Latest Odisha News

BREAKING NEWS

କୂଳ ଖାଉଛି ନାଗାବଳୀ, ନଦୀ ଗର୍ଭରେ ବିଲୀନ ହେବ କି ୬ ଗାଁ ?

ରାୟଗଡ଼ା: ନାଗାବଳୀ ନଦୀକୁ ନେଇ ଚିନ୍ତାରେ ୬ ଖଣ୍ଡ ଗାଁ । ଦିନକୁ ଦିନ ନାଗାବଳୀ କୂଳ ଖାଇବାରେ ଲାଗିଛି । ଅସରାଏ ବର୍ଷା ହେଲେ ରାୟଗଡ଼ା ଉପକଣ୍ଠ ନାଗାବଳୀ ନଦୀ କୂଳରେ ଥିବା ଚେକାଗୁଡ଼ା, ରାଣିଗୁଡ଼ା, ଗୁରୁମଗୁଡ଼ା, ଅଣ୍ଟାରିଗୁଡ଼ା, ଖଇରଗୁଡ଼ା ଏବଂ ମାରିଗୁଡ଼ା ଗ୍ରାମବାସୀ ଶାନ୍ତିରେ ଶୋଇ ପାରୁ ନାହାଁନ୍ତି । ଗତ କିଛିଦିନ ଧରି ଟିକିଏ ବର୍ଷାରେ ମାଟି ଅତଡ଼ା ଧସିବା ସହ ନଦୀଗର୍ଭରେ ଏସବୁ ଗାଁର ଅନେକ ଚାଷ ଜମି ବିଲୀନ ହୋଇ ଯାଇଛି ।

ଲଗାଣ ବର୍ଷାରେ ନାଗାବଳୀ ଫୁଲୁଥିବା ବେଳେ ମାଟି ଅତଡ଼ା ଖସିବାରେ ଲାଗିଛି । ପୂର୍ବରୁ ଗାଁ ଠାରୁ ୨୦୦ ମିଟର ଦୂରରେ ନାଗାବଳୀ ନଦୀ ପ୍ରବାହିତ ହେଉଥିଲା । ଏବେ ନାଗାବଳୀ ଗାଁ ମୁହାଁ ହୋଇଥିବା ବେଳେ ପାଖାପାଖି ୧୫୦ ମିଟରରୁ ଅଧିକ କୂଳ ଖାଇ ସାରିଲାଣି । ଏବେ ନାଗାବଳୀ ନଦୀ ଓ ଗାଁ ମଧ୍ୟରେ ରହିଛି ମାତ୍ର ୫୦ ମିଟରର ବ୍ୟବଧ୍ୟାନ । ଫଳରେ ବର୍ଷା ହେଲେ ନଦୀ କୂଳ ଖାଇବାକୁ ନେଇ ଚିନ୍ତାରେ ମାରିଗୁଡ଼ା ଗାଁର ୬୦ଟିରୁ ଅଧିକ ପରିବାର ।

ଏନେଇ ଲୋକେ ସ୍ଥାନୀୟ ଜନପ୍ରତିନିଧଙ୍କ ସହ ଜିଲ୍ଲା ପ୍ରଶାସନକୁ ଜଣାଇଛନ୍ତି । ପ୍ରଶାସନ ଦେଇଥିବା କଥା ପ୍ରତିଶ୍ରୁତିରେ ରହି ଯାଇଛି । ମାରିଗୁଡ଼ା ଗାଁ ଭଳି ରାୟଗଡା ପୌରାଞ୍ଚଳର ନାଗାବଳୀ ନଦୀ କୂଳରେ ଥିବା ୫ ଖଣ୍ଡ ଗ୍ରାମବାସୀ ଆତଙ୍କିତ ଅଛନ୍ତି । ଅନୁଧ୍ୟାନ ପରେ ଖୁବଶୀଘ୍ର ପ୍ରଶାସନ ପଦକ୍ଷେପ ଗ୍ରହଣ କରିବ ବୋଲି କହିଛନ୍ତି ଜିଲ୍ଲାପାଳ । ଏନେଇ ବଂଶଧାରା ଜଳସେଚନ ଡିଭିଜନର ଯନ୍ତ୍ରୀଙ୍କୁ ଦାୟିତ୍ଵ ଦିଆଯାଇଛି । ଡ୍ରୋନ୍ ମାଧ୍ୟମରେ ସର୍ଭେ କରାଯାଇ ରିପୋର୍ଟ ମିଳିବା ପରେ ସ୍ଥାୟୀ ପ୍ରତିକାର କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

Leave A Reply

Your email address will not be published.