ନୂଆଦିଲ୍ଲୀ: ମହିଳା ସୁରକ୍ଷାକୁ ଗୁରୁତ୍ବ । ଦିଲ୍ଲୀ ଜଗିବେ ଆଣ୍ଟି ରୋମିଓ ସ୍କାଡ ! ଦିଲ୍ଲୀରେ ବିଜେପିର ୟୁପି ଫର୍ମୁଲା । ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇଥିବା ବେଳେ ବିଜେପି ଇସ୍ତାହାର ପତ୍ରର ତୃତୀୟ ଭାଗରେ ଅନେକ ପ୍ରତିଶ୍ରୁତି ଦେଇଛି। ମହିଳା ସୁରକ୍ଷାକୁ ଅଗ୍ରାଧିକାର ଦେବା ସହ କ୍ଷମତାକୁ ଆସିଲେ ଦିଲ୍ଲୀରେ ୟୁପି ଷ୍ଟାଇଲରେ ଆଣ୍ଟି ରୋମିଓ ସ୍କ୍ବାଡ ନିୟୋଜିତ କରିବା ନେଇ ପ୍ରତିଶ୍ରୁତି ଦେଇଛି । କେନ୍ଦ୍ର ସରକାରଙ୍କ ସହ ମିଳିତ ଭାବେ ସର୍ବସାଧାରଣ ସ୍ଥାନରେ ସ୍କ୍ବାଡ ନିୟୋଜିତ କରିବାକୁ ଦଳ ବିକଶିତ ଦିଲ୍ଲୀ ସଂକଳ୍ପ ପତ୍ରରେ ଉଲ୍ଲେଖ କରିଛି। ଉତ୍ତରପ୍ରଦେଶରେ ପ୍ରଥମେ ଆଣ୍ଟି ରୋମିଓ ସ୍କାଡ ଗଠନ କରିଥିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।
ଆଣ୍ଟି ରୋମିଓ ସ୍କାଡ କ’ଣ ?
୨୦୧୭ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ମହିଳା ସୁରକ୍ଷାକୁ ଗୁରୁତ୍ବ ଦେଇ ଆଣ୍ଟି ରୋମିଓ ସ୍କାଡ ସ୍ଥାପନ କରିବାକୁ ପ୍ରତିଶ୍ରୁତି ଦେଇଥିଲା ବିଜେପି । ନିର୍ବାଚନ ଜିତିବା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହାକୁ ଲାଗୁ କରିଥିଲେ । ବିରୋଧୀ ଏହାକୁ ନେଇ ସମାଲୋଚନା କରିଥିଲେ ମଧ୍ୟ ସାର୍ବଜନୀନ ସ୍ଥାନରେ ଆଣ୍ଟି ରୋମିଓ ସ୍କାଡ ନିୟୋଜିତ କରାଯାଇଥିଲା । ଏଥିରେ ଜଣେ ପୋଲିସ ସବଇନସପେକ୍ଟର ଓ ଦୁଇ ଜଣ କନଷ୍ଟେବଳ ରହିଥାନ୍ତି । ଟିମରେ ଜଣେ ମହିଳା ପୋଲିସ ମଧ୍ୟ ରହିଥାନ୍ତି । ବିଶ୍ବବିଦ୍ୟାଳୟ, କଲେଜ, ସିନେମା ହଲ୍, ପାର୍କ ଭଳି ମହିଳାଙ୍କ ପାଇଁ ସମ୍ବେଦନଶୀଳ ଜାଗାରେ ଟିମ୍ ପାଟ୍ରୋଲିଂ କରେ। ଯୋଗୀ ସରକାରଙ୍କ ଦ୍ବିତୀୟ ଟର୍ମରେ ସ୍କ୍ବାଡ ଅଧିକ ସକ୍ରିୟ ରହିଥିଲା । ଅଳ୍ପ କିଛି ସମୟ ପାଇଁ ଏହାକୁ ବନ୍ଦ କରାଯାଇଥିଲେ ବି ପୁଣି ୨୦୨୪ ଅଗଷ୍ଟ ମାସରୁ ଏହାକୁ ସକ୍ରିୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଯୋଗୀ ଆଦିତ୍ୟନାଥ ।
ଫୋକସରେ ଲାଡଲି ଲେଡିଜ୍
ଦିଲ୍ଲୀରେ ମହିଳା ଭୋଟରଙ୍କୁ ସବୁ ଦଳ ଫୋକସ୍ କରୁଥିବା ବେଳେ ମହିଳା ସୁରକ୍ଷା ଦିଗ ପ୍ରତି ଗୁରୁତ୍ବ ଦେଇଛି ବିଜେପି । ମହିଳାଙ୍କୁ ସାର୍ବଜନୀନ ସ୍ଥାନରେ ଅସଦାଚରଣ ରୋକିବାକୁ ଆଣ୍ଟି ରୋମିଓ ସ୍କାଡ ନିୟୋଜିତ କରିବାକୁ ଦଳ ସଂକଳ୍ପ ପତ୍ରରେ କହିଛି । ଏଥିସହ ପୂରା ଦିଲ୍ଲୀରେ ସିସିଟିଭି କ୍ୟାମେରାର ନେଟଓ୍ବର୍କ ସ୍ଥାପନ କରିବାକୁ ଦଳ ପ୍ରତିଶ୍ରୁତି ଦେଇଛି । ସେହିପରି ଦଳ ପକ୍ଷରୁ କେନ୍ଦ୍ର ସହ ମିଳିତ ଭାବେ ଦିଲ୍ଲୀର ପ୍ରଥମ ମହିଳା ପୋଲିସ ବାଟାଲିୟନ, ଝଲକରି ବାଇ ବାଟାଲିୟନ ପ୍ରତିଷ୍ଠା କରିବାକୁ କୁହାଯାଇଛି । ଏହାପୂର୍ବରୁ ମହିଳା ସମୃଦ୍ଧି ଯୋଜନାରେ ବିଜେପି ମହିଳାଙ୍କୁ ମାସିକ ୨୫ଶହ ଟଙ୍କା ଆର୍ଥିକ ସହାୟତା ଦେବାକୁ ଘୋଷଣା କରିଥିଲା । ଏହାସହ ଗର୍ଭବତୀ ମହିଳାଙ୍କୁ ୨୧ହଜାର ଟଙ୍କା ସହାୟତା ସହ ୬ଟି ପୋଷଣ କିଟ୍ ଦେବାକୁ ପ୍ରତିଶ୍ରୁତି ଦେଇଛି । ସେହିପରି ବିଧବା ମହିଳାଙ୍କ ଭତ୍ତାକୁ ୨୫ଶହରୁ ୩ହଜାର ଟଙ୍କାକୁ ବୃଦ୍ଧି କରିବାକୁ କହିଛି ଦଳ ।
କେବଳ ମହିଳା ନୁହନ୍ତି ସମାଜର ସବୁ ବର୍ଗକୁ ନିଜ ସଂକଳ୍ପ ପତ୍ରରେ ଫୋକସ୍ କରିଛି ବିଜେପି । ୫୦ହଜାର ସରକାରୀ ପଦ ସ୍ବଚ୍ଛତାର ସହ ପୂରଣ କରିବା ସହ ୨୦ଲକ୍ଷ ଆତ୍ମନିଯୁକ୍ତି ସୁଯୋଗ ଆଣିବାକୁ ଦଳ ପ୍ରତିଶ୍ରୁତି ଦେଇଛି । ସେହିପରି ତିନି ବର୍ଷ ମଧ୍ୟରେ ଯମୁନା ସଫେଇ କରିବାକୁ ବି କହିଛି ଦଳ । ଗତ ୨୭ବର୍ଷ ଧରି ଦିଲ୍ଲୀରେ କ୍ଷମତାଠୁ ଦୂରରେ ରହିଛି ବିଜେପି । ଏପରିକି ଗତ ଦୁଇଟି ବିଧାନସଭା ନିର୍ବାଚନରେ ଦୁଇ ଅଙ୍କ ଛୁଇଁପାରିନାହିଁ । ତେବେ ଶାସନ ବିରୋଧୀ ଲହର ସହ ଆମ ଆଦମୀ ପାର୍ଟି ଯୁଝୁ ଥିବା ବେଳେ ଏହାର ଫାଇଦା ନେଇ ଦିଲ୍ଲୀ ଦଖଲ କରିବାକୁ ରଣନୀତି କରୁଛି ବିଜେପି । ଆପର ଜନକଲ୍ୟାଣକାରୀ ଯୋଜନା ଲୋକପ୍ରିୟ ହୋଇଥିବା ବେଳେ ଏହାକୁ ମାତ୍ ଦେବାକୁ ବିଭିନ୍ନ ଯୋଜନା ନେଇ ଘୋଷଣା କରୁଛି ଦଳ । ମହିଳା ସୁରକ୍ଷାକୁ ନେଇ ସବୁବେଳେ ସମାଲୋଚନାର ଶିକାର ହେଉଥିବା ଦିଲ୍ଲୀରେ ଆଣ୍ଟି ରୋମିଓ ସ୍କାଡ ସ୍ଥାପନ କରିବା ପ୍ରତିଶ୍ରୁତି ଦେଇଛି ଦଳ ।
Comments are closed.