭରି ରହିଛି ବିକାଶର ଅନେକ ସମ୍ଭାବନା। ରାଜ୍ୟରେ ଭିତ୍ତିଭୂମି ସାଙ୍ଗକୁ ସୁଦୀର୍ଘ ଉପକୂଳ ବି ରହିଛି । ଭାରତ ଅର୍ଥନୀତିକୁ ୫ଟ୍ରିଲିୟନ ଡଲାରରେ ପହଞ୍ଚାଇବାର ସ୍ବପ୍ନ ଦେଖାଉଥିବା ବିଜେପି ସରକାର ପାଇଁ ଓଡିଶା ବିକାଶର ମୁଖଶାଳା ହୋଇପାରେ । ୨୦୪୭ସୁଦ୍ଧା ବିକଶିତ ଭାରତ ସହ ବିଶ୍ବରେ ତୃତୀୟ ସର୍ବବୃହତ ଅର୍ଥନୀତି ହେବାକୁ ଲକ୍ଷ୍ୟ ରହିଥିବା ବେଳେ ଓଡିଶାକୁ ଫୋକସ୍ କରିଛନ୍ତି ସରକାର । କାରଣ ଓଡିଶାର ପ୍ରାକୃତିକ ସଂପଦରେ ବିଜେପିକୁ ବିପୁଳ ସମ୍ଭାବନା ଦେଖାଦେଉଛି ।
ଓଡିଶା ଦେଇଛି ୨୦ ସାଂସଦ
ରାଜନୈତିକ ଦୃଷ୍ଟିକୋଣରୁ ପୂର୍ବ ଓ ଉତ୍ତର-ପୂର୍ବ ଭାରତରେ ବିଜେପି ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ ଓଡିଶା । କାରଣ ବିଜେପିକୁ କ୍ଷମତାରେ ବସାଇବା ପାଇଁ ଏଥର ବଡ ଭୂମିକା ନେଇଛି ଓଡିଶା । ୨୦୨୪ଲୋକସଭା ନିର୍ବାଚନରେ ଲୋକସଭାକୁ ୨୦ ବିଜେପି ସାଂସଦ ପଠାଇଛି ରାଜ୍ୟ । ଯାହା କେନ୍ଦ୍ରରେ ବିଜେପି ସରକାର ଗଠନ କ୍ଷେତ୍ରରେ ସହାୟକ ହୋଇଛି । ସେହିପରି ଉଭୟ କେନ୍ଦ୍ର ଓ ରାଜ୍ୟରେ ବିଜେପିର ଡବଲ୍ ଇଞ୍ଜିନ ସରକାର ରହିଥିବାରୁ ସ୍ବାଭାବିକ ଭାବେ ଓଡିଶାକୁ ଫୋକସ୍ କରୁଛି ବିଜେପି । ପଡୋଶୀ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡରେ ଅଣବିଜେପି ସରକାର ରହିଥିବାରୁ ଓଡିଶାକୁ ଗୁରୁତ୍ବ ଦେଉଛି ଦଳ ।
ପୂର୍ବୋଦୟର ମୁଖଶାଳା
ବିଜେପିର ମିଶନ ପୂର୍ବୋଦୟର ଗେଟ୍ ଓ୍ବେ ପାଲଟିଛି ଓଡିଶା । ରାଜ୍ୟକୁ ବିକାଶର ପ୍ରୟୋଗଶାଳା କରିବାକୁ ଉଦ୍ୟମ କରୁଛନ୍ତି ମୋଦି ଆଣ୍ଡ କୋ। ଆଉ ସେଥିପାଇଁ ଓଡିଶାରେ ବଡ଼ ବଡ଼ ଶିଳ୍ପୋଦ୍ୟୋଗ ପାଇଁ ନିବେଶ ଓ ବ୍ୟବସାୟିକ ସୁଯୋଗ ସୃଷ୍ଟି କରିବାକୁ ଚାହୁଁଛି । ଯାହା ପରବର୍ତ୍ତୀ ସମୟରେ ଦଳ ପାଇଁ ସହାୟକ ହୋଇପାରେ । ଶିଳ୍ପ କ୍ଷେତ୍ରରେ ଓଡିଶାରେ ପୁଞ୍ଜିନିବେଶ ସାଙ୍ଗକୁ ଅଧିକ ପରିମାଣରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ଉଦ୍ୟମ କରୁଛି ବିଜେପି ।
ବିଜେପି ପ୍ରଥମ ଥର ପାଇଁ ରାଜ୍ୟରେ ଏକାକୀ ସରକାର ଗଠନ କରିଥିବା ବେଳେ ମୋହନ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ କରି ଚମକାଇଥିଲା ବିଜେପି । ଖଣିଜ ସଂପଦରେ ଭରପୂର କେନ୍ଦୁଝର ଜିଲ୍ଲାର ସାନ୍ତାଳ ଆଦିବାସୀ ସଂପ୍ରଦାୟର ମୋହନ ମାଝୀଙ୍କୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଦାୟିତ୍ବ ଦେଇ ଆଦିବାସୀ କାର୍ଡ ଖେଳିଥିଲେ ବିଜେପି ହାଇକମାଣ୍ଡ । ତେବେ ବିଜେପି ସରକାରର କାମକୁ ୨୪ବର୍ଷ ଧରି ରାଜ୍ୟରେ କ୍ଷମତାରେ ରହିଥିବା ବିଜେଡି ସରକାର ସହ ତୁଳନା କରୁଛନ୍ତି ଜନତା । ଏପରିକି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ମୋହନ ମାଝୀଙ୍କ ତୁଳନା ବି ହେଉଛି । ତେବେ ୨୦୨୭ରେ ପଞ୍ଚାୟତ ଓ ପୌର ନିର୍ବାଚନ ହେବାକୁ ଯାଉଥିବା ବେଳେ କୌଣସି ମତେ ଜନତାଙ୍କ ଆଖିରେ ଖସିବାକୁ ଚାହୁଁନି ବିଜେପି । କାରଣ ବିଜେପି ଖସିଲେ ବିଜେଡି ଆଗକୁ ବଢିବାକୁ ବାଟ ଫିଟିବ । ସେଥିପାଇଁ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୋହନ ମାଝୀଙ୍କ ପାଇଁ ବ୍ୟାଟିଂ କରୁଛନ୍ତି । ଆଉ ବାରମ୍ବାର ଓଡିଶା ଗସ୍ତ କରି ଏଇ ବିଶ୍ବାସ ଦେଉଛନ୍ତି ଯେ, ବିଜେପି ଓଡିଶା ସହ ରହିଛି । ଉଭୟ ବିଜେପି ଓ ସରକାର ପାଇଁ ବଡ଼ ପୁସ୍ ଦେବାକୁ ଉଦ୍ୟମ କରୁଛନ୍ତି ।
Comments are closed.