Latest Odisha News

BREAKING NEWS

ହିଟ୍ ଆଣ୍ଡ ରନ୍ ଯୋଗୁଁ ପ୍ରତି ଘଣ୍ଟାରେ ଯାଉଛି ୬ ଜୀବନ: NCRB ରିପୋର୍ଟ

ନୂଆଦିଲ୍ଲୀ: ହିଟ ଆଣ୍ଡ ରନକୁ ନେଇ ବର୍ତ୍ତମାନ ଦେଶସାରା ଚର୍ଚ୍ଚା ଚାଲିଛି । ବସ, ଟ୍ରକ ଡ୍ରାଇଭର ଏହାକୁ ବିରୋଧ କରି ହରତାଳ କରୁଛନ୍ତି । କିନ୍ତୁ ଏହାରି ଭିତରେ ଏନସିଆରବି ଏକ ରିପୋର୍ଟ ପ୍ରକାଶ କରିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏନସିଆରବି ରିପୋର୍ଟ ମୁତାବକ ପ୍ରତି ଘଣ୍ଟାରେ ହିଟ ଆଣ୍ଡ ରନ ଯୋଗୁଁ ପ୍ରାୟ ୬ଜଣଙ୍କର ମତ୍ୟୁ ଘଟୁଛି । କେବଳ ଏତିକି ନୁହେଁ, ଏହି କାରଣରୁ ପ୍ରତିଦିନ ପ୍ରାୟ ୧୪୦ଜଣ ଲୋକ ପ୍ରାଣ ହରାଉଛନ୍ତି ।

ଏହାବାଦ ଏପରି ୫୦ପ୍ରତିଶତରୁ ଅଧିକ ମାମଲା ରହିଛି ଯେଉଁଠି ପୋଲିସ ଦୁର୍ଘଟଣା ଘଟାଇଥିବା ଗାଡିକୁ ଟ୍ରେସ କରିବାରେ ବିଫଳ ହୋଇଛି । ଏହାର ଫାଇଦା ନେଇ ଡ୍ରାଇଭରମାନେ ଫେରାର ହେବାରେ ସକ୍ଷମ ହେଉଛନ୍ତି । ଫଳରେ ପୀଡିତଙ୍କୁ ନ୍ୟାୟ ଓ କ୍ଷତିପୂରଣ ମଧ୍ୟ ମିଳିପାରୁନାହିଁ ।
କେନ୍ଦ୍ର ସରକାର ଏହି ଅପରାଧ ନେଇ ନୂଆ ନିୟମ ଆଣିଛନ୍ତି । ଏହି ନିୟମ ଅନୁଯାୟୀ, ଯଦି କୌଣସି ଟ୍ରକ ବା ବସର ଡ୍ରାଇଭର ଦୁର୍ଘଟଣା ଘଟାଇ ଫେରାର ହେବାକୁ ଚେଷ୍ଟା କରେ ତେବେ ତାକୁ ୧୦ବର୍ଷ ଜେଲ ହେବ । ଏହାଛଡା ଜରିମାନା ମଧ୍ୟ ଦେବାକୁ ପଡିବ ।ପୂର୍ବରୁ ଏହି ମାମଲାରେ ଅଭିଯୁକ୍ତକୁ କିଛି ଦିନ ପରେ ବେଲ ମିଳିଯାଉଥିଲା ଓ ସେ ଜେଲରୁ ମୁକୁଳି ଯାଉଥିଲା । ଏହାଛଡା ପୂର୍ବରୁ ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ୨ବର୍ଷ ଜେଲ ଦଣ୍ଡର ବ୍ୟବସ୍ଥା ଥିଲା ।
ସଂସଦରେ ପାସ ହୋଇଥିବା ନୂଆ ବିଲ ଭାରତୀୟ ନ୍ୟାୟ ସଂହିତାରେ ହିଣ୍ଡ-ଆଣ୍ଡ-ରନ ମାମଲାର ଦଣ୍ଡବିଧାନକୁ ବିରୋଧ କରି ଟ୍ରକ ଓ ବସ ଚାଳକମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଯାହାକୁ ନେଇ ଏବେ ରାଜନୀତି ମଧ୍ୟ ଆରମ୍ଭ ହୋଇଯାଇଛି ।

ଆଇପିସିର ଧାରା ୩୦୪(ଏ) ଅନୁସାରେ ଚାଳକଙ୍କ ଭୁଲ ଯୋଗୁ ଦୁର୍ଘଟଣାରେ କାହାର ମୃତ୍ୟୁ ହେଲେ ୨ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡର ବ୍ୟବସ୍ଥା ରହିଛି । କିନ୍ତୁ ଲାଗୁ ହେବାକୁ ଥିବା ଭାରତୀୟ ନ୍ୟାୟ ସଂହିତା ବିଏନଏସର ଧାରା ୧୦୪ ଅନୁସାରେ ଚାଳକଙ୍କ ଭୁଲ ଯୋଗୁ କାହାର ମୃତ୍ୟୁ ହେଲେ ଏହା ଦଣ୍ଡନୀୟ ଅପରାଧ ଭାବେ ଗଣାଯିବ । ବିଏନଏସର ଧାରା ୧୦୪(୧) କାହାର ମୃତ୍ୟୁ ହେଲେ ଚାଳକଙ୍କ ପାଇଁ ୫ ବର୍ଷ ଜେଲ ଦଣ୍ଡ । ବିଏନଏସର ଧାରା ୧୦୪(୨) ଦୁର୍ଘଟଣାରେ ମୃତ୍ୟୁ ପରେ ପୋଲିସକୁ ନଜଣାଇ ଚାଳକ ଫେରାର ହୋଇଗଲେ, ୧୦ ବର୍ଷ ଜେଲ ଦଣ୍ଡ ସହ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ବ୍ୟବସ୍ଥା ରହିଛି । ଯାହାକୁ ଚାଳକମାନେ ବିରୋଧ କରିଛନ୍ତି।

 

Leave A Reply

Your email address will not be published.