Latest Odisha News

5ଜି ରାଜନୀତି: ବିଜେଡି କହିଲା ଗାଁରେ ନାହିଁ ନେଟଓ୍ୱର୍କ, କେନ୍ଦ୍ରମନ୍ତ୍ରୀ କହିଲେ ଅଙ୍ଗୁଳି ଉଠାଇ ଲାଭ ନାହିଁ

ଭୁବନେଶ୍ୱର: ଟ୍ୱିନ ସିଟିରେ ଆରମ୍ଭ ହୋଇଛି ବହୁପ୍ରତୀକ୍ଷିତ 5ଜି ସେବା। ମାର୍ଚ୍ଚ ୩୧ ସୁଦ୍ଧା ଏହି ହାଇସ୍ପୀଡ ଇଣ୍ଟରନେଟ ସେବା ଯୋଗାଇ ଦେବାକୁ କେନ୍ଦ୍ର ସରକାର କହିଥିଲେ। ହେଲେ ଏହା ପୂର୍ବରୁ 5ଜି ସେବା ଯୋଗାଇ ଦେଇଛନ୍ତି। ଏପରି କରି ମୋଦୀ ସରକାର କିଭଳି ଓଡ଼ିଶା ପ୍ରତି ସ୍ବତନ୍ତ୍ର ଧ୍ୟାନ ରଖୁଛନ୍ତି ୨୦୨୪ ପୂର୍ବରୁ ବାର୍ତ୍ତା ଦେବାକୁ ପ୍ରୟାସ କରିଛି ବିଜେପି। ଅନ୍ୟପଟେ ବିଜେଡି କହିଛି, ରାଜ୍ୟରେ ଏବେ ବି ଅନେକ ସ୍ଥାନରେ ଠିକ୍ ଭାବରେ ୨ଜି, ୩ଜି ନେଟଓ୍ୱର୍କ ଲାଗୁନି। ତେଣୁ ୫ଜି ସେବା ନାଁରେ କେନ୍ଦ୍ର ସରରକାର ଓଡ଼ିଶାରେ ଦିନରେ ଲଣ୍ଠନ ଦେଖାଯାଉଛି ବୋଲି ବିଜେଡିର ଜାତୀୟ ମୁଖପାତ୍ର ଅମର ପଟ୍ଟନାୟକ କହିଛନ୍ତି।

ବିଜେଡି ସାଂସଦ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ 5T ମଡେଲ ରହିଛି। ସେଥିରେ ଟେକ୍ନୋଲୋଜି ଗୋଟିଏ ବଡ଼ ଅଙ୍ଗ। ଏହାଦ୍ୱାରା ଲୋକଙ୍କ ପାଖରେ ସବୁ କ୍ଷେତ୍ରରେ ସେବା ପହଞ୍ଚାଯାଉଛି। କେନ୍ଦ୍ର ଯେଉଁ 5ଜି ସେବା ଯୋଗାଇ ଦେଉଛି ତାହା ସ୍ୱାଗତଯୋଗ୍ୟ। ହେଲେ ଓଡ଼ିଶାର ୨୫ ପ୍ରତିଶତ ଲୋକଙ୍କ ପାଖରେ ମୋବାଇଲ ଫୋନ ନାହିଁ। ଓଡ଼ିଶାର ଟେଲି ଡେନସିଟି ୭୫ ପ୍ରତିଶତ। ଜମ୍ମୁ କଶ୍ମୀରରେ ଏହା ଅପେକ୍ଷା ଅଧିକ ରହିଛି। ତେଣୁ ଓଡ଼ିଶା ଏଥିରେ ବହୁ ପଛରେ ଓ ଅବହେଳିତ ଅବସ୍ଥାରେ ରହିଛି। ସଂସଦର ଏକ ଉତ୍ତର ଅନୁଯାୟୀ ଓଡ଼ିଶାରେ ୨୫୦୦ ଟାଓ୍ୱାର ଦରକାର। ହେଲେ ୪୮୮ ଟାଓ୍ୱାର ପାଇଁ ଅନୁମତି ମିଳିଛି। ବାକି ୨୦୦୦ ଟାଓ୍ୱାର ବସାଯାଇନି। ତେଣୁ ଏହି କାମ କରୁଥିବା ଭାରତ ନେଟ୍ କେବେ କାମ ସାରିବ ତାହା ଜଣାପଡିନି ବୋଲି ଅମର ପଟ୍ଟନାୟକ କହିଛନ୍ତି। ଗାଁକୁ ଏବେ ବି ନେଟଓ୍ୱର୍କ ସୁବିଧା ନାହିଁ, କେବେ ପହଞ୍ଚିବ, ତାର ଜବାବ ନାହିଁ। ଏପରିକି ସଂସଦରେ ବି ନାହିଁ। ନକ୍ସଲ ଉପଦ୍ରଵ ଅଂଚଳରେ ଏହା କରିବା ଦରକାର। ଓଡ଼ିଶାକୁ ଭଲ ଇଣ୍ଟରନେଟ ସୁବିଧା ଦରକାର। ଆଦିବାସୀ ଅଞ୍ଚଳକୁ ଭଲ ଇଣ୍ଟରନେଟ ଦରକାର। ୫ଜି ସେବା ନାଁରେ ଦିନରେ ଲଣ୍ଠନ ଦେଖାଯାଉଛି।

ସେପଟେ ବିଜେଡିର ଅଭିଯୋଗ ଉପରେ କେନ୍ଦ୍ର ରେଳ ତଥା ଆଇଟି ମନ୍ତ୍ରୀ ଅଶ୍ୱିନୈ ବୈଷ୍ଣବ କହିଛନ୍ତି, ଟେଲି ଡେନସିଟି ବଢ଼ାଇବା ପାଇଁ ରାଜ୍ୟ ସରକାରଙ୍କ ସହଯୋଗ ଦରକାର । କେନ୍ଦ୍ର ସରକାର ଆର୍ଥିକ ଅନୁଦାନ ଯୋଗାଇ ଦେଇଛନ୍ତି। ରାଜ୍ୟ ସରକାର ଜାଗା ଯୋଗାଇଦେଲେ ବହୁତ ଶୀଘ୍ର କାମ ହୋଇଯିବ। କାହା ଉପରେ ଅଙ୍ଗୁଳି ଉଠାଇଲେ ଲାଭ ନାହିଁ। ଓଡିଶାବାସୀଙ୍କ ସେବା କରିବା ଆବଶ୍ୟକ। ଏଭଳି ଭାବନା ନେଇ ଚାଲିବା କଥା। ନିଜେ ନିଜର ଉତ୍ତର ଦାୟିତ୍ୱ ତୁଲାଇଲେ ହିଁ ଓଡିଶାର ସେବା ହୋଇପାରିବ। ଆଜି ଭୁବନେଶ୍ୱର ଓ କଟକରେ ଆରମ୍ଭ ହୋଇଛି ୫ଜି ସେବା। ଖୁବଶୀଘ୍ର ୨ ବର୍ଷ ଭିତରେ ସାରା ଓଡିଶାରେ 5ଜି ସେବା ମିଳିବ।

 

 

Leave A Reply

Your email address will not be published.