Latest Odisha News

BREAKING NEWS

ମୃତ୍ୟୁର ବିଭୀଷିକା ସାଜିଲା ଭୂକମ୍ପ: ଘରଦ୍ୱାର ଭୁଶୁଡ଼ି ପଡ଼ିଲା, ଖୋଲା ଆକାଶ ତଳେ ରାତି କାଟୁଛନ୍ତି ଲୋକେ

ଜାକର୍ତ୍ତା: ଇଣ୍ଡୋନେସିଆରେ ପୁଣିଥରେ ପ୍ରକୃତିର କରାଳ ରୂପ ଦେଖିବାକୁ ମିଳିଛି। ଇଣ୍ଡୋନେସିଆର ଉତ୍ତର ସୁମାତ୍ରା ଏବଂ ଫ୍ଲୋରେସ୍ ଦ୍ୱୀପ ଅଞ୍ଚଳରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି, ଯାହା ଫଳରେ ବ୍ୟାପକ ଧନଜୀବନ ନଷ୍ଟ ହୋଇଥିବା ଖବର ସାମ୍ନାକୁ ଆସିଛି। ରିକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା ୬.୨ ରେକର୍ଡ କରାଯାଇଥିବା ବେଳେ, ଏହା ପରେ ପରେ ଅନେକଗୁଡ଼ିଏ ପରବର୍ତ୍ତୀ ଝଟକା ଅନୁଭୂତ ହୋଇଥିଲା । ଯାହା ସ୍ଥାନୀୟ ଲୋକଙ୍କ ମନରେ ଘୋର ଆତଙ୍କ ଖେଳାଇ ଦେଇଛି। ଶେଷ ଖବର ସୁଦ୍ଧା ଭୂକମ୍ପରେ ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି ପାଇଛି ।

ଭୂକମ୍ପର କେନ୍ଦ୍ରସ୍ଥଳ ଉତ୍ତର ସୁମାତ୍ରାର ଆଖପାଖ ଅଞ୍ଚଳରେ ଥିଲା। ଭୂକମ୍ପର ତୀବ୍ରତା ଏତେ ଅଧିକ ଥିଲା ଯେ ଅନେକ ବଡ଼ ବଡ଼ କୋଠାବାଡ଼ି ଓ ଘରଦ୍ୱାର ତାସ୍ ଘର ଭଳି ଭୁଶୁଡ଼ି ପଡ଼ିଛି। ସ୍ଥାନୀୟ ପ୍ରଶାସନ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ମିଳିଥିବା ପ୍ରାଥମିକ ରିପୋର୍ଟ ଅନୁସାରେ, ଏହି ପ୍ରାକୃତିକ ବିପର୍ଯ୍ୟୟରେ ବର୍ତ୍ତମାନ ସୁଦ୍ଧା ଅତିକମରେ ୧୦ରୁ ଊର୍ଦ୍ଧ୍ୱ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ବହୁ ଲୋକ ଗୁରୁତର ଆହତ ହୋଇଛନ୍ତି। ଫ୍ଲୋରେସ୍ ଦ୍ୱୀପରେ ମଧ୍ୟ ଏହାର ବ୍ୟାପକ ପ୍ରଭାବ ଦେଖିବାକୁ ମିଳିଛି।

ଧ୍ୱଂସସ୍ତୂପ ତଳେ ଆହୁରି ଅନେକ ଲୋକ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଥିବାରୁ ମୃତ୍ୟୁସଂଖ୍ୟା ଆଗକୁ ଆହୁରି ବୃଦ୍ଧି ପାଇପାରେ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

ଘଟଣାସ୍ଥଳରେ ବର୍ତ୍ତମାନ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସ୍ଥାନୀୟ ପୋଲିସ, ଅଗ୍ନିଶମ ବାହିନୀ ଏବଂ ଜାତୀୟ ବିପର୍ଯ୍ୟୟ ଉଦ୍ଧାରକାରୀ ଦଳ ମିଳିତ ଭାବେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ସହ ରିଲିଫ୍ ବଣ୍ଟନ କାର୍ଯ୍ୟକୁ ତ୍ୱରାନ୍ୱିତ କରୁଛନ୍ତି। ଆହତମାନଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇ ଜରୁରୀକାଳୀନ ଚିକିତ୍ସା ଯୋଗାଇ ଦିଆଯାଉଛି।

ବାରମ୍ବାର ଝଟକା ଅନୁଭୂତ ହେଥିବାରୁ ସତର୍କତା ମୂଳକ ପଦକ୍ଷେପ ସ୍ୱରୂପ ଲୋକଙ୍କୁ ଭଙ୍ଗା ଘର ଭିତରକୁ ନଯାଇ ଖୋଲା ସ୍ଥାନରେ ରହିବାକୁ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି। ସୂଚନାଯୋଗ୍ୟ ଯେ, ଇଣ୍ଡୋନେସିଆ ପ୍ରଶାନ୍ତ ମହାସାଗରୀୟ ‘ରିଙ୍ଗ୍ ଅଫ୍ ଫାୟାର’ ଜୋନ୍‌ରେ ଅବସ୍ଥିତ ଥିବାରୁ ଏଠାରେ ବାରମ୍ବାର ଭୂକମ୍ପ ଭଳି ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ ଘଟିଥାଏ।

Leave A Reply

Your email address will not be published.