ହରିୟାଣା: ହରିୟାଣାର ଝଜ୍ଜର ଜିଲ୍ଲାରେ ଏକ ଅସାଧାରଣ ବିବାହ ଉତ୍ସବ ଦେଖିବାକୁ ମିଳିଛି। ଆଜୀବନ କାରାଦଣ୍ଡ ଭୋଗୁଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟର ମେନପାଲ ଓରଫ୍ ଢିଲା, ନିଜର କାମ୍ବୋଡିଆନ୍ ପ୍ରେମିକା ମେଟା ଚାନ୍ଙ୍କୁ ହିନ୍ଦୁ ରୀତିନୀତି ଅନୁଯାୟୀ ବିବାହ କରିଛନ୍ତି। ଏହି ନିରାଡ଼ମ୍ବର ତଥା କଡ଼ା ସୁରକ୍ଷାମୂଳକ କାର୍ଯ୍ୟକ୍ରମ ପାଇଁ ପଞ୍ଜାବ ଓ ହରିୟାଣା ହାଇକୋର୍ଟ ଗ୍ୟାଙ୍ଗଷ୍ଟର ଢିଲାଙ୍କୁ ମାତ୍ର ୧୨ ଘଣ୍ଟାର କଷ୍ଟଡି ପାରୋଲ ମଞ୍ଜୁର କରିଥିଲେ।
ସକାଳ ୮ଟାରୁ ରାତି ୮ଟା ପର୍ଯ୍ୟନ୍ତ ମିଳିଥିବା ଏହି ଅବଧି ମଧ୍ୟରେ ଜେଲ୍ରୁ ମାତ୍ର ଦେଢ଼ କିଲୋମିଟର ଦୂରରେ ଥିବା ଏକ ଫାର୍ମହାଉସ୍ରେ ବିବାହ ସମ୍ପନ୍ନ ହୋଇଥିଲା। ଏହି ଉତ୍ସବରେ ପ୍ରାୟ ୫୦୦ ନିମନ୍ତ୍ରିତ ଅତିଥି ଯୋଗ ଦେଇଥିବା ବେଳେ କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ପ୍ରାୟ ୧୦୦ ଜଣ ସଶସ୍ତ୍ର ପୋଲିସ କର୍ମଚାରୀ କଡ଼ା ପହରା ଦେଇଥିଲେ। ବିବାହ ସମୟରେ ବର-କନ୍ୟାଙ୍କ ପଛରେ ସୁରକ୍ଷାକର୍ମୀ ବନ୍ଧୁକ ଧରି ଛିଡ଼ା ହୋଇଥିବାର ଦୃଶ୍ୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା।
ସୂଚନାଯୋଗ୍ୟ ଯେ, ୨୦୧୮ ମସିହାରେ ପାରୋଲରେ ଆସି ଢିଲା ଜାଲ ପ୍ରମାଣପତ୍ର ସାହାଯ୍ୟରେ କାମ୍ବୋଡିଆ ଫେରାର ହୋଇଯାଇଥିଲେ। ସେଠାରେ ସିଏମ୍ ରିପ୍ ସହରରେ ରହିବା ସମୟରେ ମେଟା ଚାନ୍ଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା ଏବଂ ସେମାନଙ୍କର ସନ୍ତାନ ମଧ୍ୟ ଅଛନ୍ତି। ପରବର୍ତ୍ତୀ ସମୟରେ ଇଣ୍ଟରପୋଲ୍ ଏବଂ ଭାରତୀୟ ସୁରକ୍ଷା ଏଜେନ୍ସିଙ୍କ ମିଳିତ ଉଦ୍ୟମରେ ଗତବର୍ଷ ତାଙ୍କୁ କାମ୍ବୋଡିଆରୁ ପ୍ରତ୍ୟାର୍ପଣ କରାଯାଇ ଭାରତ ଅଣାଯାଇଥିଲା।
ବିବାହ କାର୍ଯ୍ୟଶେଷ ହେବା ପରେ ନିର୍ଦ୍ଧାରିତ ସମୟ ଅନୁସାରେ ପୋଲିସ ତାଙ୍କୁ ପୁଣି ଜେଲ୍କୁ ନେଇଯାଇଛି। କନ୍ୟା ମେଟା ଚାନ୍ ନିଜ ପିଲାମାନଙ୍କ ସହ ଭାରତ ଆସି ଏହି ବିବାହରେ ସାମିଲ ହୋଇଥିଲେ। ଗ୍ୟାଙ୍ଗଷ୍ଟରଙ୍କ ଏହି କଡ଼ା ସୁରକ୍ଷାମୂଳକ ବିବାହ ଏବେ ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

